Unknown

 

 

 

 

 

 

 

 

 

 

ପୁରାଣ ବିଳାସ

ଗୋକୁଳାନନ୍ଦ ପଟ୍ଟନାୟକ

 

ଇନ୍ଦ୍ରଜିତ ବଧ

 

ଗୀତ – ୧

ରାମ ରାଜୀବ-ଲୋଚନ କୋଦଣ୍ଡ-ଧାରଣ

ଶ୍ୟାମଳ ବରଣ ପ୍ରଭୁ ଅହଲ୍ୟା ତାରଣ  |୧|

ବାମଦେବ ଧନୁ ମିଥିଳାପୁରେ ଭାଙ୍ଗିଲ

ବାମ ହେଲେ ପର୍ଶୁରାମ ଦରପ ଦଳିଲ |୨|

କାମଜିତ ଅଭିରାମ ବୀର ଧନୁର୍ଦ୍ଧର

ତାମରସ ଚରଣକୁ ଧୋଇଲା ଧୀବର |୩|

ଭ୍ରମଣ କଲ ବନରେ ପାଳି ପିତାସତ୍ୟ

ଭ୍ରମ ଜାତ କରାଇଲା ମାରୀଚ ଦଇତ |୪|

ତମ ବହି ତାକୁ ମାରିବାକୁ ଗୋଡ଼ାଇଲ

ଚାମରକେଶୀ ସୀତାଙ୍କୁ ତହିଁ ହରାଇଲ |୫|

ପାମର ରାବଣ ତାଙ୍କୁ ହରି ନେବା ଜାଣି

ସମର କଲ ତା ସଙ୍ଗେ ଧନୁ ଧରି ପାଣି |୬|

ଯମର ପୁରେ ତା ପଠାଇଲ ପୁତ୍ରନାତି

ଅମର ସୁଖେ ରହିଲେ ଲଭି ମହାଶାନ୍ତି |୭|

ନାମ ନେବି ମଲାବେଳେ ମାଗୁଛି ଏତିକି

ନ ଯିବ ଗୋକୁଳାନନ୍ଦ ଶମନ କତିକି |୮|

ଶୁଣ ଗୁଣବନ୍ତ ଜନେ ସ୍ଥିର କରି ଚିତ୍ତ

ଲୁଣପକା ତୁଣପରି ଶ୍ରୀରାମଚରିତ  |୯|

ବୀରବାହୁ ମୃତ୍ୟୁବାର୍ତ୍ତା କରିଣ ଶ୍ରବଣ

ନୀର ବହଇ ନୟନୁ କାନ୍ଦଇ ରାବଣ |୧୦|

ଅସୁରମଧ୍ୟରେ ଶ୍ରେଷ୍ଠବୀର ବୀରବାହୁ

ଅସୁମାର ବଳ ତୋର ଶତ୍ରୁକୁଳ-ରହୁ |୧୧|

ତୋ ପରା ପୁଅକୁ ମରାଇଲି ମୁଁ ସମରେ

ଏ ପରାଣ ରଖିବି ମୁଁ କେଉଁ ପରକାରେ |୧୨|

ଆଶା ଥିଲା ବଇରୀକି ମାରିବୁ ନିଶ୍ଚୟ

ଭସାଇ ଗଲୁ ତୁ ଶୋକସାଗରେ ତନୟ |୧୩|

ଶଶା ସିଂହକୁ ଯେପରି ପକାଇଲା କୂପେ

ଦଶା ଦେଲେ ନର ବାନର କି ସେହି ରୂପେ |୧୪|

ବିଶାରଦ ହେଲେ ରଣେ ଦୁଇଟା ମାନବ

ବିଶ୍ଵାଏ ସମାନ ତାଙ୍କୁ ନ ହେଲେ ଦାନବ |୧୫|

ରାବଣ କରେ ଏପରି ବିକଳେ କ୍ରନ୍ଦନ

ଶ୍ରବଣ କରିଣ କହେ ତା ଜ୍ୟେଷ୍ଠ ନନ୍ଦନ |୧୬|

ଭାରିଯାକୁ ଶ୍ରୀରାମର ଆଣିବାରୁ ହରି

ଭାରି ଚିନ୍ତା କରିଛି ସେ ତା ଗୁଣ ସୁମରି |୧୭|

ମରିବ ଏଥର ତାର ଦେହେ ନାହିଁ ବଳ

ଧରି ଧନୁଶର ମିଛେ ଯୁଝୁଛି କେବଳ |୧୮|

ଶରୀର ତ କୁଟାପରି ହୋଇଲାଣି କ୍ଷୁଣ୍ଣ

ସରିବ ତା କଥା ନିଶ୍ଚେ ନୁହେଁ ଏହା ଭିନ୍ନ  |୧୯|

ଛାଇପରି ଅନୁସରି ଥାଏ ଯେ ଲକ୍ଷ୍ମଣ

ଭାଇର ଏ ଦଶା ଦେଖି ଦିଶେ ଅଲକ୍ଷଣ |୨୦|

ତନୁ ତ ହେଲାଣି କ୍ଷୀଣ କିଛି ବଳ ନାହିଁ

ଧନୁ ଧରି ସେ ଯେ ଯୁଝି ପାରିବ ବା କାହିଁ |୨୧|

ମନୁଷ୍ୟ ଦୁଇଟା ମାତ୍ର କେତେବା ଶକତି

ଦନୁଜଙ୍କ ସଙ୍ଗେ ଲଢ଼ି ରହିବେ ବରତି |୨୨|

ପିତାକୁ ଯେଣୁ ମରାଇ ଅଛି ସେ ସୁଗ୍ରୀବ

ଚିନ୍ତା କରୁଛି ସର୍ବଦା ଅଙ୍ଗଦ ସେ ଭାବ |୨୩|

କାଳେ ମୋତେ ମରାଇବ ରାମହାତେ ଶେଷେ

ଭାଳେ ଏକଥା ଅଙ୍ଗଦ ସର୍ବଦା ମାନସେ  |୨୪|

ଏ ହେତୁ ତାହାର ଦେହେ ନାହିଁ ପରାକ୍ରମ

ମୁହଁଟାଣେ କଥା କହେ ମାତ୍ର ମତିଭ୍ରମ |୨୫|

ସୁଗ୍ରୀବ ମଧ୍ୟ ମନରେ କରୁଛି ବିଚାର

ରାମ ହାତେ ମରାଇଛି ପିତାକୁ ଏହାର |୨୬|

ପିତାଶତ୍ରୁ ବୋଲି ମୋତେ ମାରିବ ଏ ଶେଷେ

ଅଥବା ତଡ଼ିଦେବ ଏ ନ ରଖିଣ ଦେଶେ  |୨୭|

ଦୁହେଁ ଦୁହିଁଙ୍କି ଏପରି କରୁଛନ୍ତି ଭୀତି

ମୁହେଁ ମୁହେଁ ଭାବସ୍ନେହ ରହିଅଛି ନୀତି  |୨୮|

ସଢ଼ି ଗଲେଣି ଚିନ୍ତାରେ ସେହି ଦୁଇଜଣ

ପଡ଼ିଲେ ହାବୁଡ଼େ ମୋର ତେଜିବେ ପରାଣ |୨୯|

ଗିରି ଟେକିବାକୁ ଶରୀରରେ ନାହିଁ ବଳ

ଶିରୀ ତୁଟି ଗଲାଣି ସେ ଦିଶନ୍ତି କାଙ୍ଗାଳ |୩୦|

ଦାଦା ବିଭୀଷଣ ଭାସେ, ପାଇନାହିଁ କୂଳ

ମନ୍ଦରାଚରଣ କରି ସେ ଛାଡ଼ିଗଲେ କୁଳ  |୩୧|

ସଦା ସର୍ବଦା ସେ ଭଲ ଦ୍ରବ୍ୟ ଖାଉଥିଲେ

ପଦାରେ ବୁଲିଣ ଫଳମୂଳକୁ ଭୁଞ୍ଜିଲେ  |୩୨|

ନିନ୍ଦାକୁ ଟିକିଏ ମାତ୍ର ନ କଲେ ସେ ଭୟ

ପଦାଶ୍ରିତ କଲେ ଛାଡ଼ି ସକଳ ବିଷୟ  |୩୩|

ବଣରେ ରହିଣ ତାଙ୍କ ଦେହେ ନାହିଁ ଶକ୍ତି

ରଣ କରିବେ ବା କାହୁଁ ଧରି ଶେଲ ଶକ୍ତି  |୩୪|

ରଣ କଲେ ଏମାନଙ୍କୁ ମାରିବି କିଞ୍ଚିତେ

ପଣ କରୁଅଛି ପିତା ତୁମର ଅଗ୍ରତେ |୩୫|

ବାଣକରେ ଏହାଙ୍କର ନେବି ମୁଁ ପରାଣ

ଟାଣ କରେ ଯାହା ତାହା ନୁହେଁ ଅକାରଣ |୩୬|

ଏକା ଘରପୋଡ଼ା କପି ଅଛି ହନୁମନ୍ତ

ଶଙ୍କା ତାହାକୁ କେବଳ ମୋହର ସନ୍ତତ |୩୭|

ଟେକାପରି ଗିରିଟାକୁ ମଣଇ ବାନର

ଲଙ୍କାପୁର ଏକୁଟିଆ କଲା ଛାରଖାର  |୩୮|

ଆଗ ତାହାକୁ ମାରିଲେ ଛିଡ଼ିବ ଅଡ଼ୁଆ

ବାଗ ପଡ଼ିଲେ ମରିବ ସେ ବଡ଼ କଡ଼ୁଆ |୩୯|

ପହିଲେ ତାକୁ ମାରିବି ସତ୍ୟ ଏହିକଥା

କହିଲି ଯା ପିତା ତାହା ନୁହଁଇ ଅନ୍ୟଥା |୪୦|

ରାବଣ କହିଲା ଆରେ ବାବୁ ଇନ୍ଦ୍ରଜିତ

ଶ୍ରାବଣ ବରଷା ପରି ଅଶ୍ରୁ ବହେ ନେତ |୪୧|

ଯେତେଶୀଘ୍ର ପାର ବାବୁ ଶତ୍ରୁକୁ ସଂହର

ତୋତେ ଭରସା କରିଛି ଅନ୍ୟ ନାହିଁ ମୋର |୪୨|

ହାଲିଆ ହେଲେଣି ରଣରେ ନରବାନର

କାଲି ରଣକୁ ଯାଇ ତୁ ତାଙ୍କୁ ନାଶ କର |୪୩|

ବାପଠାରୁ ଇନ୍ଦ୍ରଜିତ ପାଇଣ ଆଦେଶ

ଆପଣା ପତ୍ନୀ ନିକଟେ ହେଲା ପରବେଶ | ୪୪ |

ବିଦାୟ ମାଗିଲା ତାହାଠାରୁ ମେଘନାଦ

ଚଉପଦୀରେ କହିବ ତା ଗୋକୁଳାନନ୍ଦ | ୪୫ |

 

ଗୀତ – ୨

ସୁଧାକରମୁଖୀ ବିଦା କର ବହନ

ନିଦାରୁଣ ନୁହଁ ସଦା ମୁଁ ତୋ ଅଧୀନ | ପଦ |

ପିତା ଦେଲେଣି ଆଦେଶ

ମୁଁ ତା ପାଳିବି ଅବଶ୍ୟ

ସୀତାପତି ସଙ୍ଗେ ହେବ ଯୁଦ୍ଧ ଗହନ | ୧ |

ଯିବାକାଳେ ବାଳାମଣି

ନେବାକୁ ତୋଠୁ ମେଲାଣି

ଜବାଧରା ହସି ପଦେ କହ ବଚନ | ୨ |

ଋଷିଙ୍କି ପାରୁ ତୁ ମୋହି

ଋଷି ବସିଲୁ କିମ୍ପାଇ

ଭାସିଯିବି ନ ଭାଷିଲେ ନାରୀ ରତନ | ୩ |

ଅନୁକୂଳ ବେଳେ ସହି

ଅନୁଗ୍ରହ କର ତୁହି

ମନୁ ନ ଭୁଲିବୁ ମୋର ଏ ନିବେଦନ | ୪ |

ଅରୁଣାଧରି କରୁଣା

ଋଣା ନ କର ମୁଁ ଜଣା-

ଉଛି ଯାଉଛି ଗୋକୁଳାନନ୍ଦ ରଚନ | ୫ |

 

ଗୀତ – ୩

ନ ଯା ନ ଯା ଜୀବନଧନ ! ଦାସୀକୀ ତେଜି

ସଜା ଦେବେ ନିଶ୍ଟେ ବାନର ଆଜି | ପଦ |

ମୁଁ ଯାହା ଦେଖିଲି ସ୍ଵପନ

ହଜାଇଲି ତହିଁରେ ଜ୍ଞାନ

ହଜାର ହଜାର ବାନର ତୁମର

ପାଖରେ ଦିମାକ କରନ୍ତି ଗର୍ଜ୍ଜି | ୧ |

ବିଜାର ହୋଇ ତାଙ୍କ ରଣେ

ଲଜ୍ଜା ପାଇ ଲୁଚିଲ ବଣେ

ମାର୍ଜାର ଗଜାନନ ବାହାକ କାର୍ଯ୍ୟ

ସାଧିଲେ ବଧିଲେ ତୁମକୁ ପାଜି | ୨ |

କଜ୍ୟାକଲେ ନାହିଁ ତାରଣ

ତେଜ୍ୟା କର ଶତ୍ରୁତାପଣ

ଅଜା ଶାର୍ଦ୍ଦୁଳର ରୀତି ମୁଁ ଦେଖୁଛି

ଦନୁଜ ବଂଶତ ଗଲାଣି ଭାଜି | ୩ |

 

ଗୀତ – ୪

କରକୁ ଧରିଣ ବରର କହେ ରମଣୀବର

ସ୍ଵପନ କଥାକୁ ଆପଣ ବାରେ ଶ୍ରବଣ କର | ୪୬ |

ମନ୍ଦାରର ମାଳାକୁ ହୃଦ ପଦ୍ମରେ ଆଦରିଛି

ତଇଳ ଲଗାଇ ଶଇଳ ଉପରକୁ ଉଠୁଛି | ୪୭ |

ବୁହା ହୋଇ ଲୁହାପାତ୍ରରେ ଥୁଆ ହୋଇଛି ଅନ୍ନ

ଦକ୍ଷିଣ ମୁଖରେ ଭକ୍ଷିଣ କରୁଅଛି ଗମନ | ୪୮ |

ପାହିଲା ରାତିକି ହୋଇଲା ଏହିପରି ଘଟଣା

ନୋହିଲା ଶୟନ ରହିଲା ନାହିଁ ହୃଦେ ଚେତନା | ୪୯ |

ଯୁଛିବାକୁ ନ ଯା ବୁଝି ଏ ସ୍ଵପ୍ନଫଳ ବୃତ୍ତାନ୍ତ

ମନା ମାନ ମୋର ଜୀବନ ରାମ ଅଟେ କୃତାନ୍ତ | ୫୦ |

କମର କଷିଣ ସମର କଲଣି ଦୁଇଥର

ନ ମରନ୍ତି ସେ ତ ଅମର ସହ ନର ବାନର | ୫୧ |

ଦାନବ ନାଶିବା ନିମନ୍ତେ ମାନବ ରୂପେ ଜାତ

ବୈକୁଣ୍ଠ ବରଜି ଏ ମର୍ତ୍ତ୍ୟପୁରେ ବୈକୁଣ୍ଠନାଥ | ୫୨ |

ନାଶିବେ ଅସୁର ପେଶିବେ ନିଶ୍ଚେ ଶମନ ବାସ

ଉଶ୍ଵାସିବେ ନିଶ୍ଚେ ବିଶ୍ଵକୁ ପ୍ରଭୁ ରମାବିଳାସ | ୫୩ |

କହିଲା ଇନ୍ଦ୍ରାରି ସହି ରେ ଯାହା କହିଲୁ ସତ

କେହି ରହିନାହିଁ ମହୀରେ ନିଶ୍ଚେ ହୁଅନ୍ତି ମୃତ | ୫୪ |

ରାମ ଯେବେ ବିଷ୍ଣୁ ତା ହାତେ ମଲେ ଲିଭିବି ମୁକ୍ତି

ନ କର କରକ ରଦନା ଆଉ ବିଶେଷ ଯୁକ୍ତି | ୫୫ |

ରଣ ଯେ କରଇ ପ୍ରାଣକୁ ତାର ଥାଏ କି ଡର

ବ୍ୟାକୁଳ ହୁଅ ନା ଗୋକୁଳାନନ୍ଦ କହେ ଗୀତରେ |୫୬ |

 

ଗୀତ – ୫

ଚକାଚନ୍ଦ ବନ୍ଦନା ଶକା ନା ମୁଁ ଯାଉଛି

କକା ଉଲଟେ ଡାକିଲେ ସକାଳ ତ ହେଉଛି | ( ଘୋଷା )

ଫକା ଦିଶୁଅଛି ପ୍ରାଚୀ ଫିକା ମନ ନୁହେଁ ରୁଚି

ଫଙ୍କାଫଙ୍କି ନୁହେଁ ଏହା ପକ୍କାକଥା କହୁଛି | ୧ |

ଏକା ଏକାଳରେ ସହି ଡକା ପାରୁଥିବୁ ରହି

ଟିକାଏ କଥାକୁ ତୋର ତକାଇ ମୁଁ ରହୁଛି | ୨ |

ବଙ୍କା ଚୂଳିଆକୁ ମୋର ଶଙ୍କା ଢୁକାଏ ମନର

ଲଙ୍କା ପୋଡ଼ିଲା ପ୍ରକାର ହୃଦ ଦହି ହେଉଛି | ୩ |

ଠକାଠକି ନୁହେଁ ଗୀତ ଠିକା ପଦରେ ରଚିତ

ବକାରି ଧ୍ୟାୟି ଗୋକୁଳାନନ୍ଦ ପଦ କହୁଛି | ୪ |

 

ଗୀତ – ୬

ଏହିପରି ନାରୀକି ବୁଝାଇ ମେଘନାଦ

ମାତାପାଶେ ପ୍ରବେଶିଲା ପ୍ରଣମିଲା ପାଦ | ୫୭ |

କହିଲା ଜନନୀ ଦେଖୁଛ ତ ଲଙ୍କାଦଶା

ନର ବାନର ଭାଙ୍ଗିଲେ ଅସୁରଙ୍କ ବସା | ୫୮ |

ଛାରଖାର ହେବାର ଦେଖିଣ ଲଙ୍କାଦେଶ

ଯୁଦ୍ଧକୁ ଯିବାକୁ ଦେଲେ ଜନକ ଆଦେଶ | ୫୯ |

 

ଗୀତ – ୭

ଥାଅ ଜନନୀ ଲୋ ଯାଉଛି ରଣକୁ ଆଜି

ବଜୀ, ଗଜ, ,ସୈନ୍ୟ, ନେବି ଅଗଣନ

ହୋଇବ ର ଶେଷ ଆଜି | ( ଘୋଷା )

ବୀରଶୂନ୍ୟ ହେଲା କନକ କଟକ

ଦେଇଛନ୍ତି ମୋତେ ଆଦେଶ ଜନକ

ବେନି ନରସହ ମରିବେ ଅନେକ

ସେ ନର ବାନର ପାଜି | ୧ |

ତୋର ପାଦଧୂଳି ଦିଅ ମୋ ମଉଳି

ବିଲମ୍ବ ହେଉଛି ବେଗେ ଯିବି ଚଳି |

ଉଦୟ ହେଲେଣି ପୂର୍ବେ ଅଂଶୁମାଳୀ

ରହିଛନ୍ତି ବଳ ସାଜି | ୨ |

ଅଧମ ସୁତର ଘେନ ନିବେଦନ

ଶୁଦ୍ଧ ହୃଦେ କର ବିଦାୟ ବହନ

କରଣ ଗୋକୁଳାନନ୍ଦ ପଦମାନ

ଗୀତରେ ଦେଇଛି ଖଞ୍ଜି | ୩ |

 

ମନ୍ଦୋଦରୀ ଉକ୍ତି

 

ଗୀତ – ୮

ଜୀବଧନ ନ ଯା ନଯାରେ ଗଣ୍ଠିଧନ ନ ଯା ନ ଯାରେ

ତୋତେ ମୋ ଶପଥ ଅଛି ହଜାରେ | ପଦ |

ସ୍ଵେଚ୍ଛାଚାରୀ ହେଲେ ପିତା ନ ମାନିଲେ କାହା କଥା

ଛାଡ଼ିଲା କନିଷ୍ଠ ଭ୍ରାତା ଅଛି ମଜ୍ଜାରେ | ୧ |

ବତାଇ ସେ ଛେଦଭେଦ ମରାଇଲା ଜ୍ଞାତିବୃନ୍ଦ

କରିବେ ଲଙ୍କାରେ ରାମ ତାକୁ ରାଜା ରେ | ୨ |

ସ୍ଵୟଂ ନାରାୟଣ ରାମ ହାରିବୁ କଲେ ସଂଗ୍ରାମ

ବଦତି ଗୋକୁଳାନନ୍ଦ ପଦ ସୋଜାରେ | ୩ |

 

ପ୍ରମୀଳା ମନ୍ଦୋଦରୀକି କହି ଏହିପରି

ସୈନ୍ୟ ସହ ରଥେ ବସିଗଲା ଇନ୍ଦ୍ରଅରି | ୬୦ |

ଯଜ୍ଞ ମନ୍ଦିର ମଧ୍ୟରେ ହେଲା ପରବେଶ

ମନ୍ତ୍ର ପଢ଼ି ଅଗ୍ନିରେ ଘୃତ ଦେଲା ବିଶେଷ | ୬୧ |

ବାହାଡ଼ା କାଠକୁ ରକ୍ତ ବସ୍ତ୍ରରେ ବାନ୍ଧିଲା

କଳାବର୍ଣ୍ଣ ଛେଳି ରକ୍ତ ଅରଳେ ଢାଳିଲା | ୬୨ |

ଲୁହା ସ୍ରୁବରେ ଆହୁତି ଦିଏ ଇନ୍ଦ୍ରଜିତ

ଦୃଶ୍ୟ ହେଲେ ବୈଶ୍ଵ୍ୟାନର ହୋଇ ମୂର୍ତ୍ତିମନ୍ତ | ୬୩ |

ଅଗ୍ନିକୁ ବହୁତ ସ୍ତବ କଲା ମେଘନାଦ

ଚଉପଦୀରେ କହିବ ତା ଗୋକୁଳାନନ୍ଦ | ୬୪ |

 

ଗୀତ – ୯

ଅଗ୍ନିଦେବ ହେ ବାର କରୁଣା କର

ଦାସ ଜଣାଉଛି ଯୋଡ଼ିଣ କର | ପଦ |

କାଷ୍ଠ ତୃଣେ ତୁମର ବାସ ତାକୁ ପୁଣି କର ବିନାଶ

ଜଳମଧ୍ୟେ ସ୍ଥିତେ ଜଳେ ହୁଅ ହତ

ହନୁମନ୍ତ –ତାତ ମିତ ତୁମର | ୧ |

ହବ୍ୟବାହାନ ବୈଶ୍ଵାନର ଦ୍ରବ୍ୟରେ ତ ନାହିଁ ବିକାର

ଅବୟ ଅକ୍ଷୟ କାୟ ଧନଞ୍ଜୟ

ସେବ୍ୟ ସର୍ବକରେ ହବି ଆକାର | ୨ |

ପଞ୍ଚ ମହାଭୁତରେ ଗଣ୍ୟ ମୁଞ୍ଚ ଯେତେବେଳେ ଆପଣ

ବଞ୍ଚଇ କି ଆଉ ପ୍ରାଣୀ ତେତେବେଳେ

ତବ ବିନା ନାଶ କର ପୟର | ୩ |

ତବୋଚ୍ଛିଷ୍ଟ ଶଙ୍କର ଯତି ଅବୟବେ ଲେପନ ହୋନ୍ତି

ତୁମଠାରୁ ମହା ରଜତ ଉତ୍ପତ୍ତି

ଦେଇ ପାର ବର ଧନିକୁମର | ୪ |

ଗ୍ରାମେ ଦେଲାବେଳେ ବିପଦ ହରିନିଅ ସର୍ବ ସମ୍ପଦ

ତାହା ଦେଖି ନ ଚଳଇ ହସ୍ତପଦ

ସେପରି ଦଶାରୁ ମୋତେ ଉଦ୍ଧର | ୫ |

ଦେବତାଙ୍କ ମୁଖ ପାବକ ରସନା ହଜାରେ ସଂଖ୍ୟକ

ସ୍ଵାହା ସ୍ଵଧା ପତି ସ୍ତୁତି ତୁମ୍ଭ ପ୍ରତି

ନିତି ଗରିବ ଗୋକୁଳାନନ୍ଦର | ୬ |

 

ଗୀତ – ୧୦

କହୁଅଛି ବହୁ ସ୍ତବ କରି ମେଘନାଦ

ରହୁବର ଚଢ଼ି ମୁହିଁ ଯିବି କରି ଯୁଦ୍ଧ | ୬୫ |

ରାମ ଲକ୍ଷ୍ମଣଙ୍କୁ ପ୍ରାଣେ କରିବି ମୁଁ ବଧ

କାମନା ପୂର୍ଣ୍ଣ କରିବି ଆହେ ଉର୍ଷବୁଧ | ୬୬ |

ବୈଶାନର କହିଲେ ଯେ ହୋଇ ମହାକ୍ରୋଧ

ଦିନରାତି ଦେଉଅଛୁ ଘୃତ ଓ ସମିଧ | ୬୭ |

ବର ପଇବାକୁ ମନେ କରିଣ ବିଚାର

ବାରମ୍ବାର ପୂଜା କରୁଅଛୁ ଦୂରାଚାର|୬୮|

ଯେଉଁବର ମାଗିଲୁ ତୁ ନ ପାରିବି ଦେଇ

କେଉଁ ରୂପେ ନମରନ୍ତି ସେହି ଦୁଇଭାଇ  |୬୯|

ଦଶାନନ ବଂଶଯାକ ମାରିବ କାରଣ

ରସାମଧ୍ୟେ ଜାତ ହୋଇଛନ୍ତି ନାରାୟଣ |୭୦|

ସବୁବେଳେ ରାମଙ୍କର ଅଟେ ମୁଁ ସେବକ

ଦେବି ଏ ବର କିପରି ଆରେ ଅବିବେକ  |୭୧|

ଏତେ କହି ଅନ୍ତର୍ଦ୍ଧାନ ହେଲେ ବୈଶ୍ଵାନର

ଚିତ୍ତେ ବିଚାରଇ ଦଶାନନର କୁମର |୭୨|

କପଟ ନ କଲେ ଜିଣି ନୁହେଁ ବାନରଙ୍କୁ

ଝପଟିଲା ଯଜ୍ଞସ୍ଥଳୁ ଆପଣା ପୁରକୁ |୭୩|

ଜମ୍ବୁମାଳୀ-ନନ୍ଦନ ଅଟଇ ସିଂହନାଦ

ସବିକଥା ତାହାକୁ କହିଲା ମେଘନାଦ |୭୪|

ମାୟାସୀତା କରି ଆଣି ଦେବୁଟି ବହନ

କାୟା ଏକାପରି ହେବ ନ ହୋଇବ ଭିନ୍ନ | ୭୫|

ହୁକୁମ ପାଇ ଦଉଡ଼ି ଗଲା ସେ ରାକ୍ଷସ

ନିଜ ଭଗ୍ନୀ ସୁକାନ୍ତିକି ଡକାଇଲା ପାଶ |୭୬|

ପାଶରେ ବସାଇ ଭାଷେ ଶୁଣ ଲୋ ଭଉଣୀ

ରାମ-ଲକ୍ଷ୍ମଣ ବନରୁ ବାନରଙ୍କୁ ଆଣି |୭୭|

ନାଶ କଲେ ବହୁତ ଅସୁର ଅସୁରୁଣୀ

ତହି ଯେବେ ବିଚାର କରିବୁ ଲୋ ତରୁଣୀ |୭୮|

ତୋହ ଯୋଗେ ଲଙ୍କାଗଡ଼ ରକ୍ଷା ହେବ ପୁଣି

ଅବିକଳ ସୀତାରୂପ ହେବୁ ଏହିକ୍ଷଣି |୭୯|

ତୋତେ ନେଇ ରାମଚନ୍ଦ୍ର କରିବ ଘରଣୀ

ଅଯୋଧ୍ୟା କଟକରେ ତୁ ହେବୁ ପାଟରଣୀ |୮୦|

ସୀତା ବୋଲି ତୋତେ ଫେରାଇବ ବିଂଶପାଣି

ତୋତେ ପାଇ ରାମ ଯିବ କପଟ ନ ଜାଣି |୮୧|

ସୁକାନ୍ତି ସୋଦରଠାରୁ ଶୁଣି ଏ ଭାରତୀ

ସ୍ଵକାନ୍ତି ବରଜି ହେଲା ଜାନକୀର ମୂର୍ତ୍ତି |୮୨|

ଜମ୍ବୁମାଳୀ-ପୁତ୍ର ନୋଲା ମେଘନାଦ କତି

ଦେଖି ରାବଣ-କୁମର ଲଭିଲା ତୃପତି |୮୩|

ରଥରେ ବସାଇ ତାକି ଚଳିଲା ଝଟତି

ପଛରେ ବହୁତ ଦୈତ୍ୟ ଗୋଡ଼ାଇ ଅଛନ୍ତି |୮୪|

ରେ ରେ କାର କରି କେତେ ପହିଜ କରନ୍ତି

ଏହା ଦେଖି ବାନରଙ୍କୁ କହଇ ମାରୁତି |୮୫|

ଋକ୍ଷ ବାନର ଯେତେକ ଏହିଠାରେ ଅଛ

ବୃକ୍ଷ ପର୍ବତ ପଥର ଧରି ଆସ ପଛ |୮୬|

ଏଥର ଅସୁର କୁଳ କରିବା ନିପାତ

ଏହା କହି ଦଉଡ଼ିଲା ପବନର ସୁତ  |୮୭|

ପିତାଠାରୁ ଅତିବେଗେ ଗଲା ହନୁମାନ

ସୀତାଙ୍କୁ ଦେଖିଲା ଇନ୍ଦ୍ରଜିତ ସନ୍ନିଧନ |୮୮|

କେଶ ଧରି ମେଘନାଦ ଦେଉଅଛି ଦୁଃଖ

କ୍ଳେଶପାଇଁ ମାୟାସୀତା ଶୁଖାଇଛି ମୁଖ |୮୯|

ହନୁମନ୍ତଙ୍କୁ ଦେଖିଣ କହେ ଆରେ ବାବୁ

ଦନୁଜ ହାତରେ କଣ ମୋତେ ମରାଇବୁ |୯୦|

ବନୁ ଚୋରାଇ ଆଣିଲା ପାପିଷ୍ଠ ରାବଣ

ଅନୁଭବ କଲି ଯାହା କରିଛି ଶ୍ରବଣ |୯୧|

ଏକା ତୁହି ପରା ଭାଙ୍ଗିଲୁ ଅଶୋକ ବନ

ଲଙ୍କା କଟକକୁ ବାବୁ କରିଲୁ ଦହନ |୯୨|

ତୋହ ଆଗେ ମୋହର ଯେ ଦେଉଛି ଏ ଦଶା

ଦେହ କିପରି ସହୁଛି ଶୁଣ ଦୈତ୍ୟଭାଷା |୯୩|

କଷଣ ଦେଉଛି ନାନା ମତେ ଦୈତ୍ୟ ମୋତେ

ଭୂଷଣ କି ଏହିକଥା ହେଇଅଛି ତୋତେ |୯୪|

ରାଗ ହୋଇ ମେଘନାଦ କହେ ରେ ବାନର

ଲାଗଇ ୟା ଘେନି ତମ ଆମର ସମର |୯୫|

ଆଗରେ ତୋର ବଧିବି ଶ୍ରୀରାମ-ବନିତା

ବେଗରେ ତାହାକୁ ଯାଇ ଦିଅଏ ବାରତା  |୯୬|

ମାରୁଅଛି ଏହାକୁ ମୁଁ ତୋର ସମ୍ମୁଖରେ

ପାରୁ ଯେବେ ମାରୁତି ରେ ରକ୍ଷାକର ଖରେ|୯୭|

ଏହା କହି ଖଡ଼ଗରେ କାଟିଲା ତା ଶିର

ମହା ଶୋକରେ ଫେରିଲା ପବନ କୁମର |୯୮|

ରଥ ଫେରାଇ ଇନ୍ଦ୍ରାରି ଗଲା ନିଜ ପୁର

ପଥରେ ହନୁମନ୍ତକୁ ଦେଖି ନଳବୀର |୯୯|

ପଚାରଇ ଆରେ ହନୁ କାହିଁକି ବିରସ

ବ୍ୟସ୍ତ ହୋଇ କହେ ତାକୁ ପବନର ଶିଷ୍ୟ  |୧୦୦|

ଯାହାପାଇଁ ଆମ୍ଭେମାନେ କରିଥାଇ ରଣ

ତାହା ସବୁ ଆଜି ଭାଇ ହେଲା ଅକାରଣ |୧୦୧|

ଯୁଦ୍ଧଭୂମିକୁ ସୀତାଙ୍କୁ ଇନ୍ଦ୍ରଜିତ ଆଣି

ବଧ କଲା ସ୍ଵହସ୍ତରେ ଖଡ଼ଗରେ ହାଣି |୧୦୨|

ନଳ ଶୁଣି ଏ ସକଳ ହୋଇଲା ବିକଳ

ରମଙ୍କ ନିକଟେ ଯାଇ ମିଳିଲେ ଚଞ୍ଚଳ |୧୦୩|

କରପତ୍ର ଯୋଡ଼ି କହେ ପବନକୁମର

କର ଅବଧାନ ପ୍ରଭୁ ହେ କୋଦଣ୍ଡଧର |୧୦୪|

ଯାହା ପାଇଁ ଆମ୍ଭେମାନେ କରୁଥିଲୁ ରଣ

ତାହା ସବୁ ପ୍ରଭୁ ଆଜି ହେଲା ଅକାରଣ |୧୦୫|

ସଙ୍ଗରେ ସୀତାଙ୍କ ଆଣି ରାବଣ-ନନ୍ଦନ

ମୋ ଆଗରେ କଲା ତାଙ୍କ ମସ୍ତକ ଛେଦନ |୧୦୬|

ଶୁଣି ରଘୁମଣି ହେଲେ ବିଶେଷ ଅଥୟ

ସଙ୍ଗେ ଘେନି ବିଭୀଷଣ ସୁମିତ୍ରା-ତନୟ |୧୦୭

ଋକ୍ଷ କପି ସୈନ୍ୟ ସେନାପତି ଥିଲେ ଯେତେ

ବ୍ୟାକୁଳରେ ଗୋଡ଼ାଇଲେ ପଛରେ ସମସ୍ତେ|୧୦୮|

ମାୟାସୀତା ଶବଠାରେ ହେଲେ ପରବେଶ

କାୟାକୁ ଅବଲୋକନ କଲେ ସୀତାଈଶ |୧୦୯|

ନଖ ମୁଖ ନାସିକାରେ ନାହିଁ କିଛି ଭିନ୍ନ

ଦେଖି ଶୋକକଲେ ଦେବ କମଳଲୋଚନ |୧୧୦|

ଭଣିଲା ଗୋକୁଳାନନ୍ଦ ରାମାୟଣ ରସ

ଶୁଣି ଗୁଣିଜନମାନେ ଲଭିବ ସନ୍ତୋଷ |୧୧୧|

 

ଆଦ୍ୟ ପ୍ରାନ୍ତ ସ ଅନୁପ୍ରାସ

 

ଗୀତ – ୧୧

ସଜ ସରୋଜ ନେତ୍ରୀ ଦେଇ ପରାସ

ସଜନୀ ରେ କରିଗଲୁ ତୁ ନିରାଶ । ପଦ।

ସହି ସହି ନ ପାରି ତୁ ବିରହ କ୍ଲେଶ

ସଦନେ ନ ରହି ବନେ କଲୁ ନିବାସ

ଶରଧା କଲୁ ହେମମୃଗ ଦେଖି ନାରୀଶ

ଶର ଧରି ମୁଁ ଗଲି କରିବାକୁ ବିନାଶ।

ସଉମିତ୍ରିକୁ ପେଶି ଦେଲୁ ତୁ ଲଭି ତ୍ରାସ

ସମୀପରେ ମିଳିଲା ବହି ତପସ୍ଵୀ ବେଶ

ସତ୍ଵରେ ସେ ଚତୂରେ ଚୋରୀ କଲା ଦଶାସ୍ୟ

ଶଙ୍କା ଦେଖାଇଲା ସେ କରିବା ପାଇଁ ବଶ ।

ସଶୋକେ ଅଶୋକରେ କଟାଇଲୁ ଦିବସ

ସଜନୀ ରେ ବନରେ ଲଭି ଅନେକ ତ୍ରାସ

ସମ୍ଭାଳି ନଭାଳି ଭୋକ ଶୋଷ ୧।

 

ସରିଗଲା ସତେ କି ସତୀ ତୋ ଆୟୁଷ

ସଂହାର କଲା ଏ ଦୁରାଚାର ରାକ୍ଷସ

ଶଯ୍ୟା ତୂଳୀରେ ତୋତେ ସୁଖ ନ ହୁଏ ଲେଶ

ସର୍ବଂସହା ଧୂଳିରେ ଲୋଟିଲୁ ରେ ବାଳୀଶ

ସହି ! ନଶ୍ଵର ଦେହ ହେବ ଏବେ ପାଉଁଶ

ଶସଧର-ଲପନା ବାରେ କୋଳକୁ ଆସ

ସନ୍ତାପିତ ପତିର ଶୁଣା ମଧୁର ଭାଷ

ସନ୍ନିଧିରେ ସଧୀରେ ରସନିଧି ରେ ବସ ।

ସରୁଛି ସରୁମଧ୍ୟା ଆଜୁଁ ଭୋଗ ବିଳାସ

ଶରୀରମଧ୍ୟେ ଆଉ ରହୁନାହିଁ ସାହାସ ।

ସକଳ ବିଷୟ ହେଲା ବିଷ ।୨।

 

ଶକ୍ତିମନ୍ତେ ପକା ଏକା ଥିବାରୁ ବିଶ୍ଵ

ସମର୍ପିଲେ ତୋତେ ପିତା କରି ବିଶ୍ଵାସ

ସବିତା ବଂଶେ ମୁହିଁ ଲଗାଇଲି କଳୁଷ

ସଂସାରେ ଖ୍ୟାତ ହେଲା କେବଳ ଅପଯଶ 

ସମସ୍ତେ କହିବେ ତ ଶ୍ରୀରାମ କାପୁରୁଷ

ସହଧର୍ମିଣୀ ହେଲା ପରଦ୍ଵାରା ବିନାଶ ।

ସଂଗ୍ରହ କରିଥିଲି ବହୁତ ଋକ୍ଷ କୀଶ

ସବୁ ତ ଅକାରଣ ଏବେ କରିବି କିସ ।

ସର୍ବେ କି ବୋଲିବେ ମୁଁ ଗଲେ ଅଯୋଧ୍ୟା ଦେଶ

ସମ୍ପଦ ସରିଗଲା ଆଚରିବି ସନ୍ନ୍ୟାସ

ସମୁଦ୍ରେ ତୋ ଯୋଗେ ଦେବି ଝାସ ୩।

 

ସପତ୍ନୀ ମାତା ଯେ ପୀୟୁଷେ ଦେଲେ ବିଷ

ସକାଳ ହୋଇଲେ ହୋଇଥାନ୍ତି ନରେଶ

ସତ୍ୟ କରାଇଲେ ସେ ଦୟା ନ ବହି ଲେଶ

ସହଳେ ଯିବ ରାମ ବନେ ଚୌଦ ବରଷ

ସତ୍ୟ ରଖିବା ପାଇଁ ନ ରହିଲି ଉଆସ

ସଖି ରଖି ତୁ ମୋର ପାଦପଦ୍ନେ ମାନସ

ସହିତରେ ଅଇଲୁ ଶୋଇଲୁ ପାରି ଘାସ

ସନ୍ତୋଷ ମନେ ଫଳମୂଳ କଲୁ ତୁ ଗ୍ରାସ

ସଙ୍ଗତରେ ନ ନେଲୁ ଦେଖି ମୋର କି ଦୋଷ

‘ସ’ ବର୍ଣ୍ଣ ପଦ ଆଦ୍ୟେ ପ୍ରାନ୍ତେ କରିଲି ନ୍ୟାସ

ଗୋକୁଳାନନ୍ଦ କଲା ପ୍ରକାଶ ୪।

 

ଗୀତ – ୧୨

ଗାୟକ ଭାଷେ ବିଭୀଷଣ ରଘୁନାଥଙ୍କୁ

ଆସେ ଏହିକଥା ମୋର ମନକୁ  ୧୧୨।

 

ପାଳିଆ  ଯାହାର ପୋଖରୀ ତାହାର ହୁଡ଼ା

ହୁଡ଼ା ତଳେ ତଳେ ଯାଆ ରେ ବୁଢ଼   ୧୧୩।

 

ଗାୟକ ଦଶାନନ ଗଲା ପଞ୍ଚବଟୀକୁ

ବସାଇ ଆଣିଲା ରଥେ ସୀତାଙ୍କୁ ୧୧୪।

 

ପାଳିଆ ଗିଳଇ ମଣିଷ କରଇ ବାନ୍ତି

କହିବ ସୁଜନେ ଏ କେଉଁ ଜାତି ? (କୁରୁତା) ।୧୧୫।

 

ଗାୟକ  ଫେରାଇ ନ ଦେଲା କହିଲେ ଯେତେ,

ମରାଇଲା ପୁଅ ନାତି ସହିତେ   ୧୧୬।

 

ପାଳିଆ ଜଳମଧ୍ୟେ ଥାଇ ତିନ୍ତଇ ନାହିଁ

ଲାଞ୍ଜଟିଏ ଅଛି ଜୀବ ନୁହଇ

କହିବ ପିଲାଏ କେଉଁ ପଦାର୍ଥ,

ନ କହିଲେ ହେବ ବଡ଼ ଅନର୍ଥ । (ଜରଳ) ।୧୧୮।

 

ଗାୟକ ଡରାଇ ରଖିଛି ଅଶୋକ ବଣେ,

ଘେରାଇ ସର୍ବଦା ଅସୁରୀ ଗଣେ  ୧୧୯।

 

ପାଳିଆ ଦଶଶିର ବହି ନୁହେଁ ରାବଣ

ଚକ୍ର ବହିଛି ନୁହେଁ ନାରାୟଣ  (ଜହ୍ନି) ୧୨୦।

 

ଗାୟକ ଚୋରାଇ ଆଣିଲା ବସୁଧା ପୁତ୍ରୀ

ହରାଇଲା ରାଜ୍ୟ ଜନ ସମ୍ପତ୍ତି ୧୨୧।

 

ପାଳିଆ ଆଣିଥିଲେ ମୂଳା ସିଂଘାକୁ ରସି,

କାନ୍ଦୁଥିବୁ ହିଡ଼ ମୁଣ୍ଡରେ ବସି ୧୨୨।

 

ମରାଇବା କଥା କୁମର କରେ,

ବିଶ୍ଵାସ ନ ଆସେ ମୋର ମନରେ ।୧୨୩।

 

କାୟା ବଦଳାଇ କେ ଦଇତୁଣୀ

ମାୟା ସୀତା ହୋଇ ଅଛଇ ପୁଣି ୧୨୪।

 

ଜାୟା ନୁହଁଇ ଏ କେବେ ତୁମର

ଭୟାତୁର ନୁହଁ କୋଦଣ୍ଡଧର ୧୨୫।

 

ଦୟାନିଧି ଅଟ ରଘୁନନ୍ଦନ

ବାୟାପରି କିମ୍ପା କର ରୋଦନ ୧୨୬।

 

ଜାମ୍ବବାନ କହେ ହେ ବିଭୀଷଣ,

ପବନର ପୁଅ ଯାଉ ଏକ୍ଷଣ  ୧୨୭।

 

ଯବନ ଅଶୋକ ବନକୁ ଯିବ,

ସେ ବନେ ଯେବେ ସୀତା ନ ଦେଖିବ ୧୨୮।

 

ସନ୍ଦେଶ ବୁଜିବ ତ୍ରିଜଟାଠାରୁ

ସନ୍ଦେହ ତୁଟିବ ଆମ୍ଭ ମନରୁ  ୧୨୯।

 

ମନକୁ ଆସିଲା ବିଚାର ଗୋଟା,

ହନୁମାନ ଗଲା ଅଶୋକ ତୋଟା ୧୩୦।

 

ଭାଷଇ ତ୍ରିଜଟା ସୀତାଙ୍କୁ ଚାହିଁ

ବିଷୟ ଆଜିର ଶୁଣ ଗୋ ସହୀ ୧୩୧।

 

ସିଂହନାଦ ଭଗ୍ନୀ ଅଟେ ସୁକାନ୍ତି,

ଧରିପାରେ ନାନା ପ୍ରାଣୀର କାନ୍ତି ୧୩୨।

 

କପଟେ ହେଲା ସେ ତୋହରି ରୂପ,

ଧପଟିଲା ତାହା ଘେନି କୌଣପ ୧୩୩।

 

ରଥରେ ବସାଇ ପଥରେ ଗଲା,

ପଥର-ତାରଣେ ଢୁଳାଇ ଦେଲା ୧୩୪।

 

ଅସିଧରି କରେ କୁମର ମଣି,

କଷି କରି ଦେଲା ବେକକୁ ହାଣି ୧୩୫।

 

ହସି ହସିକରି ଆସିଲା ପୁରେ,

ଭାଷିଲା ଏ କଥା ପିତା ଆଗରେ ୧୩୬।

 

ନାଶିଅଛି ମୁହିଁ ମାୟାସୀତାକୁ

ଖସିବ ଏଥର ଯତି ଘରକୁ  ୧୩୭।

 

ଜାନକୀ କହିଲେ ଗୋ ପ୍ରିୟ ସହୀ

ଆନ କିଏ ମୋତେ ଥାଆନ୍ତା କହି ୧୩୮।

 

ଭାଳିତିବେ ବସି ରଘୁ-ଦୁଲାଳ

ଜାଳୁଥିବ ଦେହ ଶୋକ-ଅନଳ ୧୩୯।

 

ଖବର ସେଠାକୁ ପଠା ସତ୍ଵର

ଶବ ଛାଡ଼ିଯାନ୍ତୁ ସ୍ଵାମୀ ଦେବର ୧୪୦।

 

ତ୍ରିଜଟା ଏକଥା ଯହୁଁ ଶୁଣିଲା

ନିଜ ଶରୀରକୁ ବଦଳାଇଲା।୧୪୧।

 

ଚଢ଼େଇ ରୂପରେ ରହିଣ ଖରେ

ସତକଥା କହି ଚଳିଲା ଘରେ ୧୪୨।

 

ଜଟପଟଧାରୀ ଗଲେ ସୁବଳ

ଛଟପଟେ ହେଉଥିଲେ ବିକଳ।୧୪୩।

 

ସ୍ନାନ ତର୍ପଣାଦି କାର୍ଯ୍ୟକୁ ସାରି,

ଆନନ୍ଦେ ରହିଲେ କୋଦଣ୍ଡଧାରୀ ୧୪୪।

କର ଅନୁଗ୍ରହ କୋଦଣ୍ଡ-କର

ଖରପର ଆହେ ବୀର ଶେଖର ୧୪୫।

 

ଅଧିକ ମାଗୁଣି ନାହିଁ ମୋହର

ଜାନକୀବଲ୍ଲଭ ହେ ରଘୁବୀର ୧୪୬।

 

ମାତାପିତା ସୁତ ନାମ ଯୋଗରେ

ସୀତା ପତି ଜଣାଉଛି ଆଗରେ ୧୪୭।

 

ମରିବା ବେଳରେ ନାମ ସ୍ମରଣ

କରିବ ଗୋକୁଳାନନ୍ଦ କରଣ।୧୪୮।

 

ଗୀତ – ୧୩

ଗୁଣବନ୍ତ ଜନେ ଶୁଣ ଶୁଦ୍ଧମନେ ରାମାୟଣ ରସ ସାର,

ଶ୍ରୀରାମ ଛାମୁରେ ଛାମୁକରି କହେ ବିଶ୍ରବା ସାନ କୁମର ୧।

ସମରଭୂମିରୁ ଅମରାରି ଯାଇ ନିକୁମ୍ଭିଲା ବଟ ତଳେ,

ହୋମ କରୁଅଛି ଧୂପ ଦିଶୁଅଛି ସୁମରି ଦେବ ଅନଳେ ୨।

ବାହାରିବ ରଥ ନ ହାରିବ ସେ ତ ତହିଁ ବସି କଲେ ରଣ

ଦେବଦଳନ ତା ନାମ ସେହିପରି କାମ ଦେବ ସେତ ଜାଣ ୩।

ଏତିକି ବେଳରେ ବାନର-ପନ୍ତିକି ନେଇ ତା କତିକି ଗଲେ,

ନ ରଖି ଭୀତିକି ବିଶ୍ରବା-ନାତିକି ମାରିବା ସମର କଲେ ୪।

 

ବିଚକ୍ଷଣ ସୁଲକ୍ଷଣବନ୍ତ ତବ ଅନୁଜ ଲକ୍ଷ୍ମଣ ବୀର,

ଏକ୍ଷଣ ଈକ୍ଷଣ ପକାଅ ଆପଣ ପଠାଅ ହେଳା ନ କର ୫।

ରାଘବ କହିଲେ ମେଘନାଦ ବାଘ ତା ଆଗରେ ମୃଗ କପି,

ପ୍ରକାଶ ନ ହୋଇ ଆକାଶ ମାର୍ଗରେ ଯୁଦ୍ଧ କରେ ଛପି ଛପି ୬।

 

ଟାଣ ବାଣଗଣ ରଣରେ ରାବଣ- କୁମର କରେ ପ୍ରହାର

ସୁମିତ୍ରା-କୁମରେ ତା କୂଟ ସମରେ ପେଶିବି ନାହିଁ ବିଚାର ୭।

ବିଭୀଷଣ ଭଣି ଶୁଣ ରଘୁମଣି ପିଲାଦିନେ ଇନ୍ଦ୍ରରିପୁ,

ନିତାନ୍ତ ବ୍ୟସ୍ତରେ ବ୍ରହ୍ମାଙ୍କୁ ଚିନ୍ତିଲା ଶୁଖାଇଲା ନିଜ ବପୁ ୮।

 

କଷ୍ଟ ଦେଖି ଅଷ୍ଟନେତ୍ର ତୁଷ୍ଟ ହୋଇ ସ୍ପଷ୍ଟ ରୂପେ ଦେଖାଦେଲେ

ପଚାରି ବିଚାରି ବିଚାରି ସେ ଚାରିମସ୍ତକ ଏହା କହିଲେ ୯।

ବରତଳେ ହୋମ କଲେ ବୀରବର ବାହାରିବ ରହୁବର,

ବର ଦେଲି ତହିଁ ବସି ରଣ କଲେ ଶୂର ହେବ ହରବର ୧୦।

 

ବାର ତୁ ହୃଦର ବାରବେନିପୁର ଜିତିବୁ କଲେ ସମର

କିନ୍ନର, ଗନ୍ଧର୍ବ, ଯକ୍ଷ, ରକ୍ଷ, ସର୍ବ ସମ ନୋହିବେ ଅମର ୧୧।

ଆହାର ବିହାର ବାରବର୍ଷ ନିଦ୍ରା ଛାଡ଼ିଥିବ ଯେଉଁ ନର,

ଯଜ୍ଞ ଭାଙ୍ଗିବ ସେ ତା ହାତେ ମରଣ ନିଶ୍ଚେ ହୋଇବ ତୋହର ୧୨।

 

ଶୁଣି ରଘୁମଣି ଭଣିଲେ, ଏପରି ପ୍ରାଣୀ କେ ନ ଥିବ ମହୀ

ନ ମରିବ କଦାଚନ ଯାତୁଧାନ ନ ପାଇବି ବଇଦେହୀ ୧୩।

କରୁଣାନିଧାନ ପ୍ରଧାନ ଋକ୍ଷ କପିଙ୍କି ପୁଚ୍ଛିଲେ,

କେହି ଜଣେ ଏହି କଥା ପାଳିନାହିଁ ବୋଲି ନାହିଁ ନାହିଁ କଲେ ।୧୪।

 

ଜାମ୍ବବକୁ ଚାହିଁ ରଘୁକୁଳ ସାଇଁ କହନ୍ତି ହେ ମନ୍ତ୍ରୀବର,

ଅଧୀରହୃଦୟ ପୋଥି ଦେଖି କହ ପୃଥ୍ଵୀରେ ଏପରି ନର ୧୫।

ଅଛି କି ନ ଅଛି ପୁଚ୍ଛି ରଘୁବତ୍ସି ଭାଷନ୍ତି ଜାମ୍ବବ ମନ୍ତ୍ରୀ

ଆହାର ମୈଥୁନ ନିଦ୍ରା ଛନ୍ତି ତେଜି ତବ ଭ୍ରାତା ସଉମିତ୍ରି ୧୬।

 

କମଳ ଈକ୍ଷଣ ପୁଚ୍ଛିଲେ ତକ୍ଷଣ କହ ରେ ଲକ୍ଷ୍ମଣ ଭାଇ,

ଏ ନିଷ୍ଠାରେ ରହିଛୁକି ବାରବର୍ଷ ତୁହି ନ ଖାଇ ନ ଶୋଇ ୧୭।

ବଦତି ସୌମିତ୍ରି ଏହିପରି ନୀତି ପାଳିଅଛି ମୁହଁ ନିତି,

ମାରିବି ମୁଁ ଅସୁରକୁ ରଘୁପତି ମତିରେ ନକର ଭୀତି ୧୮।

 

କହିଲେ ରାଘବ ଯାଅ କପିସର୍ବ ମୋ ଭାଇ ପାଖରେ ଥିବ,

ବୁଝି ସମୁଝି ଯୁଝିବ ତାହାସଙ୍ଗେ ମଝିଗୋଳକୁ ନ ଯିବ ୧୯।

ଅଛି ଯେତେ ଅସ୍ତ୍ର ଧରି ଗଛ ବୃଚ୍ଛ କେବା ଖଣ୍ଡ ଧରାଧର

ତରତର ହୋଇ ବାହାରିଲେ ଆଜ୍ଞା ଦେବାରୁ କୋଦଣ୍ଡଧର ୨୦।

 

କାମଜିତ ଅଭିରାମ ରାମ ତାଙ୍କ ପଛେ ପଛେ କଲେ ଗତି,

ଯୋଡ଼ିଛି ଗୋକୁଳାନନ୍ଦ ପଦ ତାଙ୍କ ପଦ ଦ୍ଵନ୍ଦ୍ଵ ହୃଦେ ଚିନ୍ତି ୨୧।

 

ଗୀତ – ୧୪

ବତାସରେ ଯଥା ଶିମୁଳି ତୂଳା ଆସଇ ଉଡ଼ି,

ମେଘନାଦ ହୋମସ୍ଥାନକୁ ସୈନ୍ୟ ଗଲେ ଦଉଡ଼ି ।୨୨।

ବୃକ୍ଷରେ ବାନର ଋକ୍ଷ ଯେ କେତେକ ଗଲେ ଚଢ଼ି

ତ୍ୟାଗ କଲେ ମଳ ଅଗରେ ବସି ବାନ-ଧାଡ଼ି ୨୩।

 

ଉହାଡ଼େ ରହି କେ ପାହାଡ଼ ପିଙ୍ଗେ ପଛ ପଟରୁ

କୁଟିଲା କେ ଚୁଟି ଝିଙ୍କିଲା ଯୁଟି ଅନ୍ୟ ଦିଗରୁ ।୨୪।

କଲବଲ ହୋଇ ରାବଣି ରାବ କରି ଉଠିଲା

ବଲବଲ କରି ଅନାଇ ବାନରଙ୍କୁ ପିଟିଲା  ୨୫।

 

ଦଇତ ବହିତ୍ର ଅଇଲେ ନଈରେ ଯଥା ପାଣି

କହି ତ ନୋହିବ ତାହାଙ୍କ ସଂଖ୍ୟା କେତେ କେଜାଣି ୨୬।

ଶିଳ, ଶିଳା, ଶୈଳ ବାନର ଧରିଛନ୍ତି ହସ୍ତେ,

ଶେଳ, ଶକ୍ତି, ଗଦା, ମୁଦ୍‌ଗର, ନିଶାଚର ସମସ୍ତେ ୨୭।

 

ବଢ଼ିପରି ମାଡ଼ି ଆସନ୍ତି ରଡ଼ି ଛାଡ଼ିଣ ଘୋର

ଉଡ଼ି ଧୂଳି ଘୋଟେ ଗଗନ ଝଡ଼ିବ କି ଭୂଧର ।୨୮।

ମୋଡ଼ି ଦେଲା ତୋଡ଼ିପରି କେ କାହା ବେକକୁ କରେ

ଗୋଡ଼ି ଗୁଣ୍ଡ ହେଲା ଦଇତ-କପି ଗଡ଼ା-ଗଡ଼ିରେ ୨୯।

 

ଉପାଡ଼ି ପାହାଡ଼ ଫୋପାଡ଼ି ଭାଲୁ ମାଙ୍କଡ଼ ଗଲେ

ରୁଣ୍ଡ ହୋଇଥିବା ଦୈତ୍ୟଙ୍କ ମୁଣ୍ଡକୁ ଗୁଣ୍ଡ କଲେ ୩୦।

ଭେଟିଲେ ସୌମିତ୍ରି ରାବ-ସୁତ ପାଶରେ ଯାଇ

ରଟିଲେ ଯାହା ସେ ଗୋକୁଳାନନ୍ଦ ଯିବଟି ଗାଇ ୩୧।

 

ଗୀତ – ୧୫

କପି ବଳଙ୍କ ପ୍ରବଳ ଚହଳ ଶୁଣି ଚପଳ

ପ୍ରହରୀ ଜଣେ ଜଣକୁ ପଚାରେ ତର୍କି

ଶୀତ ହୋଇ ରବରୁତ ପୟର ପରି ପୂରିତ

ମହା ବିଷମ ଗୁପତ ହରିଏ ଏ କି

ଡରିକରି ହରିଙ୍କ ରଣ, ବିହରିବାର ଏ ପୁରେ ଧିକ ପରାଣ ୧।

 

ଶଚୀଶକଣ୍ଟକ ନିଦ୍ରା ମୁଦ୍ରାଅପଘନେ ଗଦା

ପ୍ରଦାନ କରି ପ୍ରମୋଦାମାନଙ୍କ ବାଣୀ

ମହତ ହତ ବିଧାନ ପ୍ରଧାନ ଗୁଣ ନିଧାନ

ହୋଇଲାଟି ଉଠ ଉଠ କୁମରମଣି ।

ଚକ୍ଷୁ ମଳି ଉଠେ ମଳିଷ୍ଠ, ପୁଣ୍ୟବନ୍ତ ଯତି ଗତି କଲା ବୈକୁଣ୍ଠ  ୨।

 

ଏତେ କହି ଭାରତୀକି ବେନି କନ୍ଧେ ଭାରତିକି

ମଣ୍ଡନ ହୋଇ କୋଦଣ୍ଡ କାଣ୍ଡ ଧଇଲା,

ଯମ ଦେବତାର ନାମ ବୋଇଲେ ସେ ହେବ ବାମ

ଏଣୁ ବୀରପଣ ଲେଶ ଶେଷ ନୋହିଲା

ମଣିମୟ ରଥେ ବିହରି, ବାହାରିଲା ସୁଲୋଚନା କୁଚ କସ୍ତୂରୀ  ୩।

 

ଘୁଞ୍ଚନ୍ତେ ମର୍କଟଶ୍ରେଣୀ ପାଣିକି ଦେଖାଇ ଭଣି

ଡର କିମ୍ପା ଅନୁକମ୍ପା ଦେବାକୁ ଯୋଗ୍ୟ

ହିମାଳୟ ହୃଦତଟ ଭେଦନେ ରମ୍ୟ ଲମ୍ପଟ

ଆୟୁଧ ପେଶିଲେ ତବ ବଧେ ଦୁର୍ଯ୍ୟୋଗ

ବୀରକୀର୍ତ୍ତି ସୁଧା ଭୂଷଣ, ହୋଇବେ ରାମ-ଲକ୍ଷ୍ମଣ ରାମ-ଲକ୍ଷ୍ମଣ ୪।

 

ଗୀତ – ୧୬

କହେ ସୁମିତ୍ରାସୁତ ଇନ୍ଦ୍ରଜିତରେ

କାଣ୍ଡ ଦେଖି କାଉଳା ନୁହଁ କାତରେ । ପଦ।

କି କି ଉପାୟ ଜାଣିଅଛୁ ଦଇତ ରେ

କୁକୁର ପରାଏ ଯାଉ ଆସୁ ତୁ ତ ରେ

କେ କୈତବ ଶିଖାଇଛି କେଉଁ ଦିନରେ

କୋ କଉତ୍ତମାଙ୍ଗେ କି ପଶିଛି ତୋ’ର ବାରେ

କଙ୍କଡ଼ା ପରି ପଶ ଗାତରେ।୧।

 

କଙ୍କଣ ନ ରଖିବ ତୋ ନାରୀ ହାତରେ

କୌଣସିମତେ ମରିବୁ ରଣ କ୍ଷେତ୍ରରେ

କୋକିମୁହାଁ ପାମର ଯିବୁଟି ଯମପୁର

କୈକେୟୀ ଯୋଗେ ଲଙ୍କା ହୋଇଲା ଛାରଖାର ।

କୁକ୍କୂଟ ବକ ଭାଷି ତୋ ବାପ ନାରୀଚୋର

କଙ୍କିଣୀ ବଜାଇ ତୁ ହୋଇଅଛୁ ବାହାର

କାକର ମୁଁ ତୁ ପଦ୍ମପତ୍ର ରେ।୨।

 

କକାକୋଳେ ତୋ ଜନନୀ ବସିବ ଖରେ

କି କି କୌଶଳ ଜାଣିଛୁ ଦେଖିବା ଥରେ ।

କୁକୁରଟା ହୋଇଛୁ ଯାତୁଧାନ ପାମରେ

କେ କୈରବ ସଦୃଶ ତୁ ତାଙ୍କ ମଧ୍ୟରେ ।

କହେ ଗୋକୁଳାନନ୍ଦ ଗୀତରେ  ୩।

 

ଗୀତ – ୧୭

ପଳାଅ ନ ଚଳା ପାମର

ବଳାବଳ କରି କେତେ କହିଲୁଣି

ଫଳାଫଳ ପାଇବୁଟି ଏଥର । ପଦ।

ପିଲାଜଣେ ତୁହି ଇଲାଜ ନ ଜାଣୁ

ଭଲା ଯତି ବେଶେ ଛାଡ଼ିଲୁ ଘର ।

ଉଲା ସର୍ଦ୍ଦାର ଭ୍ରାତ ତୋହର

ତାଲା ପକାଇ ମୁଁ ରଖିବି ପୁର ୧।

 

କହଇ ଗୋକୁଳାନନ୍ଦ ଆରେ ଦୁଷ୍ଟ

ତୋ ଜୀବନ ନେବ ସେ ରଘୁବୀର

ତାଙ୍କ ପୟର ପୂଜ ସତ୍ଵର

କୃତାନ୍ତ ଦାଉରୁ ହୁଅ ଉଦ୍ଧାର ୨।

 

ଗୀତ – ୧୮

ଶୁଣ ସୁଜ୍ଞ ଜନମାନେ ମନ କର୍ଣ୍ଣ ଦେଇ

ଇନ୍ଦ୍ରଜିତ ସଙ୍ଗେ ଲଢ଼େ ଊର୍ମିଳାର ସାଇଁ ୩୨।

ରାମାୟଣ ଚରିତ ଏ ରସମୟ ଗୀତ,

ଶୁଦ୍ଧ ଚିତ୍ତେ ଶ୍ରବଣ କର ସୁଧି ପଣ୍ଡିତ ୩୩।

ଏମନ୍ତେ ଅନେକ ଅସ୍ତ୍ର ମରାମରି ହେଲେ

କେହି କାହାକୁ ସମରେ ଜିଣି ନ ପାରିଲେ ୩୪।

 

ଏଥୁ ଅନନ୍ତରେ ବୀର ସୁମିତ୍ରା-ତନୁଜ

ଦେଖିଲେକ ବେଳୁବେଳ ବଢ଼େ ଦୈତ୍ୟତେଜ ୩୫।

ମନମଧ୍ୟେ ଚିନ୍ତା କଲେ ରାମଙ୍କ ଚରଣ,

ବୋଇଲେ ଏ କାଳେ ନେଲି ମୁଁ ତୁମ ଶରଣ ୩୬।

 

ପାଷାଣ ମାନବୀ ହେଲା ତୁମ ପରସାଦେ,

ସଦା ଥାଅ ତୁମେ ସୀତାଦେବୀଙ୍କର ହୃଦେ ୩୭।

ଅନୁଗ୍ରହ କରି ସାହା ହୁଅ ଏତେବେଳେ

ଦୁର୍ଜୟ ରାକ୍ଷସ ଶିର ଛିଡ଼ି ପଡ଼ୁ ତଳେ ୩୮।

ପାଦପଦ୍ମେ ମନ ଯହୁଁ ରଖିଲେ ଲକ୍ଷ୍ମଣ

ବିଷ୍ଣୁତେଜେ ତାଙ୍କ ତେଜ ବଢ଼ିଲା ଦ୍ଵିଗୁଣ ୩୯।

 

ଦେଖି ମହାଭୟ କଲା ରାବଣ-କୁମର,

ଦିଗ ସବୁ ଦେଖାଗଲେ ମହା ଭୟଙ୍କର ୪୦।

ଶରୀରାନ୍ତକାରୀ ନାମେ ବାଣେକ ଧଇଲା,

ଲକ୍ଷ୍ମଣଙ୍କୁ ଲକ୍ଷ୍ୟ କରି କ୍ରୋଧରେ ମାଇଲା ୪୧।

 

ବୀର ବିଦାରଣକାରୀ ଅଟଇ ସେ ଶର,

ବିଷଧାରୀ ସର୍ପତୁଲ୍ୟ ମହା ଭ୍ୟଙ୍କର ୪୨।

ଦେହ ତାର ସୁବର୍ଣ୍ଣରେ ହୋଇଛି ମଣ୍ଡନ

ଘେନି ପାରଇ ସେ ଦେବ ଦାବନ ଜୀବନ ୪୩।

 

ତାହା ଦେଖି ବୀରବର ଲକ୍ଷ୍ମଣ ସୁମତି

ପୂର୍ବେ ଯେଉଁ ଅସ୍ତ୍ର ଦେଇଥିଲେ ଶଚୀପତି ୪୪।

ବାହୁବଳେ କରିଥିଲେ ଦାନବ-ସଂହାର

ସେହି ଇନ୍ଦ୍ର ଅସ୍ତ୍ର କଲେ ତୂଣୀରୁ ବାହାର  ୪୫।

 

ବୋଇଲେ ସେ ଅସ୍ତ୍ରରାଜ ମୁଖକୁ ଅନାଇଁ

ନିଶ୍ଚୟ ଧାର୍ମିକ ଯେବେ ପ୍ରଭୁ ରଘୁସାଇଁ  ୪୬।

ସବୁବେଳେ ସତ୍ୟେ ଯେବେ ଥାଏ ତାଙ୍କ ମନ

ଏହି ଅସ୍ତ୍ରେ କର ଦୈତ୍ୟ ମସ୍ତକ ଛେଦନ  ୪୭।

 

ଏହା କହି ଛାଡ଼ି ଦ୍ୟନ୍ତେ ନାରାଚ ଚଳିଲା,

ଶୂନ୍ୟମାର୍ଗେ ଇନ୍ଦ୍ରଜିତ-ବାଣକୁ କାଟିଲା  ୪୮।

ମହାଭୟଙ୍କର ରୂପ ଧଇଲା ସେ କାଳେ,

ତାର ତେଜ ଇନ୍ଦ୍ରଜିତ ଦେଖି ବେନି ଡୋଳେ ୪୯।

 

ଯେତେ ପ୍ରତି ଅସ୍ତ୍ର କଲା ସବୁ ଗଲା ଜଳି,

କାଟି ପକାଇଲେ ଯାଇ ଦୈତ୍ୟର ମଉଳି  ୫୦।

କୁଣ୍ଡଳସହିତେ ମୁଣ୍ଡ ପଡ଼ିଲା ଭୂତଳେ,

ହାହା କାର ଧ୍ଵନି କରି ରାକ୍ଷସ ସକଳେ  ୫୧।

 

ପଳାଇଲେ ପ୍ରାଣଭୟେ ବେଗେ ଲଙ୍କାପୁରେ

ପଛରୁ ଗୋଡ଼ାଇ ତାଙ୍କୁ ମାଇଲେ ବାନରେ  ୫୨।

ଯେଉଁ ପରି ଅସ୍ତ ହେଲେ ଦେବ ଦିବାକର,

ତାଙ୍କ ସଙ୍ଗେ ଲୁଚିଯାଏ କିରଣ ନିକର   ୫୩।

 

ସେହିପରି ଇନ୍ଦ୍ର-ଅସ୍ତ୍ର ବଧେ ନିଶାଚର,

ଶରୀରକୁ ଲୁଚାଇଲେ ଦିଗ-ଦିଗନ୍ତରେ  ୫୪।

ଇନ୍ଦ୍ର-ଅସ୍ତ୍ରେ ବଧ ହୋଇ ଇନ୍ଦ୍ରର ଅଇରି

ଦେଖାଗଲା ରଶ୍ମିହୀନ ଦିବାକର ପରି ୫୫।

 

ଲିଭିଲା କି ଜଳିଥିବା ପ୍ରଚଣ୍ଡ ଅନଳ,

ଦେଖି ଅତି ଆନନ୍ଦିତ ହେଲେ ଦିଗପାଳ ୫୬।

ସ୍ଵର୍ଗ ଅପସରାଗଣ ଆନନ୍ଦେ ନାଚିଲେ,

ଗନ୍ଧର୍ବ ଗନ୍ଧର୍ବୀ ବାଦ୍ୟ ବଜାଇ ଗାଇଲେ  ୫୭।

 

ପୁରନ୍ଦରଙ୍କର ମୁଖପଦ୍ମ ବିକଶିଲା,

ଦୁନ୍ଦୁଭିନାଦରେ ସ୍ଵର୍ଗ ଭୁବନ କମ୍ପିଲା ୫୮।

ପାରିଜାତ ପୁଷ୍ପେ ଶୋଭା ପାଇଲେ ଲକ୍ଷ୍ମଣ,

ଚିରଂଜୀବୀ ହୁଅ ବୋଲି ବୋଇଲେ ବ୍ରାହ୍ମଣ ୫୯।

ଏଠାରେ ସମ୍ପୂର୍ଣ୍ଣ ହେଲା ମୋହର ମାମଲା

ଗୋକୁଳାନନ୍ଦକୁ ସାହା ହେବେ ଚକାଡୋଳା ୬୦।

 

ମହୀରାବଣ ବଧ

ବନ୍ଦନା

 

ଗୀତ – ୧

ମଇଥିଳୀ ପତି ହେ ଶ୍ୟାମସୁନ୍ଦର ରାମ,

ନକ୍ତପତି ଜ୍ୟୋତି ପରି ତୁମ୍ଭ କୀର୍ତ୍ତି (ଘୋଷା)

ନଗର ବରଜି ଜଗତରେ ହେଉଅଛି ବର୍ଣ୍ଣନ

ପାୟୋଧି ବାନ୍ଧିଣ

ଲଙ୍କାପୁରେ ପ୍ରବେଶିଲ ବହନ, ହେ ୧।

ନକଲ କରୁଣା ନଜରରୁ ଊଣା

କରିବାକୁ ସିନା ମୁହିଁ ନିଉନ

‘କ’ ଅନୁପ୍ରାସେ ବୁଝ ହେ ବିଦୁଷେ

ଗୋକୁଳାନନ୍ଦ କରିଲା ରଚନ, ହେ ୨।

 

ଗୀତ – ୨

ଶୁଣ ଗୁଣବନ୍ତ ଜନେ ସ୍ଥିର କରି ଚିତ୍ତ

ଲୁଣପକା ତୁଣ ପରି ଅଟେ ଏ ଚରିତ ୧।

ଯମାଳୟକୁ ନ ଯିବ ଶୁଣି ଏ ବିଷୟ

କ୍ଷମା କରିବେ ଶେଷକୁ ସୁକୃତ ନିଶ୍ଚୟ ୨।

 

ରାମାୟଣ ବୃତ୍ତାନ୍ତ ଏ ଅଗାଧ ସମୁଦ୍ର

ସାମାନ୍ୟ ନ ମଣ ୟାକୁ ନ ପାଆନ୍ତି ରୁଦ୍ର  ୩।

ପୁତ୍ରକୁ ହରାଇ ଶୋକ କରେ ବିଂଶବାହୁ

ବଂଶ ଶେଷ ହେଲା ମୁହିଁ ନିଜେ ଥାଉ ଥାଉ ୪।

 

ମେଘନାଦ ପୁଅ ମୋର ଲଭିଲା ମରଣ,

ମଘବାକୁ ଜିନିଲା ସେ କରି ଘୋର ରଣ  ୫।

କୁମ୍ଭକର୍ଣ୍ଣ ପରା ଭାଇ ମଲା କରି ଯୁଦ୍ଧ

ବୀରବାହୁ ସ୍ଥୂଳଜଂଘ ପ୍ରାଣେ ହେଲେ ବିଦ୍ଧ ୬।

 

ତିନିପଣ ବାରଗଣ୍ଡା ପୁଅ ମୋର ଥିଲେ

କାହାଣେ ପାଞ୍ଚଗଣ୍ଡା ନାତି ସମରେ ମଲେ ୭।

ଏକା ମୁହିଁ ରହିଅଚି ଏହି ରାଜବଂଶେ

ଏକାଳେ ପ୍ରବେଶ ହେଲା ନିକଷା ତା ପାଶେ।୮।

 

କି କରୁଛୁ ପୁତ୍ର ବୋଲି ପଚାରିଲା କଥା,

କାହିଁକି ବିକଳ ହେଉଅଛୁ ଦଶମଥା ୯।

ଯେତେବେଳେ ତ୍ରିପୁରକୁ ଜିଣିଲୁ ତୁ ରଙ୍ଗେ

ସେତେବେଳେ କେଉଁ ପୁଅ ନାତି ଥିଲା ସଙ୍ଗେ।୧୦।

 

ନ କାନ୍ଦ ନ କାନ୍ଦ ବାପ ବତାଉଛି ବୁଦ୍ଧି

ନନ୍ଦନ ତୋହର ଅଛି ଅଟେ ବଡ଼ ଯୋଧୀ ୧୧।

ପାତାଳ ଭୁବନେ ରହିଅଛି ସେହିବୀର

ମହୀରାବଣ ନାମଟି ଅଟଇ ତାହାର ୧୨।

ତାହାକୁ ତୁ ସୁମରଣା କର ଆରେ ଧନ,

ରାମ-ଲକ୍ଷ୍ମଣଙ୍କୁ ନିଶ୍ଚେ କରିବ ନିଧନ ୧୩।

 

ଗୀତ – ୩

ଭାବ ନା ରେ ରାବଣ ପୁର୍ବଭାବ ଶ୍ରେଣୀକି

ପାଇବୁ କି ବହିଗଲା ପାଣିକି (ଘୋଷା)

ପାଶୋର ନ ଶୋର ଗତ ବିଷୟକୁ

କପାଳେ ବ୍ୟାକୁଳେ ମାରି ପାଣିକି,

ଚିନ୍ତା ଖାଏ ଗଣ୍ଡି ଲୁଣ ଖାଏ ହାଣ୍ଡି

କ୍ଷୀଣ ହେବୁ ଝୁରି ମଲା ପ୍ରାଣୀକି ୧।

 

ମୁଁ ତୋହର ମାତା ନ କର ତୁ ଚିନ୍ତା

ବତାଇ ଦେଉଛି ମୁହିଁ ବୁଦ୍ଧିକି,

ପାତାଳେ ରାଜନ ତୋହର ନନ୍ଦନ

ରାଜୁତି କରୁଛି ତହିଁ ରହିକି।୨।

ତାହାକୁ ସ୍ମରଣ କର ଆରେ ଧନ

ବିପଦ ପଳାଇଯିବ ତହିଁକି

ଋକ୍ଷ ହରି ଜଟାଧାରୀ ଚାଲିଯିବେ

କରଣ ଗୋକୁଳାନନ୍ଦ କହେ କି ୩।

 

ଗୀତ – ୪

କଳେ ବଳେ କଉଶଳେ ନେଇପାରେ ହରି,

ତାହାକୁ ଡ଼ରିବେ ନିଶ୍ଚେ ସେଥି ଋକ୍ଷ ହରି ୧୪।

ଜନନୀର କଥା ଶୁଣି ଭାବିଲା ଦଶାସ୍ୟ

ପାତାଳ ପୁରରେ ତାହା ଜାଣିଲା ରାକ୍ଷସ ୧୫।

ଘନଘନ କମ୍ପେ ମହୀରାବଣ ଆସନ,

ମନମଧ୍ୟେ ବିଚାରିଲା ରାବଣ-ନନ୍ଦନ ୧୬।

ବିପଦରେ ପଡ଼ି କିଏ ଡାକୁଅଛି ମୋତେ,

ଉପସ୍ଥିତ ହେବି ମୁହିଁ ତା’ପାଶେ ତୁରିତେ ୧୭।

ଖଡ଼ିଧରି ଲେଖିଲା ସେ ବୀରଙ୍କ ଉତ୍ତମ,

ପଡ଼ିଲା ସେ ଲଙ୍କାପୁର ରାବଣର ନାମ ୧୮।

ମନେ ମନେ ବିଚାରଇ ସେ କୁମରମଣି,

ଜନକ ମୋହର ତ ଅଟନ୍ତି ବିଂଶପାଣି ୧୯।

ସାଗର ମଧ୍ୟେ ତାଙ୍କର ଅଟଇ ନଗର,

ରାଗରେ ସେ ଜୟ କରିଛନ୍ତି ତିନି ପୁର ୨୦।

ନିଶାଚର ମାନଙ୍କର ଅଟନ୍ତି ଈଶ୍ଵର,

ବିପତ୍ତି ପଡ଼ିଲା ଯହୁଁ ଚିନ୍ତିଲେ ମନର ୨୧।

ନ ଗଲେ ମୁଁ ଅପରାଧୀ ହେବି ପିତାଠାରେ

ଏହା କହି ବାହାରିଲା ସେ ରାତି-ଅଧରେ ୨୨।

ମକରଧ୍ଵଜ ଦ୍ଵାରୀକି ବୋଇଲା ଡକାଇ,

ବିକଳ ହୁଅନ୍ତି ପିତା ମଞ୍ଚପୁରେ ଥାଇ ୨୩।

ତାହାଙ୍କ କିଙ୍କର ଯେଣୁ ଯିବି ମୁଁ ଅବଶ୍ୟ

ହେଳା ନ କରିଣ ବାବୁ ଦ୍ଵାର ଜଗି ବସ ୨୪।

ହରି ହରି ହେଲେ ନ ଛାଡ଼ିବୁ ଭିତରକୁ,

ଆସିବା ପର୍ଯ୍ୟନ୍ତ ଜଗିଥିବୁ ଏ ଦ୍ଵାରକୁ ୨୫।

ଏତେ କହି ବୀର ଧୂଳି ମୁଠାଏ ଧରିଲା,

ମନ୍ତ୍ର କରି ଉପରକୁ ତାକୁ ଫିଙ୍ଗି ଦେଲା ୨୬।

ଗାତ ଗୋଟିଏ ହେଲା ପାତାଳୁ ମର୍ତ୍ତ୍ୟଯାଏ,

ବାତଠାରୁ ଚଞ୍ଚଳ ସେ ବୀରବର ଯାଏ ୨୭।

ମୁହୂଁର୍ତ୍ତକେ ଲଙ୍କାପୁରେ ହେଲା ପରବେଶ,

ଦେଖିଲା ରକତ-ନଦୀ ବହୁଛି ବିଶେଷ ୨୮।

କୁଢ଼ କୁଢ଼ ହୋଇ ହାଡ଼ ମଡ଼ା ଛନ୍ତି ପଡ଼ି,

ବିଲୁଆ ଶାଗୁଣାମାନେ ଖାଉଛନ୍ତି ବେଢ଼ି ୨୯।

କେଉଁ ଦଇତ ପଡ଼ିଛି ହାତ ଗୋଡ଼ ଛିଡ଼ି,

ମାଆ ଲୋ ବାପା ଲୋ ହୋଇ ଛାଡ଼ୁଛନ୍ତି ରଡ଼ି।୩୦।

ଲଙ୍କା କଟକରୁ ଶିରୀ ଯାଇଅଛି ଛାଡ଼ି,

ଅସୁରୁଣୀ ବିକଳରେ ଛାଡ଼ୁଛନ୍ତି ରଡ଼ି ୩୧।

ଆଚମ୍ବିତ କଥା ଦେଖି ଚଳିଲା ସେ ଯୋଦ୍ଧା

ତକ୍ଷେଣ ମିଳିଲା ଯାଇ ଅଛି ଦଶମୂର୍ଦ୍ଧା ୩୨।

ଖଣ୍ଡେ ଦୂରେ ରାବଣକୁ ଦେଖିଲା ଅସୁର,

ଦଣ୍ଡବତ କଲା ମୁଣ୍ଡେ ଲଗାଇଣ ଶିର ୩୩।

ଖଣ୍ଡପରି ବଚନରେ ପଚାର ଦଇତ,

ଦଣ୍ଡ କେହୁ ଛାର ଦେଲା ତୁମକୁ ହେ ତାତ ୩୪।

ମୁଣ୍ଡରୁ ତ ମୋହର ବାହାରୁନାହିଁ ହାତ

ଧଣ୍ଡପରି ହୋଇ ରହିଅଛି ତମ୍ପସୁତ ୩୫।

ଦଶବଦନ କହଇ ଶୁଣ ରେ କୁମର,

ଦଶରଥ ନାମେ ନୃପ ଅଯୋଧ୍ୟ ଦେଶର ୩୬।

ଦେଶରୁ ବାହର କରିଦେଲା ତା ପୁଅକୁ,

ବଣେ ବସା କଲା ଘେନି ଭାଇ ଭାରିଯାକୁ ୩୭।

ରାମ ବଡ଼ ସାନ ଭାଇ ଅଟଇ ଲକ୍ଷ୍ମଣ

କାମ ସମ ହେବ ନାହିଁ ତାଙ୍କ ପରିଜଣ ୩୮।

ସୀତା ନାମେ ତା ଭାରିଯା ଜନକକୁମାରୀ

ପିତାମହ ଗଢ଼ିନାହିଁ ତାହା ପରି ନାରୀ ୩୯।

ପଞ୍ଚବଟୀରେ ସେ ବାସ କରିଣ ରହିଲା,

ପିଉସୀ ତୋ ସୂର୍ପଣଖା ବୁଲି ଯାଇଥିଲା ୪୦।

ମାରି ଦୁଇ ଭାଇଙ୍କି ନାରୀକି ଆଣି ଥାନ୍ତା

ଅଧିକ ମୋ’ ଠାରେ ପୁଣି ପ୍ରଶଂସା ପାଆନ୍ତା।୪୧।

ଏପରି ବିଚାର କରି ଗଲା ତାହା ପାଖ

ସାନ ଭାଇ ଲକ୍ଷ୍ମଣ କାଟିଲା ତାର ନାକ ୪୨।

ଖର କରି ଖର-ଦୂଷଣଙ୍କୁ ସେ କହିଲା,

ଖର କରି ରଣ କଲେ ମରଣ ହୋଇଲା ୪୩।

ହରିଣ କରିଣ ମାରୀଚକୁ ନେଲି ରଥେ,

ମାରିବା ନିମନ୍ତେ ରାମ ଗଲା ତାର ପଥେ ୪୪।

ମାରିବାର ବେଳେ ତ୍ରାହି ଲକ୍ଷ୍ମଣ ଶବଦ,

ଶୁଣିବାରୁ ଭୀରୁମଣି ହୋଇଲା ସ୍ତବଧ ୪୫।

ଲକ୍ଷ୍ମଣ ସେ ଡ଼ାକ ଶୁଣି ଗଲେ ତତକ୍ଷଣ

ଭିକ୍ଷାମାଗିବା ରୂପରେ ଗଲି ମୁହିଁ ଜାଣ ୪୬।

ହରି ହରିଣନେତ୍ରୀକୁ ଆଣିଲି ବହନ,

ମାରି ମାରୀଚକୁ ଫେରି ସେ ରଘୁନନ୍ଦନ ୪୭।

ବୈଦେହୀ କି ନ ପାଇଣ ସନ୍ଦେହ କରିଲେ,

ଜଟାୟୁ ଠାରୁ ଜଟିଆ ବାରତା ପାଇଲେ ୪୮।

ପାହାଡ଼ ଉହାଡ଼େ ସୁଗ୍ରୀବ ଯେ ଥିଲା ଡରେ,

ମିତ୍ର ହେଲେ ରାମଚନ୍ଦ୍ର ତାହାରି ସଙ୍ଗରେ  ୪୯।

ବାଳୀ କି ମାଇଲେ ରାମ ମିତ୍ରସଙ୍ଗେ ଲୁଚି,

ସମୁଦ୍ରେ ବନ୍ଧ ବାନ୍ଧିଲେ ପର୍ବତକୁ ଛନ୍ଦି ୫୦।

କେବଳ ଦୁଇଟା ନର ଭଲ୍ଲୁକ ବାନର,

ଏତେବଡ଼ ଲଙ୍କାପୁର କଲେ ଛାର ଖାର ୫୧।

କକେଇ ତୋ ବିଭୀଷଣ ତାଙ୍କ ପାଖେ ଅଛି

ଲଙ୍କାଭେଦାଭେଦମାନ ବତାଇ ଦେଉଛି ୫୨।

କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ, ମକରାକ୍ଷ ବୀର,

ଦେବାନ୍ତକ, ନରାନ୍ତକ ତରଣୀ ଆବର ୫୩।

କେତେକେତେ ବୀର ଥିଲେ ଏହି ଲକ୍ଷ୍ମୀପୁରେ,

କେତେ ମୁଁ ସଂଖ୍ୟା କରିବି ତୋହର ଆଗରେ।୫୪।

ଏହେତୁ ତୋତେ ସ୍ମରଣ କଲି ରେ ତନୟ,

କର ତୁ ନର ବାନର ମରିବା ଉପାୟ ୫୫।

କହୁ କହୁ କାନ୍ଦିପକାଇଲା ଦଶକନ୍ଧ

କହଇ ଗୋକୁଳାନନ୍ଦ ଚିନ୍ତି ରାମପାଦ ୫୬।

 

ଗୀତ – ୫

କହିଲା ସେ ମହୀରାବଣ ଶୁଣ ଆହେ ପିଅର,

ଅନେକ ରାକ୍ଷସ କନକପୁରୁ ହେଲେ ଅନ୍ତର ୧।

ଆପଣ ଜାଣିକି ମୋ ପଣ କିମ୍ପା ନ କଲ ଚିନ୍ତା,

ଖୋଜି ଆଣିଥାନ୍ତି ସେ ବେନି ଭାଇଙ୍କି ଆହେ ପିତା  ୨।

କୃପାଣକୁ ଧରି ତା ପ୍ରାଣ ନେଇଥାନ୍ତି ସ୍ଵହସ୍ତେ,

ରଣରେ ଜଣେ କେ ନ ମରି ବଞ୍ଚିଥାନ୍ତେ ସମସ୍ତେ ୩।

ବଣା ହେଲେ ଜଣା ନାହିଁ କି ମୋହର ବୀରପଣ,

ଦହିପାରେ ମୁହିଁ ମହୀକି କ୍ଷଣେ କରିଲେ ରଣ ୪।

ଛାର ନର ଭାଲୁ ବାନରେ ଦେଲେ ଏ ପରାଭବ,

ମହୀରେ ତାଙ୍କର ରହିବ ଯଶ ୟା ଅସମ୍ଭବ ୫।

ସପତ ସମୁଦ୍ର ଆପ ତ କରିବି ମୁଁ ଶୋଷଣ,

ଟାଳିବି ଅଟଳ ଗିଲିବି କିବା ପର୍ବତଗଣ ୬।

ଶଶାଙ୍କ ରବିଙ୍କି ଖସାଇ ଅବା ଦେବି ଆକାଶୁ,

କିସ କରିବି ମୁଁ ବିଷୟ କହ ତୁମ୍ଭ ସକାଶୁ  ୭।

ନିନ୍ଦି ଆପଣାକୁ କାନ୍ଦିଣ କହେ ସେ ଦଶାନନ,

ଭାଗ୍ୟ ଅବଳରୁ ଏ ଯୋଗ ଘଟିଲା ରେ ନନ୍ଦନ ୮।

ନିର୍ବାଣ-ଦୀପରେ ତଇଳ-ଦାନେ କି ପ୍ରୟୋଜନ

ଗତ କଥା ଚିନ୍ତା କରିଲେ ବ୍ୟସ୍ତ ହୋଇବ ମନ ।୯।

ଏବେ ଯେବେ ମାରି ପାରିବୁ ବାବୁ ରାମଲକ୍ଷ୍ମଣ

ତେବେ ଏ ସଂସାରେ ରହିବ ନିଶ୍ଚେ ମୋହର ଟାଣ ୧୦।

ତିଆରି କହିଲା ପିଅର ଶୁଣ ମୋହର ଗିର,

ଚିନ୍ତା-କିତାପକୁ ଚିରିବି ଆଜି ଠାରୁ ତୁମ୍ଭର ୧୧।

ମାୟାରେ ରାମ-ଲକ୍ଷ୍ମଣଙ୍କୁ ଘେନିବି ମୁଁ ପାତାଳେ,

କାଳୀ-ସମ୍ମୁଖରେ ବଳି ମୁଁ ଦେବି ତାଙ୍କୁ କୌଶଳେ ୧୨।

ରାବଣ କହିଲା ଶ୍ରବଣ କର ମୋ ଠାରୁ ବାବୁ,

ଦିନରାତି ଜଗି ଥାଆନ୍ତି ଋକ୍ଷବାନର ସବୁ  ୧୩।

ଛପି ରହିଛନ୍ତି କପିଏ ତହିଁ ସାଗର ପରି,

କେମନ୍ତେ ତାହାଙ୍କୁ ଆଣିବୁ ତୋତେ ମାରିବେ ଘେରି ୧୪।

ହସିଣ ଉଚ୍ଚରେ ଭାହିଲା ମହୀରାବଣ ବୀର,

ତୁମ୍ଭଙ୍କୁ ଅଜଣା ଅଟଇ ସିନା ଉପାୟ ମୋର ୧୫।

ଶିବଙ୍କର ଘରୁ ଉମାଙ୍କୁ ଆଣିପାରେ ମୁଁ ହରି

ଲକ୍ଷ୍ମୀଙ୍କୁ ମୁଁ ଆଣି ପାରଇ ପାଶେ ଥିଲେ ଶ୍ରୀହରି ୧୬।

ରଚି କଉଶଳ ଶଚୀଙ୍କି ଇନ୍ଦ୍ରପାଶୁ ଆଣିବି,

ନିଜର ବଡ଼ପଣକୁ ମୁଁ କେତେ ବଖାଣି ହେବି ୧୭।

ପ୍ରାଚୀର ଉପରେ ଲୁଚିଣ ଦେଖୁଥିବ ହେ ତାତ,

ଏକ୍ଷଣି ରାମ-ଲକ୍ଷ୍ମଣଙ୍କୁ ନେବି ତ୍ରିବାର ସତ୍ୟ ୧୮।

ପ୍ରାତଃକାଳେ ତାତ କାଳୀଙ୍କ ଆଗେ ପଡ଼ିବେ ଛେଦ,

କହିଲି କାହାକୁ କହିବ ନାହିଁ ଆଜିର ଭେଦ ୧୯।

ପିତାପୁତ୍ରଙ୍କର ଏପରି ହେଲା କଥା ବାରଣ,

ଯୋଡ଼ିଲା ଏ ପଦ ଗୋକୁଳାନନ୍ଦ ଚିନ୍ତା କରିଣ ୨୦।

 

ଗୀତ – ୬

ଏଥି ଅନନ୍ତରେ ଶୁଣ ଅପୂର୍ବ ଚରିତ

ପ୍ରଭୁ ରଘୁନାଥ ବିଜେ ସୁବଳ ପର୍ବତ ୧।

ବିଚାର କରନ୍ତି ପାତ୍ର ମନ୍ତ୍ରୀଗଣ ଘେନି,

ଇନ୍ଦ୍ରଜିତ ମଲା ସୁଖ ହୋଇବ ମେଦିନୀ ।୨।

ଆଜିଠାରୁ ବୀରଶୂନ୍ୟ ହେଲା ଲଙ୍କାପୁର,

ଏକମାତ୍ର ଅଛି ଆଉ ରାଜା ଲଙ୍କେଶ୍ଵର ୩।

ଏ ସମୟେ କର ଯୋଡ଼ି କହେ ବିଭୀଷଣ,

ବଡ଼ ବୁଦ୍ଧିବନ୍ତ ଅଟେ ପ୍ରତାପୀ ରାବଣ ୪।

କଉଶଳୀ ତାହାପରି ମହୀରେ କେ ନାହିଁ,

କେଉଁ ଉପାୟ କରୁଛି ବୁଝିଆସେ ଯାଇ ୫।

କହି ବିଭୀଷଣ ଗଲା ଗଗନ ମାର୍ଗରେ,

ଚାହିଁଲା ମହୀରାବଣ ରାବଣ ଆଗରେ ୬।

ରହି ପହିଜ କରୁଛି ତହିଁ ଅପ୍ରମିତ

କେ ସହିବ ଯେଉଁକଥା କହିଲା ଯେମନ୍ତ

ଡରି ଫେରିଲା ତୁରିତ ତହୁଁ ବିଭୀଷଣ,

ପ୍ରମାଣକରି ରାମଙ୍କୁ ଭାଷେ ଏ ଭାଷଣ ୮।

ସବୁଦିନଠାରୁ ଆଜି ବିପତ୍ତି ବଳକା,

ବର୍ତ୍ତିବା ଏଥିରୁ ଧର୍ମବଳ ଥିଲେ ଏକା ୯।

ପାତାଳରେ ତିଲା ଏକ ରାବଣର ସୁତ,

ମାୟାବୀ ଅଟଇ ସେହୁ ବଡ଼ ବଳବନ୍ତ ୧୦।

ଯେଉଁ ରୂପ ଚାହିବ ସେ ସେ ରୂପ ହୋଇବ,

ଚୋରଜଣେ ତାହାପରି ମହୀରେ ନ ଥିବ ୧୧।

ବେନି ଭାଇଙ୍କି ସେ ଘେନି ଯିବ ନିଜ ବାସ

ପାଜି ବିଚାର କରୁଛି ଆଜି ପିତା ପାଶ ୧୨।

ଏହା ଶୁଣି ମାରୁତିକି ବୋଲେ ଜାମ୍ବବାନ

କି ବୁଦ୍ଧି କରିବା କହ ବୀର ହନୁମାନ ୧୩।

ସମୀର-କୁମର କହେ ଶୁଣ ମନ୍ତ୍ରୀବର,

ସମର କଲେ ମୁଁ ନିଶ୍ଚେ ପ୍ରାଣ ନେବି ତାର ୧୪।

ଚୁଟି ଧରି କୁଟିବି ମୁଁ ଜୁଟିଗଲେ ଏଥି,

ପାମର ଯମର ହେବ ନିଶ୍ଚୟ ଅତିଥି ୧୫।

ଭୟ କରୁଛ କାହିଁକି ତୁମ୍ଭେ ଅକାରଣେ,

ଜୟ କରିବ କି ଆସି ସେହି ଏକା ରଣେ  ୧୬।

କାନ ଧରି ରାବଣକୁ ଏଠାକୁ ଆଣିବା,

ଦାନବ ରାଜାଙ୍କୁ ଧରି ନାନା ଶାସ୍ତି ଦେବା ୧୭।

ବିଭୀଷଣ-କୋଳେ ମନ୍ଦୋଦରୀକି ଯେ ଦେବା,

ଅଭିଷେକ ତାଙ୍କୁ ଲଙ୍କାଗଡ଼େ କରାଇବା ୧୮।

ହନୁର ଏ ବାଣୀ ଶୁଣି କହନ୍ତି ଦାନବ,

ଦନୁଜ ଧରା ପଡ଼ିଲେ ଏପରି ହୋଇବ ୧୯।

ଯୁଝିବାକୁ ଆସିଲେ ବୁଝିବା କରାମତି,

ଶୁଝିବା ଆମ୍ଭର ରାଗ ମରିବ ଦୁର୍ମତି ୨୦।

ଯେବେ ସେ ଗୋପନେ ଆଜି ଆସି କରେ ଚୋରି,

ଏଥିକି ବିଚାର ଥିଲେ କହ ହେ ବିଚାର ୨୧।

ମରୁତ-କୁମର କହେ ଶୁଣ ହେ ସକଳ,

କରନ୍ତୁ ପାତାଳ ପୁରେ ରକ୍ଷା ଯାଇ ନଳ ୨୨।

ବିଶ୍ଵର୍କମା ପୁତ୍ର ସେହି ଜାଣେ ମାୟାମାନ,

ନିର୍ବିଘ୍ନରେ ଜଗିରହୁ ପାତାଳ ଭୁବନ ୨୩।

ଗବୟ ପଶ୍ଚିମଦିଗେ ରହୁ ସାବଧାନେ,

ଅନ୍ୟ ସର୍ବବୀରେ ଉଜାଗର ସ୍ଥିରମନେ ୨୪।

ଦକ୍ଷିଣ ଦିଗ ରକ୍ଷଣ କରନ୍ତୁ ଗବାକ୍ଷ,

ରଖୁ ଉତ୍ତର ସୂତ୍ରରେ ସେ ଦ୍ଵିବିନ୍ଧ ଦକ୍ଷ ୨୫

ଜାମ୍ବବାନ ସଚିବ ଯେ ଯାବତାରେ ଯାଉ

ପୂର୍ବଦିଗେ ପୂର୍ବଦେବତାଙ୍କୁ ଜଗିଥାଉ ୨୬।

ବାୟୁକୋଣକୁ ଚଞ୍ଚଳ ଯାଉ ଶତବଳୀ,

ନୈଋତ କୋଣେ ରହିବ ଯେ ପନସ ବଳୀ ୨୭।

ଲକ୍ଷ୍ମଣଙ୍କୁ ଘେନି ରାମ ରୁହନ୍ତୁ ମଧ୍ୟରେ

ଧନୁଶର ଥାଉ ଦୁଇ ଭାଇଙ୍କ ହସ୍ତରେ ୨୮।

ଆହେ ପ୍ରଭୁ ଆଜ୍ଞା ଦିଅ ବିଷ୍ଣୁଚକ୍ର ଯାଉ,

ଅନବରତରେ ଶୂନ୍ୟ ପୁରେ ବୁଲୁଥାଉ ୨୯।

ଆକାଶପଥକୁ ଶରେ କର ଆଚ୍ଛାଦନ,

ଯେଉଁପରି ଲାଗିଥିବ ମୁନେ ଯହିଁ ମୁନ ୩୦।

ସାତପୁର କରି ବେଢ଼ି ରହନ୍ତୁ ବାନରେ,

ମୁହିଁ ଏକ ଗଡ଼ କରୁଅଛି ଲାଙ୍ଗୁଡ଼ରେ ୩୧।

ଶତକେ ଯୋଜନ ହେବ ତାର ଦୀର୍ଘ ପ୍ରତି

ସତେ ଯେବେ ଆସିବ ଡରିବ ଜନ୍ତୁପତି ୩୨।

ରାମଚନ୍ଦ୍ର ସୁଗ୍ରୀବଙ୍କ କୋଳରେ ରହିବେ,

ଅଙ୍ଗଦ ଯେ ଲକ୍ଷ୍ମଣଙ୍କୁ ଘେନିଣ ବସିବେ ୩୩।

ସାରାରାତି ବିଭୀଷଣ କରିବେ ପ୍ରହରା,

ଧରା ପଡ଼ିଗଲେ ଚୋର ହେବ ପ୍ରାଣହରା ୩୪।

ହନୁର କଥା ସକଳେ କଲେ ସନମତ

ଦାନବକୁ ଜଗିଲେ ସେ କହିଲେ ଯେମନ୍ତ ୩୫।

ବିଭୀଷଣ କହେ ଶୁଣ ପବନର ସୁତ,

ମୋତେ ନ ବିଚାରି ଦ୍ଵାରା ନ ଛାଡ଼ିବୁ ତୁ ତ ୩୬।

ତୋର ବାପ ସମୀରଣ ଆସଇଟି ଯେବେ,

ମୋତେ ନ ବିଚାରି ଦ୍ଵାର ନ ଛାଡ଼ିବୁ କେବେ।୩୭।

ଏହା କହି ବିଭୀଷଣ ଅନ୍ୟ ଦ୍ଵାରେ ଗଲା,

ଆଠଘଡ଼ି ନିଶା ଆସି ପ୍ରବେଶ ହୋଇଲା  ୩୮।

କହଇ ଗୋକୁଳାନନ୍ଦ ଏହି ରାମ ରସ,

ଶୁନି ଗୁଣୀ ଜନ ମନେ କଳମଷ ନାଶ ୩୯।

 

ଏହାବାଦେ ଯାହା ହେଲା ସେ ବିଷୟ ଶୁଣ ଜନେ ଦେଇମନ,

ରାବଣ ଚରଣେ ସେ ମହୀରାବଣ ପ୍ରଣାମ କଲା ବହନ।୧।

ରଥୀ, ବାଜୀ, ହାତୀ, ପଦାତି ନାହାନ୍ତି ହସ୍ତେ ନାହିଁ ଧନୁଶର,

ପାଦଗତି କରି ନିଶବଦେ ଏକା ଯାଏ ରାବଣକୁମର ୨।

 

ଅବିରଳ ବିଷ୍ଣୁଚକ୍ର ବୁଲୁଅଛି ବିଶ୍ରାମ ନାହିଁଟି ତିଳେ,

ମାଛି ପଡ଼ିଗଲେ ନବଖଣ୍ଡ ହେବ ଆଉକେ ପଶିବ ବଳେ।୩।

ତାହାତଳେ ଶରମାନଙ୍କର ମୁନ ଲାଗିଛି ମୁନକୁ ମୁନ,

ହନୁମନ୍ତ ବାପ ପଶି ନ ପାରିବ କେଉଁଠାରେ ନାହିଁ ଶୂନ୍ୟ।୪।

 

ନିରାଶ ହୋଇଣ ଫେରିଲା ଦଇତ ମିଳିଲା ପାତାଳପୁର,

ମାୟାଜାଲ ପାତି ବସିଅଛି ଯହିଁ ବିଶ୍ଵକର୍ମାର କୁମର ୫।

ଚାରିପାଶ ଚାରି କୋଷ ବୁଲିଗଲା ପଶି ତ ପାରିଲା ନାହିଁ,

ମାୟା-ଦଶରଥ ରୂପେ ଦଶଆସ୍ୟ କୁମର ଆସିଲା ଧାଇଁ ୬।ୟ

ପବନର ସୁତ ପାଶେ ଉପସ୍ଥିତ କହିଲା କରି ବିନୟୀ,

ମହାବୀରବର ଏ ପୃଥ୍ଵୀରେ ସାର ତୁହି ଅଞ୍ଜନା-ତନୟୀ ୭।

ମୁହିଁ ଦଶରଥ ଅଯୋଧ୍ୟାର ନାଥ ମରିଥିଲି ପୁତ୍ରଶୋକେ,

ପୁଅକୁ ନ ଦେଖି ପ୍ରେତପୁରେ କଷ୍ଟ ଦେଉଛନ୍ତି ଯମଲୋକେ ୮।

ଆଜି ଯମ ମୋତେ କହିଲେ ତୁ ଯାଇ ଦେଖି ଆସ ପୁତ୍ରମୁଖ,

ରାମ ତାମରସ ମୁଖ ମୁଁ ଦେଖିଲେ ଖଣ୍ଡିବି ସକଳ ଦୁଃଖ ୯।

ଅନୁଗ୍ରହ କରି ପଥ ଛାଡ଼ିଦିଅ ହୋଇଛି ମୁଁ ପଥଶ୍ରମ,

ହନୁମାନ କହେ ବିଭୀଷଣ ଆସୁ ଅଳପ କର ବିଶ୍ରାମ ୧୦।

ଅତିନିଦାରୁଣ ଅଟଇ ସେ ଜନ ମୋତେ ସେ ମାରଇ ମାଡ଼,

ବିଭୀଷଣ ଆସିବାର ଜାଣି ପାରି ଦଇତ ହୋଇଲା ଆଡ଼ ୧୧।

ବିଶ୍ରବା କୁମର ଆଗରେ ସକଳ କଥା କହିଲା ମାରୁତି

ବିଭୀଷଣ କହେ ନ ଛାଡ଼ିବୁ ତୁହି ନ ପାଇ ମୋ ଅନୁମତି ୧୨।

ଅଇଲା ଭରତ ରୂପକୁ ବହିଣ ସେ ମହୀରାବଣ ବୀର,

ବୋଇଲା ଏ ରାମ ଲକ୍ଷ୍ମଣ ଅଟନ୍ତି ସିନା ମୋହର ସୋଦର ୧୩।

ମୋହର ବାଟୁଳି ବାଜିବା ବେଳରେ କହିଥିଲ ତୁମ୍ଭେ ମୋତେ,

ଏ ଭାରତୀ ଶୁଣି ଅଇଲି ମୁଁ ପୁଣି ସାହା ହୋଇବା ନିମନ୍ତେ ୧୪।

ଅନୁଗ୍ରହ କରି ବାଟ ଛାଡ଼ିଦିଅ ହୋଇଛି ମୁଁ ପଥଶ୍ରମ,

ହନୁମାନ କହେ ବିଭୀଷଣ ଆସୁ ଅଳପ କର ବିଶ୍ରାମ ୧୫।

ବିଭୀଷଣ ଆସିବାର ଜାଣି ପାରି ଫେରିଲା ମାୟା-ଭରତ,

କହଇ ଗୋକୁଳନନ୍ଦ ରାମପାଦ ଚିନ୍ତା କରି ଅବିରତ ୧୬।

 

ଗୀତ – ୮

ଏଥୁ ଅନ୍ତେ ଜନେ ଶୁଣ ମନ କର୍ଣ୍ଣ ଦେଇ

କଉଶଲ୍ୟା ରୂପରେ ପ୍ରବେଶ ହେଲା ମହୀ ୧।

ଝର ଝର ହୋଇ ନେତ୍ରୁ ବହୁଅଛି ନୀର

ରାମ ରାମ ମୁଖେ ବୋଲୁଅଛି ନିରନ୍ତର ୨।

ତୋ ରାମଚନ୍ଦ୍ର ମୁହିଁ ଦେଖିବି କେମନ୍ତେ,

ସତେ କି ତୋ ପାଖ ନେଇ ଭେଟାଇବି ମୋତେ ୩।

ତୋ ଚିନ୍ତା ମଲେ ପିତା –ଲଭିଲେ ସେ ଗତି,

ଭରତକୁ ପଠାଇଲି ବାବୁ ତୋହ କତି ୪।

ନ ଯାଇ ପାଦୁକା ଦେଲୁ ବୁଝିଲା ସେ ରାଜ୍ୟ,

ତୋତେ ଦେଖିବାକୁ ମୁହିଁ ଆସିଛି ରେ ଆଜ ।୫।

ପୁଅକୁ ଦେଖିବି ହନୁ ବାଟ ଛାଡ଼ିଦିଅ,

ହନୁମାନ କହେ ମାତା ଦଣ୍ଡେ ମାତ୍ର ରୁହ ।୬।

ଏହା ଶୁଣି ଯାତୁଧାନ ହୋଇଲା ଅନ୍ତର,

ଜନକ ରୂପରେ ହେଲା ପ୍ରବେଶ ସତ୍ଵର ୭।

ବୋଇଲା ରେ ହନୁମାନ ରୁଦ୍ରରୂପୀ ତୁହିଁ,

ତୋ ସମାନ ବୀର ଜଣେ କାହିଁ ଦେଖା ନାହିଁ।୮।

ମୋହର ଦୁହିତା ସୀତା ମୋ ନାମ ଜନକ

ଦେଖିବାକୁ ଆସିଅଛି ଜାମାତାର ମୁଖ ୯।

ବିଭୀଷଣ ଆସୁ ବୋଲି କହିଲା ସେ ଯହୁଁ,

ଚାହୁଁ ଚାହୁଁ ଅନ୍ତର୍ଦ୍ଧ୍ୟାନ ହେଲା ଦୈତ୍ୟ ତହୁଁ ୧୦।

ବିଭୀଷଣକୁ କହିଲେ ହନୁମାନ ସବୁ,

କେବେ ନ ଛାଡ଼ିବୁ ଦ୍ଵାର ଆସିଲେ ତୁ ବାବୁ ୧୧।

ବିଭୀଷଣ ରୂପ ଧରି ଆସିଲା ଦଇତ,

ଚଞ୍ଚଳ ଫେରିବା ଦେଖି କହେ ହନୁମନ୍ତ ୧୨।

ଯାଇଥିଲ ଏହିକ୍ଷଣି କାହିଁକି ଆସିଲ,

ବିଭୀଷଣ କହେ ଶୁଣ କପିକୁଳ ମଲ୍ଲ ୧୩।

ପଥେ ଭେଟ ହୋଇଲେ ଯେ ସାବିତ୍ରୀଙ୍କ ବର,

ରକ୍ଷାମନ୍ତ୍ର ବାନ୍ଧିବାକୁ ଦେଲେ ରାମଶିର ୧୪।

ଏହା କହି ପଶିଲା ସେ ଗଡ଼ର ଭିତରେ,

ମନ୍ତ୍ର କରି ଧୂଳି ମୁଠା ଫିଙ୍ଗିଲା ସତ୍ଵର ୧୫।

କାଳନିଦ୍ରା ସମସ୍ତଙ୍କୁ ଘୋଟିଲା ତକ୍ଷଣ,

ମାୟାମୋହେ ପଡ଼ିଛନ୍ତି ଶ୍ରୀରାମ-ଲକ୍ଷ୍ମଣ ୧୬।

ଅତ୍ୟନ୍ତ ଆନନ୍ଦ ହୋଇ ସେ ମହୀରାବଣ,

ଦୁଇ ଭାଇଙ୍କି କାନ୍ଧରେ ବହିଲା ତକ୍ଷଣ ୧୭।

ଆସନ ସହିତେ ଦୁଇ ଭାଇଙ୍କି ତୋଳିଲା

କେଉଁ ବାଟେ ଯିବ ବୋଲି ବିଚାର ସେ କଲା।୧୮।

ହନୁମାନ ଲାଙ୍ଗୁଡ଼ରେ କରିଅଛି ଗଡ଼,

ପିମ୍ପୁଡ଼ି ଘିବାକୁ ବାଟ ନାହିଁ ଅତି ଦୃଢ଼ ୧୯।

ଏମନ୍ତ ବିଚାରି ମନ୍ତ୍ର ପଢ଼ିଲା ସେ ମହୀ,

ପାତାଳ ପୁରକୁ ହେଲା ବିବରେକ ତହିଁ ୨୦।

ସେ ଦଇତ ମୁଣ୍ଡେ ବହି ରାମ ଲକ୍ଷ୍ମଣଙ୍କୁ

ସେହି ଦିନ ବାଟେ ଗଲା ପାତାଳ ପୁରକୁ  ୨୧।

ମକରଧ୍ଵଜ ଯେ ଦ୍ଵାର ଜଗି ବସିଥିଲା,

ମହୀରାବଣକୁ ଦେଖି ବାଟ ଓଗାଳିଲା ୨୨।

କାହିଁକି ତୁ ଚୋର ଆସିଅଛୁ ନିର୍ଭୟରେ

ନିଶା ଅର୍ଦ୍ଧେ ପଶୁ-ଯମ-ଆଳୟ ଭିତରେ ୨୩।

ହସିଣ ମହୀରାବଣ ତାକୁ ଚିହ୍ନାଦେଲା,

ମର୍ତ୍ତ୍ୟପୁରୁ ପିତାଶତ୍ରୁ ଆଣିଲି ବୋଇଲା ୨୪।

ଏ ଦୁଇ ଭାଇଙ୍କି ବାନ୍ଧି ଘରେ ରଖିଥିବି,

ପ୍ରଭାତ ହେଲେ କାଳୀଙ୍କ ପାଶେ ବଳି ଦେବି।୨୫।

ଆରେ ବାବୁ ସାବଧାନେ ଦ୍ଵାର ଜଗିଥିବୁ,

ଯେ ପଶିବ ବଳାତ୍କାରେ ତାହାକୁ ନାଶିବୁ ୨୬।

ଏମନ୍ତ କହି ଯେ ଦୈତ୍ୟ ପଶିଲା ଭିତରେ,

ଦୁଇ ଭାଇଙ୍କି ରଖିଲା ପାଷାଣ ମନ୍ଦିରେ ୨୭।

ସହସ୍ର ଅସୁର ବୀର ଦୁଆରେ ଜଗାଇ,

ଦୁହିଁଙ୍କ ହସ୍ତରୁ ଧନୁ ମାର୍ଗଣ ଛଡ଼ାଇ ।୨୮।

ପଲଙ୍କ ଉପରେ ଯାଇ ଶୋଇଲା ଅସୁର,

କହଇ ଗୋକୁଳାନନ୍ଦ ରାମରସ ସାର ୨୯।

 

ଗୀତ – ୯

ଏଥୁ ଅନ୍ତେ ମନକର୍ଣ୍ଣ ଦେଇ ଜନେ ଶୁଣ,

ହନୁମନ୍ତ ପାଶେ ପ୍ରବେଶିଲା ବିଭୀଷଣ ୧।

ଏହିକ୍ଷଣି ଭିତରକୁ ତୁମ୍ଭେ ଥିଲ ଯାଇ,

ତାକୁ ଦେଖି ହନୁମାନ କହିଲା ରେ ଭାଇ  ୨।

ରକ୍ଷାମନ୍ତ୍ର ବାନ୍ଧିବାକୁ ଶ୍ରୀରାମଙ୍କ ଶିର,

ବାହାରକୁ କେଉଁବାଟେ ଆସିଲୁ ରେ ଚୋର ୩।

ଜଣାଯାଏ ହେବୁ ତୁହି ରାବଣର ଚାର,

ଆଉ ବିଭୀଷଣ ଅଛି ରାମଙ୍କ ପାଖର ୪।

ଏହିକ୍ଷଣି ମୁଣ୍ଡ ମୋଡ଼ି ଛିଣ୍ଡାଇବି ମୁହିଁ,

ସତକଥା କହ ତୋତେ ଆଉ ରକ୍ଷା ନାହିଁ ୫।

ଏହା ଶୁଣି ବିଭୀଷଣ ହୋଇଲା ଚକିତ,

ବୋଇଲା ରେ ହନୁ କିମ୍ପା କହୁଛୁ ଏମନ୍ତ ୬।

ମୁହିଁ ବିଭୀଷଣ ନୁହେଁ ରାବଣର ଚାର,

ଅନୁଚିତ କିମ୍ପା କହୁ ନ କରି ବିଚାର ୭।

ନିୟମ କରୁଛି ହନୁ ମୁଁ ତୋର ନିକଟେ,

ଏସ୍ଥାନକୁ ଆସିଥିବ ଯଦି ମୁଁ କପଟେ ୮।

ବ୍ରହ୍ମବଧ, ନାରୀବଧ, ଗୋବଧ, ପାତକ,

ମାତୃହରଣ ଆଦି ଯେ ଅଛଇ ଯେତେକ ୯।

ସବୁରି ପାପରେ ଭାଗୀ ହେବି ଆରେ ହନୁ,

ଏ ନିୟମ ଶୁଣି କହେ ପବନର ସୂନୁ ୧୦।

ଅସୁର ଗୋରୁ ବ୍ରାହ୍ମଣ ମୁନିଙ୍କି ଖାଆନ୍ତି,

କାୟା ବଦଳାଇ ମାୟାରୂପ ଯେ ବହନ୍ତି ୧୧।

ଦେବତା ବ୍ରାହ୍ମଣଠାରେ ନଥାଏ ଭକତି,

ତିଳେ ମୋ ବିଶ୍ଵାସ ନାହିଁ ଏ ନିୟମ ପ୍ରତି ।୧୨।

ବିଭୀଷଣ କହେ ହନୁ କହ ସତ କରି,

ମହୀରାବଣ କି ଗଲା ମୋର ରୂପ ଧରି ୧୩।

ଚାଲ ବାବୁ ଦୁହେଁ ଯାକ ଭିତରକୁ ଯିବା,

ଦୁଇଭାଇ ଅଛନ୍ତି କି ନାହାଁନ୍ତି ଦେଖିବା ୧୪।

ଏହା କହି ଦୁଇଜଣ ପଶିଲେ ଭିତରେ,

ଦେଖିଲେ ରାମ-ଲକ୍ଷ୍ମଣ ନାହାଁନ୍ତି ସେଠାରେ ୧୫।

ବିଭୀଷଣ କାନ୍ଦେ କହେ କି କଲୁ ମାରୁତି,

ହରିନେଲା ଦୈତ୍ୟ ବହି କପଟ ମୂରତି ୧୬।

ତିନିପୁର-ମଧ୍ୟେ ମୋର ନାହିଁ ଆଉ ଠାବ

ଯଦି ଯିବି ଦଶାନନ ଖୋଜିଣ ଆଣିବ ୧୭।

ଛାଡ଼ିଲି ମୁଁ ଘରଦ୍ଵାର ପୁତ୍ର ସହୋଦର,

ପତିଭକ୍ତା ଗୁଣବତୀ ଭାରିଯା ଆବର ୧୮।

ତରଣି ପରି ପୁଅକୁ ରଣେ ମରାଇଲି

ଶରଣ ପଶି ଶେଷକୁ ପ୍ରାଣ ହରାଇଲି ୧୯।

ରାମ-ବିହୁନରେ ମୋତେ ହେଉଅଛି ଝାମ,

ଶ୍ରମମାତ୍ର କରି କିଛି ହେଲା ନାହିଁ କାମ ୨୦।

କାଳକୂଟ ଗ୍ରାସ କରି କାଳାନଳେ ଯିବି,

ଜଳଧିକି ଡେଇଁ ଅବା ପ୍ରାଣ ହରାଇବି ୨୧।

ତାର କାନ୍ଦ ଦେଖି ହନୁମାନ ଯେ କାନ୍ଦଇ,

ଏ ରୋଦନ ଶୁଣି ସର୍ବେ ଉଠି ଚେତା ପାଇ ୨୨।

କଥାବାର୍ତ୍ତା ହେଲେ ସବୁ ଆପଣା ଭିତରେ,

ବ୍ୟଥା ଲଭୁଅଛି ବିଭୀଷଣ କିମ୍ପା ଖରେ ୨୩।

ଆମର କରମ କିବା ଦୁର୍ଦ୍ଦିନ ହୋଇଲା,

ପାମର ଦଇତ ଅବା ଶ୍ରୀରାମଙ୍କୁ ନେଲା ୨୪।

ଶୋଚନା ନ କର କହେ ମନ୍ତ୍ରୀ ଜାମ୍ବବାନ,

ମୋଚନ ହେବେ କିପରି କମଳଲୋଚନ  ୨୫।

ତହିଁରେ ବିଚାର ଏବେ କର ହେ ସକଳ,

ଅକାରଣେ ଶୋକେ କିମ୍ପା ହେଉଛ ବିକଳ ୨୬।

ସୁଗ୍ରୀବ-ଆଜ୍ଞାରେ ଯାଉ ପବନ-କୁମର

ତିନିପୁର ଖୋଜିବାକୁ ଶକ୍ତି ଅଛି ତାର ୨୭।

ତା ବିନା ଅସାଧ୍ୟ କାର୍ଯ୍ୟ କେ ସାଧି ପାରିବ,

ରାମ-ଲକ୍ଷ୍ମଣଙ୍କୁ ନିଶ୍ଚେ ଖୋଜି ଆଣି ଦେବ ୨୮।

ଯେବେ ସେହି ନ ପାଇବ ସମସ୍ତେ ମରିବା,

ତେବେ ସାକ୍ଷୀ ଦେଇ ଅଗ୍ନି କୁଣ୍ଡେ ହିଁ ଝାସିବା ୨୯।

ଏହା ଶୁଣି ବୋଇଲା ଯେ ବିଭୀଷଣ ବୀର,

ମହୀରାବଣ ନେଇଛି ଦୁଇ ସହୋଦର ୩୦।

ପାତାଳେ ରଖିଛି ଅବା ରଖିଛି ଲଙ୍କାରେ,

ବାର୍ତ୍ତା ଆମେ ପାଇବା ଯେ କେଉଁ ପରକାରେ ୩୧।

ହନୁ ବୋଲେ ମୁଁ ଯାଉଛି ଅଶୋକ-ବନକୁ,

ପଚାରି ଆସିବି ଗୁପ୍ତେ ଡାକି ତ୍ରିଜଟାକୁ ୩୨।

ପକ୍ଷୀ-ରୂପେ ଉଡ଼ିଗଲା ଅଶୋକ-କାନନ,

ଦେଖିଲା ତ୍ରିଜଟା ସୀତା କଥୋପକଥନ ୩୩।

ଶ୍ରୀରାମଙ୍କ ଘରଣୀକି ତ୍ରିଜଟା କହଇ,

ଆଜିର ସମର-କଥା ଶୁଣ ପ୍ରିୟ ସହି ୩୪।

ପାତାଳରେ ଥିଲେ ଏକ ରାବଣର ସୁତ,

ମୁଁ ତାହାକୁ ଜାଣଇ ସେ ବଡ଼ ବଳବନ୍ତ।୩୫।

ଆଜି ରାମଲକ୍ଷ୍ମଣଙ୍କୁ ଘେନି ଯିବ ଚଳି,

ମନ୍ଦୋଦରୀ ଆଗେ କହୁଥିଲେ ଦଶମୌଳି ୩୬।

କାନ୍ଦିଲେ ଜାନକୀ ଦେବୀ ଏହିବାଣୀ ଶୁଣି,

ନିଜ ଭାଗ୍ୟକୁ ନିନ୍ଦିଲେ ସତୀ-ଶିରୋମଣି ୩୭।

ତ୍ରିଜଟା କହିଲା ସଖି ନ ହୁଅ ବିକଳ,

ରାମ ପରମ ପୁରୁଷ ସେହି ଆଦିମୂଳ ୩୮।

ତାଙ୍କୁ ମାରି ପାରିବିକି ଏଛାର ଦଇତ,

ଶୁଣି ଜନକ-କୁମାରୀ ଶୋକ କଲେ ଶାନ୍ତ।୩୯।

ନେତ୍ରକୋଣୁ ଦୁଇନାରୀ ହେଲେ ଉତପତି,

ତାରା ତାରିଣୀ ତାଙ୍କର ନାମ ଦେଲେ ସତୀ ୪୦।

ବୋଇଲେ ପାତାଳପୁର ଶୀଘ୍ର କର ଗତି,

ମହୀରାବଣ ଚୋରାଇ ନେଇଛି ମୋ ପତି ୪୧।

ଗୁପତ ଭାବରେ ଜଗି ତୁମ୍ଭେ ରହିଥିବ,

ତୁମ୍ଭଙ୍କୁ ଯେମନ୍ତେ କେହି ଦେଖି ନ ପାରିବ ୪୨।

ସନମତ କରି ଦୁଇଦେବୀ ଯହୁଁଗଲେ,

ରାମ ଲକ୍ଷ୍ମଣଙ୍କ ବେନି ପାରୁଶେ ରହିଲେ ୪୩।

ତାହା ଶୁଣି ହନୁମାନ ବାହୁଡ଼ି ଅଇଲା,

ଯାହା ଯାହା ଶୁଣିଥିଲା ସକଳ କହିଲା ୪୪।

ତାହା ଶୁଣିଣ ବୋଲଇ ବୀର ବିଭୀଷଣ,

ପାତାଳ ପୁରକୁ ବାଟ କର ଅନ୍ଵେଷଣ ୪୫।

ଖୋଜନ୍ତେ ବାନରମାନେ ଦେଖିଲେ ବିବର,

ମହାଭୟଙ୍କର ପଥ ଘୋର ଅନ୍ଧକାର ୪୬।

ସେ ବିବର ପାଶେ ଯାଇ ସମସ୍ତେ ମିଳିଲେ,

କେହି ପଶି ନ ପାରିବେ ମନରେ ଭାଳିଲେ ୪୭।

ଜାମ୍ବବାନ କହେ ଏକା ଯାଇପାରେ ହନୁ,

ଅସାଧ୍ୟ କାର୍ଯ୍ୟ ସାଧିବ କିଏ ତାହା ବିନୁ ୪୮।

ସୁଗ୍ରୀବ କହିଲେ ବାବୁ ବିଳମ୍ବ ନ କର,

ତୁ ଆସିବା ଯାଏଁ ଜଗି ରହିଥିବୁ ଦ୍ଵାର ୪୯।

ପାତାଳ ଯେ ରସାତଳ, ଅତଳ, ସୁତଳ,

ତଳାତଳ, ବିତଳ ମୁଁ ଖୋଜିଲି ସକଳ ୫୦।

ନ ପାଇଲେ କଇଳାସ ଭବନକୁ ଯିବି,

ଯମପୁର, ଇନ୍ଦ୍ରପୁର ସକଳ ଖୋଜିବି ୫୧।

ଯମପୁର, ଇନ୍ଦ୍ରପୁର, ଗନ୍ଧର୍ବ ନଗର,

ନ ପାଇଲେ ନ ଫେରିବି ବୁଡ଼ିବି ସାଗର ୫୨।

ଏହା କହି ହନୁମାନ ବାହାର ହୋଇଲା,

ବିଭୀଷଣ ମାଟିମୁଠା ହସ୍ତରେ ଧଇଲା ୫୩।

ମନ୍ତ୍ର କରି ବୋଳିଦେଲା ତାହାର ଶରୀରେ,

ପରିଷ୍କାର ପଥ ତୋତେ ଦିଶିବ ଅନ୍ଧାରେ  ୫୪।

ଅଦୃଶ୍ୟ ପଦାର୍ଥମାନ ଦୃଶ୍ୟ ଯେ ହୋଇବ,

ମେଲାଣି ମାଗିଣ ହନୁମାନ ଗଲା ଯବ ୫୫।

ବିବରେ ପଶିଲାବେଳେ କଲା ସେ ହୁଁକାର,

ସେହି ଶବଦରେ କମ୍ପିଗଲା ଲଙ୍କାପୁର ୫୬।

ଗର୍ଭିଣୀ ଅସୁରୀମାନେ କରିଲେ ପ୍ରସବ,

ଭୟେ ପଳାଇଲେ ଏଣେତେଣେ ଦୈତ୍ୟସର୍ବ।୫୭।

ପିତାପରି ଗତି କରି ହନୁମାନ ବୀର,

ଦୁଇଶ ପନ୍ଦର କୋଶ ପଥ ହେଲା ପାର ୫୮।

ତହିଁ ସେ ମକରଧ୍ଵଜ ଦ୍ଵାରୀକି ଦେଖିଲା,

ମହିରାବଣ ପୁରରେ ପ୍ରବେଶ ହୋଇଲା ୫୯।

ହସ୍ତେ ଗଦା ଧରିଅଛି ସେ ମକରଧ୍ଵଜ,

ହନୁମାନକୁ କହିଲା ପଳା ରେ ନିର୍ଲ୍ଲଜ୍ଜ ୬୦।

ମକରଧ୍ଵଜ ହନୁର ହେଲା ଯେ ସମ୍ବାଦ,

ଆନ ଗୀତରେ କହିବ ତା ଗୋକୁଳାନନ୍ଦ  ୬୧।

 

ମକରଧ୍ଵଜର ହନୁମାନ ପ୍ରତି କଟୂକ୍ତି

 

ମକରଧ୍ଵଜ କହଇ ଗିର,

ତୋ କରମ ବାମ ହେଲା ଏଥର ରେ (ଘୋଷ)

ନ କର ସାହସ ପାଖକୁ ନ ଆସ

ବାଖର ପାଇଲେ ଆରେ ପାମର,

କୁକୁର ପରାଏ କୁ କରମ କରୁ,

ଶୂକର-ମୁହାଁ ରେ ତୁ ପାଜି ଛାର ।କିଏ ପିଅର

ମୋ କରରେ ଯିବୁ ଶମନ ପୁରରେ।୧।

 

ଯୁଦ୍ଧ କଲେ ପ୍ରାଣେ ବଧ ହେବୁ ବୃଦ୍ଧ

ମୂର୍ଦ୍ଧନା ଫାଟିବ ବିଧାରେ ମୋର

ଗୃଧ୍ରର ଆହାବ ଶାର୍ଦ୍ଦୂଳ ପୁରକୁ,

ଗୃଧ୍ରର ଲୋଷ୍ଟ୍ରରେ ହେବ ସମର,

ହୃଦେ ନ ଧରରେ ଚାପି ଅଧର

ଚିପି ଦେଲେ ସିନା ହେବୁ ଆଧାର ରେ ।୨।

 

ଶମନ ସଦନ ଗମନ ଦମନ

କର ରେ ବାମନ ଚନ୍ଦ୍ର ନ ଧର

କମରକୁ କଷି ସମର କଲେ ମୁଁ

ଜିଣି ପାରଇ ଅମର ଭୂପର

ଶକ୍ତିମୋହର ରେ ରବି ଛାମୁର

ଗୋକୁଳାନନ୍ଦ ପଦ ସୁନ୍ଦର ରେ ୩।

 

ହନୁମାନର ମକରଧ୍ଵଜ ପ୍ରତି କଟୂକ୍ତି

ଛାର ପାଜି ରେ ତୋର ଏଡ଼େ ଗୁମାନ,

ମୋ ଶରୀରେ ସବୁ ଚୂନା ହୋଇପାରେ

ମହୀରେ କେ ଅଛି ମୋର ସମାନ । (ଘୋଷ)

କରମ ତୋ ହେଲାଣି ବାମ,

ଖର ସିଂହ ପାଶେ ଗରମ

ଘୋର ଯୁଦ୍ଧ କରି ଘରଣୀକି ରାଣ୍ଡ

କରିବି ଏ ମୋର ସତ୍ୟ ବଚନ ୧।

 

ଦୂର ହୁଅ ଏଠାରୁ ବେଗ

ଧରନା ତୁ ହୃଦରେ ରାଗ

ନରକକୁ ଗତି କରିବୁ ଝଟତି

ଗୋକୁଳାନନ୍ଦ କରୁଛି ରଚନ ୨।

 

ଗୀତ – ୧୨

ଶୁଣିନ ମକରଧ୍ଵଜ ମହା କ୍ରୋଧ କଲା,

ହାଣିବ ବୋଲିଣ ଖଣ୍ଡା ହସ୍ତରେ ଧଇଲା ୧।

ଚୋଟେ ଦେଲା ହନୁମାନ- ବେକ-ସଳଖରେ

ମୋଟେ ନ କାଟିଲା ଚୋଟେ ଭାଙ୍ଗିଗଲା ଖରେ।୨।

ଧରାଧରି ହୋଇକରି ପଡ଼ିଲେ ମହୀରେ

ଧରାଧର ଚୂରି ହେଲା ପାଦର ଘାତରେ ୩।

ପାଦେ ପାଦ ଛନ୍ଦାଛନ୍ଦି, ମୁଣ୍ଡ ପିଟାପିଟି,

ବିଧା ଗୋଇଠା ଚାପୁଡ଼ା, ହେଲା କୁଟାକୁଟି ୪।

ମକରଧ୍ଵଜକୁ ହନୁ ଲେଉଟାଇ ଦେଲା,

ଆରେ ରେ ପାମର ମୃତ୍ୟୁ ନିକଟ ହୋଇଲା ୫।

ରେ ରେ ପାମର ତୋ ପାଞ୍ଜି ପୋଛିଲା ରେ ଯମ,

ନିଲକ୍ଷଣ ହୋଇ ତୁହିଁ ଏଡ଼େତୋର ତମ ।୬।

ଜଳନ୍ତା ଅନଳ ମଧ୍ୟେ ପଶିଲୁ ତୁ ଆସି,

ଜାଣିଲୁ ତୁ ଆସିଅଛୁ ସମରକୁ ରସି ୭।

ସୁମର ତୋ ପିତାମାତା ସୁମର ଦେବତା,

ମୋ କରରେ ନାଶ ଯିବୁ ଜାଣ ରେ ଏକଥା ୮।

ଭୟରେ ଅଥୟ ହୋଇ ସେ ମକରଧ୍ଵଜ,

ବିଲଇ ମୋ ପିତା ଅଟେ ପବନ-ତନୁଜ ୯।

ହନୁମାନ କହେ ମୁହିଁ ପବନର ସୁତ,

କହ କେଉଁପରି ହେଲୁ ମୋଠାରୁ ସଂଭୂତ ୧୦।

ଆଜନ୍ମରୁ ବ୍ରହ୍ମଚାରୀ ବିଭା ହୋଇ ନାହିଁ,

କହ କିପରି ମୋ ବୀର୍ଯ୍ୟୁ ଜାତ ହେଲୁ ତୁହି ୧୧।

ମକରଧ୍ଵଜ କହଇ ଆହେ ମୋର ତାତ,

ଶୁଣ ମୁଁ କହୁଛି ମୋର ଜନ୍ମର ବୃତ୍ତାନ୍ତ ୧୨।

ଯେ ଦିନ ସାଗର ଡେଇଁ ସୀତା ଠାବ କଲ,

ଜଳନ୍ତା ଅନଳେ ପଶି ସେ ଲଙ୍କା ଦହିଲ ୧୩।

ସୀତାଠାବ କରି ପୁଣି ଆସିବାର ବେଳେ,

ଅଙ୍ଗୁ ସ୍ଵେଦବିନ୍ଦୁ ଜଳେ ପଡ଼ିଲାକେ ତଳେ ।୧୪।

ସେହି ସ୍ୱେଦବିନ୍ଦୁକୁ ଯେ ଗିଳି ଦେଲା ମୀନ,

ତହିଁ ନରଦେହ ମୋତେ ଦେଲେ ଭଗବାନ ୧୫।

ସେହି ମୀନ ଜାଲ ଗୋଟି ଧରିଣ କୈବର୍ତ୍ତ,

ମହୀରାବଣର ପୁରେ ହେଲା ଉପଗତ ୧୬।

କାଟନ୍ତେ ସେ ମୀନ ପେଟେ ଥାଇ ମୁଁ କହିଲି,

ହେ ନୃପତିବର ମୋତେ କାଟହେ ସମ୍ଭାଳି ୧୭।

ଯାବତାରେ କାଟିବାରୁ ହୋଇଲି ବାହାର,

ସେହି ଦିନଠାରୁ ରାଜା ଜଗାଇଲା ଦ୍ଵାର ୧୮।

ହନୁମାନ ତା କଥାକୁ ନ ଗଲା ପରତେ,

ସତ୍ୟ ବୋଲି କହିଲେ ସେ ଦେବତା ସମସ୍ତେ।୧୯।

ତାହା ଶୁଣି ହନୁମାନ ତାକୁ ଦେଲା ଛାଡ଼ି,

ଉଠାଣି ମକରଧ୍ଵଜ ପିତାପାଦେ ପଡ଼ି ୨୦।

ସ୍ନେହରେ ମାରୁତି ମୁଖେ ଦେଲାକ ଚୁମ୍ବନ

ପଚାରିଲା ଏ କି ମହୀରାବଣ ଭୁବନ ୨୧।

ମର୍ତ୍ତ୍ୟପୁରୁ ଚୋରାଇ ଆଣିଛି ଦୁଇଜଣ,

ଅଯୋଧ୍ୟା ରାଜାଙ୍କ ପୁତ୍ର ଶ୍ରୀରାମ ଲକ୍ଷ୍ମଣ ୨୨।

କହଇ ମକରଧ୍ଵଜ ସେ ମହୀରାବଣ,

ଆଜ ରାତ୍ରେ ଚୋରାଇ ଆଣିଛି ଦୁଇଜଣ ୨୩।

ପ୍ରଭାତ କାଳରେ ଦେବୀପାଶେ ଦେବ ବଳି,

ପାରିଲେ ଉଦ୍ଧାର କର ତା’ପାଶକୁ ଚଳି ୨୪।

ପୁତ୍ରଠାରୁ ତଥ୍ୟ କଥା ପାଇ ହନୁମାନ,

ଧୀରେ ଧୀରେ କଲା ତାର ପୁରକୁ ଗମନ ୨୫।

ଦେଖିଲା ପିଖରୀ ଏକ ବିରାଜେ ଅଗ୍ରତେ,

ସ୍ନାନ ଶୌଚ ପାଇଁ ସର୍ବେ ଆସନ୍ତି ତୁରିତେ ୨୬।

ସେହି ପୋଖରୀ କୂଳରେ ଏକ ତରୁବର,

ସେ ଗଛକୁ ଆଗେଇଲା ପବନକୁମର ୨୭।

ଆଚମ୍ବିତ ହେଲେ ଦେଖି ଲୋକେ ବାନରକୁ,

ସେ ବୋଇଲେ କେଉଁପରି ଆସିଲା ଏଠାକୁ ୨୮।

ସେମାନଙ୍କ ମଧ୍ୟେ ଥିଲା ଏକ ବୃଦ୍ଧା ନାରୀ,

ସମସ୍ତଙ୍କୁ ବୁଝାଇଲା ସେ ତୁଉନି କରି ୨୯।

ପଡ଼ିଲା ବିପତ୍ତି ନାଶ ଗଲାଟି ନରେଶ,

ଆଜି ତାର ପୂର୍ବଶାପ ଜାଣିଲା ରାକ୍ଷସ ୩୦।

ଏହା ଶୁଣି ବୁଢ଼ୀପାଖେ ଆସିଲେ ଦଉଡ଼ି,

ବୋଇଲେ ତୁ କେଉଁ ପରି ଜାଣିଲୁ ଲୋ ବୁଢ଼ୀ।୩୧।

ବୁଢ଼ୀ କହେ ଆଜିକାଲିର ତୁମ୍ଭେ ଟୋକୀ,

କେତେ କାଳ କଥା ଅବା ତୁମ୍ଭେ ଜାଣିଛ କି ୩୨।

କାହାକୁ ଶହେ ଛକୋଡ଼ି କାହାକୁ ଦୁଇଶ,

ଲକ୍ଷେ ପଚାଶ ହଜାର ମୋତେ ତ ବୟସ ୩୩।

ଏ ମହୀରାବଣ ପିଲାଦିନେ ତପ କଲା,

ବାରବର୍ଷ ଅନାହାରେ ଦୁର୍ଗାଙ୍କୁ ତୋଷିଲା ୩୪।

ପ୍ରସନ୍ନ ହେଲେ କଠୋର ତପ ଦେଖି ଦେବୀ,

ଏ ବୋଇଲା ଅମର ମୁଁ ଯୁଗେ ଯୁଗେ ହେବି।୩୫।

ଅସ୍ତୁ ହେଉ କହି ଦେବୀ ହେଲେ ଅନ୍ତର୍ଦ୍ଧାନ

ଆନନ୍ଦରେ ବାସକୁ ଫେରିଲା ଯାତୁଧାନ ୩୬।

ବର ପାଇ କୌଣପ ଯେ ମନେ କଲା ଗର୍ବ,

ଶୂନ୍ୟେ ଥାଇ ଭଗବତୀ ଜାଣିଲେ ତା ସର୍ବ ୩୭।

ବୋଇଲେ ତୁ ଅହଙ୍କାର କରୁ ରେ ପାମର,

ମନେ ମନେ ଭାବୁଅଛୁ ହେବୁ ତୁ ଅମର ୩୮।

ହେତୁ ରଖିଥାଆ ଆରେ ଧାତୁଧାନ ପାପୀ,

ଯେଉଁ ବର ଦେଲି ତୋତେ ହେବୁ ତୁ ପ୍ରତାପୀ।୩୯।

ଯେ ଦିନ ନରବାନର ତୋ ପୁରେ ପଶିବେ,

ତିନିବାର ସତ୍ୟ ଏହା ସେ ତୋତେ ନାଶିବେ।୪୦।

କାଲି ରାତିରେ ଅସୁର ଗଲା ମଞ୍ଚପୁର,

ସେଠାରୁ ଚୋରାଇ ଆଣିଅଚି ଦୁଇ ନର ୪୧।

ବାନର ତ ବସିଅଛି ଦେଖ ଗଛଡାଳେ,

ଦୁର୍ଗାଙ୍କର ବଚନ ଘଟିଲା ଏତେ କାଳେ ୪୨।

ତୁମ୍ଭଙ୍କୁ ମୋ ରାଣ ଝିଅ ନ କହିବ କାହିଁ,

ଜାଣିଲେ ମୋତେ ହାଣିବ ସେ ରାକ୍ଷସସାଇଁ।୪୩।

ହନୁ ଗଛପରେ ଥାଇ ସବୁ ଶୁଣୁଥିଲା,

ତନୁକୁ ଗୋପନ କରି ରାଜପୁରେ ଗଲା ୪୪।

ଦ୍ୱିତଳ ତ୍ରିତଳ, ଚତୁର୍ଥର ପକ୍କାଘର,

ତନ୍ନତନ୍ନ କରି ସବୁ ଖୋଜିଗଲା ବୀର ୪୫।

ଘରତଳେ ଭୂମି ମଧ୍ୟେ ଗୋଟାଏ ଉଆସ,

ଦିନବେଳେ ସେ ଭୂବନ ରଜନୀ-ଉଆସ  ୪୬।

ସେଇ ପୁରେ ଶୋଇଛନ୍ତି ଶ୍ରୀରାମ ଲକ୍ଷ୍ମଣ,

ମାୟାଧୂଳି ବୋଳି ମୋହ ହୋଇ ଅଚେତନ ୪୭।

ସାତପୁର ଭେଦି କରି ରହନ୍ତି ଅସୁର,

ରାମଙ୍କ ପାଶେ ମିଳିଲା ପବନ-କୁମର ୪୮।

କପାଳରୁ ମନ୍ତ୍ରଧୂଳି ପୋଛିଲା ଶୋକରେ,

ଚେତା ପାଇ ଦୁଇଭାଇ ଉଠନ୍ତେ ସତ୍ୱରେ ୪୯।

ଚେତା ପାଇ ଦୁଇଭାଇ ଉଠନ୍ତେ ବହନ,

ଲକ୍ଷ୍ମଣଙ୍କୁ କହନ୍ତି ଯେ କୌଶଲ୍ୟା-ନନ୍ଦନ ୫୦।

ନାହାଁନ୍ତି ତ ସୁଗ୍ରୀବ, ଜାମ୍ବବ, ହନୁମାନ,

ନୁହଁଇ ତ ସୁବଳ ପର୍ବତ ଏହି ସ୍ଥାନ ୫୧।

ଆମହାତେ ବାଣ ନାହିଁ ନାହିଁ ତ କୋଦଣ୍ଡ,

ଚାରୁଣ ବିଧାତା କିମ୍ପା ଦେଲା ଏତେ ଦଣ୍ଡ ୫୨।

ଗଣ୍ଡଗୋଳ କରୁଛନ୍ତି ଏଠାରେ ଅସୁର,

ଜଣାଯାଏ ମହୀରାବଣର ହେବ ପୁର ୫୩।

 

ଗୀତ – ୧୩

ଧିକ ରେ ମନ୍ଦଧାତା,

ଦେଲୁ କେତେ କଷଣ

ନରପତି କୋଳେ ଜନମ ଦେଇଣ,

ଆଣି କରାଇଲୁ ବନେ ଭୂଷଣ  (ଘୋଷ)

ଝୁରିଣ ପିଅର ଗଲେ ସ୍ଵର୍ଗପୁର,

ବିଧବା ଦଶାକୁ ମାତା ଲଭିଣ

ଅରାଜକ ହେଲା ଅଯୋଧ୍ୟା ନଗରୀ

ନାରୀକି ଚୋରାଇ ନେଲା ରାବଣ ୧।

ବଡ଼ଲୋକ ବୋଲି ଆଶ୍ରୟ ନେଲା ତ

ମୋ ପାଖେ ଆସି ସେହି ବିଭୀଷଣ ।

କହିବା ପ୍ରତିଜ୍ଞା ବିଫଳ ହୋଇଲା

ଶକ୍ତିଭେଦ ହେଲା ବୀର ଲକ୍ଷ୍ମଣ ୨।

ଛଦ୍ମରେ କିଏ ସେ ଏଠାକୁ ଆଣିଛି,

ନୁହଁଇ ତ ଆମ ରହିବା ସ୍ଥାନ ।

ଜୀବ ଯିବ ଜୀବପତିର ପୁରକୁ

ଗୋକୁଳାନନ୍ଦର ବ୍ୟାକୁଳ ମନ ୩।

 

ଗୀତ – ୧୪

ବଞ୍ଚିବାପରି ଏଥିରୁ ଯାଉ ନାହିଁ ଦେଖା,

ଦୈତ୍ୟହାତେ ମରିବାକୁ ହୋଇଚି କି ଲେଖା।୫୪।

ଛପିଥିଲା କପି ଆଗେ ପ୍ରବେଶ ହୋଇଲା,

ନମସ୍କାର କରି ପାଶେ ବୁଝାଇ କହିଲା।୫୫।

କିଛି ଚିନ୍ତା କର ନାହିଁ ଆହେ ସୀତାପତି,

ନିଶ୍ଚେ ମୋ ହସ୍ତେ ମରିବ ଅସୁର ଦୁର୍ମତି ।୫୬।

ରାମ କହିଲେ ରେ ହନୁ କର ପ୍ରତିକାର,

କେତେ କେତେ ବିପଦରୁ କରିଛୁ ଉଦ୍ଧାର।୫୭।

ମୁଁ ଯାଉଛି ଦେବୀପାଶେ କହି ହନୁମାନ,

ଭଗବତୀର ମନ୍ଦିରେ ମିଳିଲା ବହନ।୫୮।

ବୋଇଲା ମୋ ଭଗବତୀ ଶୁଣ ମୋର ବାଣୀ,

ଶ୍ରୀରାମ-ଲକ୍ଷ୍ମଣଙ୍କୁ ଅସୁର ଅଛି ଆଣି।୫୯।

 

Unknown

ଚଉପଦୀ

 

ଗୀତ – ୧୫

ଜୟଦୁର୍ଗା ଲୋ କାଳୀ, ଶିବା ଗଉରୀ,

ବାଳିଶ ରାକ୍ଷସ  ରାମ-ଲକ୍ଷ୍ମଣଙ୍କୁ

କପଟେ ଆଣିଛି ଚୋରାଇ କରି,

ତୁ ପାଞ୍ଚିଲେ ମନ୍ଦ  ହେବ ବଡ଼ ଛନ୍ଦ

ପକାଇବି ନେଇ ବାରିଧିବାରି

ମୁହିଁ ତ ପବନ-  ନନ୍ଦନ ଅଟଇ,

ଶ୍ରୀରାମଙ୍କ ପାଦପଦ୍ମ ଭିକାରି ।୧।

କହେ ଭଗବତୀ ଶୁଣରେ ମାରୁତି

ବର ଦେଲି ଘେନ ହରଷ କରି,

ଥାଇ ମୋର ପଛେ  ଲୁଚି ଦୈତ୍ୟ ନାଶ

କହଇ ଗୋକୁଳାନନ୍ଦ ବିଚାରି ୨।

 

ଗୀତ – ୧୬

ସେ ଦୁହିଁଙ୍କି ବଳି ଦେବ ତୋହ ପାଖେ ଆଣି,

ଏ ମହୀରାବଣ-ପୁରୁ ଅଇଲି ମୁଁ ଶୁଣି ୬୦।

ବିଷ୍ଣୁ-ଅଂଶେ ଜାତ ସେ ଶ୍ରୀରାମ ବେନିଭାଇ,

ଦୁଷ୍ଟଜନଙ୍କୁ ବିନାଶି ଉଶ୍ଵାସିବେ ମହୀ ୬୧।

ଯେପରି ରକ୍ଷା ପାଇବେ ଦିଅ ଉପଦେଶ,

ଏଣୁ କରି ମହାମାୟା ଆସିଛି ତୋ ପାଶ  ୬୨।

ଯଦୂପି ଉପାୟ ମୋତେ ନ ଦେବୁଟି କହି,

ନିୟମ କରୁଛି ଦେବୀ ତୋର ଦେହ ଛୁଇଁ ।୬୩।

ତୋତେ ଫୋପାଡ଼ିବି ନେଇ ସମୁଦ୍ରର ଜଳେ,

ନାଶିବି ଅସୁରକୁଳ ସ୍ଵବାହୁ-କବଳେ।୬୪।

ଦେବୀ କହିଲେ ରେ ବାବୁ ପବନତନୟ

ରାମ ବିଷ୍ଣୁ –ଅଂଶେ ଜାତ ଜାଣେ ତା ନିଶ୍ଚୟ।୬୫।

ଯିଏ ବିଷ୍ଣୁ ସେହି ଶିବ ଜାଣି ଥାଅଭଲେ,

ତାଙ୍କୁ କି ମାରିପାରିବ ଏ ଅସୁର ଭଲେ ୬୬।

ଯେପରି ରକ୍ଷା ପାଇବେ ଶୁଣ ତୁ ଉପାୟ,

ଯେତେବେଳେ ଏଠାକୁ ଆସିବେ ଭ୍ରାତୃଦ୍ଵୟ ୬୭।

ନମସ୍କାର କରିବାକୁ କହିବ ଅସୁର,

ସେ ବୋଲିବେ ଆମ୍ଭେ ଅଟୁ ରାଜାଙ୍କ କୁମର।୬୮।

ନ ଜାଣୁ ତ ନମସ୍କାର କରନ୍ତି କିପରି,

ଜାଣିଥିଲେ ବତାଇ ଦିଅ ହେ ଦଣ୍ଡଧାରୀ ୬୯।

ଯେତେବେଳେ ଦୈତ୍ୟପତି ମାରିବ ମୁଣ୍ଡିଆ,

ପଛପଟେ ହନୁ ତୁହି ହୋଇଥିବୁ ଠିଆ ୭୦।

ମୋ ହସ୍ତରୁ ଖଣ୍ଡା ନେଇ ହାଣିବୁ ତା ଶିର,

ଶୁଣିଣ ଆନନ୍ଦ ହେଲା ହନୁମାନ ବୀର ୭୧।

କହିଲା ଏକଥା ସବୁ ରାମଙ୍କ ଆଗରେ,

ଛଅ ଘମି ଦିନ ଆସି ହେଲା ଏ କାଳରେ  ୭୨।

ବାତସୁତ ଦେବୀଙ୍କର ପଛରେ ଗୋପନ

ପୂଜା କରିବାକୁ ବାହାରିଲା ଯାତୁଧାନ ୭୩।

ଘଣ୍ଟା ମର୍ଦ୍ଦଳ, ମହୁରୀ ବାଜଣା ଅପାର,

ସଙ୍ଗତେ ଅଛନ୍ତି ଅଗଣିତ ବାଦ୍ୟକାର ୭୪।

ନିଜେ ପୂଜାସାମଗ୍ରୀ ଧରିଛି ଦୈତ୍ୟପତି,

ପ୍ରବେଶ ହୋଇଲା ଯାଇ ଭଗବତୀ-କତି  ୭୫।

ଦେବୀଙ୍କ ସ୍ନାନ ମାର୍ଜନା କଲା ସମାପନ,

ଶ୍ରୀରାମ-ଲକ୍ଷ୍ମଣଙ୍କୁ କହିଲା ଯାତୁଧାନ ୭୬।

ଇଷ୍ଟ ଦେବୀଙ୍କି ମୋହର କର ନମସ୍କାର,

କହନ୍ତି କୌଶଲ୍ୟା-ସୁତ ଆହେ ଦଣ୍ଡଧର  ୭୭।

ନ ଜାଣୁ ତ ନମସ୍କାର କରନ୍ତି କିପରି,

ଜାଣିଥିଲେ ବତାଇ ଦିଅ ହେ ଦଣ୍ଡଧାରୀ ୭୮।

ଏହା ଶୁଣି ଦୈତ୍ୟପତି ମାରିଲା ମୁଣ୍ଡିଆ,

ପଛପଟେ ହନୁମାନ ହୋଇଥିଲା ଠିଆ ୭୯।

ଦେବୀହସ୍ତୁ ଖଣ୍ଡା ନେଇ ହାଣିଲା ତା’ ମୁଣ୍ଡ,

ପଳାଇଲେ ଯେତେ ଲୋକ ହୋଇଥିଲେ ରୁଣ୍ଡ ୮୦।

ଶ୍ରୀରାମ ପ୍ରଶଂସା କଲେ ଧନ୍ୟ ରେ ମାରୁତି,

ଆବର ପ୍ରଶଂସା କଲେ ସୁମିତ୍ରା-ସନ୍ତତି ୮୧।

ଏକା ଶ୍ରୀରାମ-ଲକ୍ଷ୍ମଣ ପବନର ସୁତ,

ସେଠାରେ ରହିଲେ ପଳାଇଲେ ଯେ ସମସ୍ତ ୮୨।

ସେ ତିନିଜଣଙ୍କୁ ତ୍ରିଭୁବନେ ନମସ୍କାର,

ପ୍ରଭୁ ଗୋକୁଳନନ୍ଦକୁ ଭବରୁ ଉଦ୍ଧାର ୮୩।

 

ମହୀରାବଣର ପୂର୍ବଜନ୍ମ

 

ଶୁଣ ଜନେ ମହୀରାବଣର ପୂର୍ବ କଥା,

ପୁରାଣ ବଚନ ଏ ତ ନୁହେଁ କେବେ ମିଥ୍ୟା ୧।

ଚକ୍ରଧର ନାମେ ଏକ ଗନ୍ଧର୍ବ-ସନ୍ତାନ,

ପ୍ରତିଦିନ ନୃତ୍ୟ କରେ ବିଷ୍ଣୁ-ସନ୍ନିଧାନ ୨।

ଦିନେ ଅଷ୍ଟାବକ୍ର ତହିଁ ହେଲେ ପରବଶ,

ତାଙ୍କୁ ଦେଖି ଗନ୍ଧର୍ବ ଯେ କଲା ଉପହାସ ୩।

କୋପ କରି ମୁନି ତାକୁ ଦେଲେ ଅଭିଶାପ,

ଏହି ଅପରାଧ ଘେନି ହୁଅ ରେ କୌଣପ ୪।

ଶୁଣିଣ ଗନ୍ଧର୍ବ ପାଶେ କଲା ନମସ୍କାର,

ଦୟା ବହି କହି ଶାନ୍ତି କର ପ୍ରତିକାର ୫।

ଅଷ୍ଟାବକ୍ର କହିଲେ ଯେ ଶୁଣ ଆରେ ଦୁଷ୍ଟ,

ନଷ୍ଟ ବୁଦ୍ଧି ଘେନି ମୋତେ ଦେଖିଲୁ ପାପିଷ୍ଠ ୬।

ରାବଣର ବୀର୍ଯ୍ୟେ ମର୍ତ୍ତ୍ୟପୁରେ ହେବୁ ଜାତ,

ପାତାଳପୁରେ ଯାଇଣ ହେବୁ ନରନାଥ ୭।

ରାବଣକୁ ମାରିବାକୁ ବିଷ୍ଣୁ ଅବତାର,

ଦଶରଥ ଘରେ ଜନମିବେ ଲମ୍ଭୋଦର ୮।

ବିଷ୍ଣୁଙ୍କର ଅଂଶେ ଜାତ ହେବେ ଚାରିସୁତ,

ନାମ ଶ୍ରୀରାମ ଲକ୍ଷ୍ମଣ ଶତ୍ରୁଘ୍ନ ଭରତ ୯।

ସେଠାରୁ ତୁ ନେବୁ ଦୁଇଭାଇଙ୍କୁ ଚୋରାଇ

ରଖିବୁ ସେ ଦେବୀପାଶେ ବଳି ଦେବାପାଇଁ ୧୦।

ଖଡ଼ଗରେ ହାଣିବ ତୋ’ ମୁଣ୍ଡ ହନୁମାନ,

ଶାପମୁକ୍ତ ହୋଇ ସ୍ଵର୍ଗେ ଆସିବୁ ବହନ ୧୧।

ବ୍ରହ୍ମା କହିଲେ ଦେବତାମାନଙ୍କର ପାଶ,

ଗୋକୁଳାନନ୍ଦ କରିଲା ଗୀତେ ପରକାଶ ୧୨।

 

ଚଉଦ ଅକ୍ଷରୀ

 

ଏଥୁଅନ୍ତେ ମନ କର୍ଣ୍ଣ ଦେଇ ଜନେ ଶୁଣ,

ରାଣୀ ଶୁଣିଲା ସେ ନିଜ ଧବର ନିଧନ ୧।

ଧନୁଶର ଧରି ଯୁଦ୍ଧେ ବାହାରିଲା ଆପେ,

ତାହା ସଙ୍ଗେ ବାହାରିଲେ ଅସଂଖ୍ୟ କୌଣପେ ୨।

ହନୁମାନ ସଙ୍ଗେ ଯାଇ କଲେ ଘୋର ରଣ,

ହସ୍ତପାଦ ଗତେ କେତେ ଲଭିଲେ ମରଣ ୩।

ଛଡ଼ାଇ ନେଲା ସେ ରାଣୀ ହସ୍ତୁ ଧନୁଶର,

ପାଦାଘାତେ ପ୍ରହାରିଲା ପବନ-କୁମର ୪।

ଗର୍ଭବତୀ ହୋଇଥିଲା କଲା ସୁତ ଜାତ,

ଛଟପଟ ହୋଇ ରାଣୀ ମଲା ତ ସାକ୍ଷାତ ୫।

ସେ ନନ୍ଦନ ଗୋଟେ କଲା ବହୁତ ସମର,

ତାହାକୁ ଧରିଲାବେଳେ ପବନ-କୁମର ୬।

ଲାଳେ ଆଟୁ ପାଟୁ ହାତରୁ ସେ ଯାଏ ଖସି,

ସେ ହେତୁ ପବନ ସୁତ ନ ପାରିଲା ନାଶି  ୭।

ମନେ ମନେ ପବନକୁ କଲା ସୁମରଣ,

ବହୁଧୂଳି ଉଡ଼ାଇ ବହିଲା ସମୀରଣ ୮।

ଧୂଳି ଲଟପଟ ହେଲା ଯହୁଁ ଦୈତ୍ୟସୁତ,

ଦୁଇ ହାତେ ଧରି ତାକୁ ବୀର ହନୁମନ୍ତ ୯।

ଶିଳାପରେ କଚାଡ଼ନ୍ତେ ଲବିଲା ମରଣ,

ମକରଧ୍ଵଜକୁ ତହିଁ କଲେ ନୃପରାଣ ୧୦।

ମର୍ତ୍ତ୍ୟ ପୁରକୁ ଅଇଲେ ଶ୍ରୀରାମ ଲକ୍ଷ୍ମଣ,

ଫେଡ଼ିଲେ ସେ ଦେବଙ୍କର ଏରୂପେ କଷଣ ୧୧।

ଖବର ପାଇ ବହୁତ କାନ୍ଦିଲେ ରାବଣ,

ବୋଇଲା ସାମାନ୍ୟ ନୁହନ୍ତିଁ ସେ ଦୁଇଜଣ ୧୨।

ହରଷ ହେଲେ ଜାନକୀ ଖବର ପାଇଣ,

ଆବର ଆନନ୍ଦ ହେଲେ ସୁଗ୍ରୀବ ବିଭୀଷଣ ୧୩।

ହନୁମାନଙ୍କୁ ପ୍ରଶଂସା କଲେ ଜଣେ ଜଣ,

ଅମୃତ-ସମାନ ଅଟେ ଏହି ରାମାୟଣ ୧୪।

ପାନ କରି ତୋଷୀ ହୁଅ ଆହେ ସାଧୁଜନ,

ନ ଦଣ୍ଡିବ ଯମ ୟାକୁ କରିଲେ ଶ୍ରବଣ ୧୫।

ଏହିଠାରେ ଶେଷ ହେଲା ମୋହର ପୁରାଣ

ଗୀତେ କହଇ ଗୋକୁଳନନ୍ଦ କରଣ ୧୬।

 

ଅଷ୍ଟକାଳ ପ୍ରଭାତ

ପ୍ରଥମ ଛାନ୍ଦ

ରାଧାଙ୍କ ଶଯ୍ୟା ତ୍ୟାଗ

 

ସକଳ ଗୁଣଜ୍ଞ ନର କଳ ଏ ରସ

ସକାଳ କାଳ ଚରିତ ଅତି ସରସ । (ଘୋଷ)

ସଜକଞ୍ଜ ଦରହାସ ସୁରତେଜ ପରକାଶ

ଦ୍ଵିଜାଳି କୂଜନ ଜନେ ହେଲା ବିଶେଷ

ଅନ୍ଧାର ଧାର ଉଠିଲା ଶଯ୍ୟା ତେଜିଣ ଜଟିଳା

ରାଧାମନ୍ଦିରେ ଜୁଟିଲା କ୍ରୋଧ ମାନସ ୧।

 

ସନ୍ଧାନ ପାଇଲା ତହିଁ ପିନ୍ଧା ବସନକୁ ଚାହିଁ,

ବନ୍ଧାଇବୁ ଜାତି ପାଟକରେ ଅବଶ୍ୟ

ପିଧାନ କୁଷ୍ଣ ବସନ ବିଧାନ କରି ଏସନ

ରାଧା ବିଚଳିତ ହୁଏ ଦେଖି ଏ ଦୃଶ୍ୟ ୨।

 

ଗନ୍ଧାଉଛି ତୋର ଗାତ୍ର ଶ୍ରଦ୍ଧା ନାହିଁ ତ କିଞ୍ଚିତ

ବନ୍ଧା ନନ୍ଦାତ୍ମଜ ପ୍ରେମେ ନିଶି ଦିବସ

ସୁଧାପାନେ ନାହିଁ କ୍ଷୁଧା ଯୋଦ୍ଧାକୁ ମଣୁଛି ଗଧା

ବିଧାତା ଜୁଟାଇଅଛି ମୋ କର୍ମଦୋଷ ୩।

 

ବାଧା ଦେଇ ସଖିକୁଳ ବୋଧି କହିଲେ ଚଞ୍ଚଳ

ବୁଦ୍ଧିଭ୍ରମ ହେଲା ତୁମ ଗଲା ବୟସ

ନିଦାରୁଣ ବାଣୀ ଭଣି ନିନ୍ଦା କର ଠାକୁରାଣୀ

କଦାପି ନୁହେଁ ଏ ଛନ୍ଦାପାଦର ଦୋଷ ୪।

 

ବସନ୍ତ ଉତ୍ସବ କାଲି ବସନ୍ତ ଦିବସ ଭାଳି

ତୋଷ ହୋଇ ବୃଦ୍ଧାଚଳିଗଲା ରଭସ

ସାନନ୍ଦେ ଭାନୁକୁମାରୀ ସ୍ନାନ ବିଧାନାଦି ସାରି

ବର୍ଣ୍ଣିବ ଗୋକୁଳାନନ୍ଦ ଏ ଅନ୍ତେ ରସ ୫।

 

ଦ୍ଵିତୀୟ ଛାନ୍ଦ

(ରାଧାଙ୍କ ବେଶବର୍ଣ୍ଣନା)

 

ନୁହେଁ କ୍ଲେଶ ଭାଷ କିଶୋରୀଙ୍କ ବେଶ, ବର୍ଣ୍ଣନାରେ ଦିଅ ମତି,

କଷ ହେ ବିଦୁଷ ଦୋଷଚୟ ନାଶ, ହୋଇଣ ଏ ରସବର୍ତ୍ତୀ ।

ପାଖରେ ପାଶରେ ନ ନେବ ଯମ, ଶେଷରେ ପାଇବ ବୈକୁଣ୍ଠ ଧାମ ।୧।

ଶୈଳସ୍ତନା ତୈଳ ଲଗାଇ ଶୈବାଳ କେଶକୁ ଶାମଳି ଦେଲେ

କୃଷ୍ଣଫଣୀ ଜିଣି ବେଣୀ ସଜାଡ଼ିଲେ, କୃଷ୍ଣେ କିଣି ନେବ ଭଲେ

ନାକରା ନ ଦିଶେ ସୁନାକାକରା, କେତକି କେତକୀ ପରାଏ ତ୍ଵରା ।୨।

ଇନ୍ଦୁ ନିଭାନନେ ସିନ୍ଦୂର ବିନ୍ଦୁଟି ଦେଲେ ବଂଧୁକ-ଅଧରା,

ଉଜ୍ଜଳ ନୟନେ କଜ୍ଜ୍ଵଳ ଗାରଟି ଭୁରୁ ଚାପେ ଶର ପରା,

ସିନ୍ଧୁଫଳ ଦେଲେ ନାସାରେ ରଞ୍ଜି, ମଧୁପକୁନ୍ତଳା ମଧୁରେ ଗଞ୍ଜି ।୩।

କର୍ଣ୍ଣେ କର୍ଣ୍ଣଫୁଲ ସ୍ଵର୍ଣ୍ଣ ତ ଅମୂଲ୍ୟ ବର୍ଣ୍ଣନା କି ପ୍ରୟୋଜନ,

ମାକରିଆ ରିଙ୍ଗ ଦୁଲ ସଙ୍ଗେ ତୁଲ ନାହିଁ ତ ଭୂଷଣମାନ

ପାଟକ କୁଳରେ ହାଟକ ଗାତ୍ରୀ ତାଟଙ୍କ ଝଟିତ ଖଞ୍ଜିଲେ ତିଥି  ।୪।

ହନୁରେ ମକରୀ କରି ଦେଲେ କରୀଗମନା ତାଙ୍କର ଖରେ,

ଅଙ୍କୁ ନୟନରେ କୁଙ୍କୁମର ଚିତ୍ର ପତ୍ର ପ୍ରତୀତ ଲେଖିଲେ,

ଆନ ବର୍ଣ୍ଣନାରେ କି ବା ମାଧୁରୀ, ଗୋକୁଳାନନ୍ଦ ଏଇ ବେଶକାରୀ ।୫।

 

Unknown

କୃଷ୍ଣଙ୍କ ଶଯ୍ୟା ତ୍ୟାଗ

 

ବସି ନିଶ୍ଚିନ୍ତରେ କଷିବ ଚିତ୍ତରେ

ରସିକ ସନ୍ଥ ମହନ୍ତ ରସ ଏ ଚରିତରେ । (ଘୋଷ)

ଯଶୋଦା କୃଷ୍ଣ ଶୟନ ମନ୍ଦିର ଦ୍ଵାରେ ବହନ

ଡାକ ଦେଲେ ଆରେ ଉଠ ଉଦୟ ହେଲେ ତପନ

ମଠ କରୁ କେତେ

ବଳରାମ ସହ ଗୋଠେ ଗୋପସୁତ ଉପସ୍ଥିତ ଘର-ଭିତରେ ।୧।

କାକପିକ ଦେଲେ ଡାକ କପୋତ କରଇ ଶୋକ

ଶୁକସାରୀ ପଢ଼େ ଶ୍ଲୋକ ଏକତ୍ରିତ ଚକ୍ରବାକ

ମୂକ ଯେ ପେଚକ

ଚୌର ଭଦ୍ରଲୋକ ହୋଇ ପହିଜ କରନ୍ତି ଲୋକଙ୍କ ଅଗ୍ରତରେ ।୨।

କବାଟ ଫିଟାଇ ରାଣୀ ରୋହିଣୀଙ୍କି ଡାକି ଆଣି

ଦେଖାଇ କହନ୍ତି ବାଣୀ ଦେଖ ମୋର ନୀଳମଣି

ରାଧା ଠାକୁରାଣୀ

ନିଜ ଶାଢ଼ୀ ଆଣି ପିନ୍ଧେ କେମିତି କେଜାଣି ସନ୍ଦେହ ମୋ ଅନ୍ତରେ ।୩।

ଶଯ୍ୟା ତେଜିଣ ଗୋକୁଳ ମୁଖେ ଆମଞ୍ଚିଲେ ଜଳ

ଦନ୍ତ ମାର୍ଜନ ତତ୍‌କାଳ ଏବିଧି ସାରି ସକଳ

ଶ୍ରୀ ମଧୁ ମଙ୍ଗଳ

ବସନ୍ତ, କୋକିଳ, ଦାମ, ସୁଦାମ, ସୁବଳ, ଦାମୋଦର ସଂଗତରେ ।୪।

ଦୋହନ ସାରି ମୋହନ ଗୃହେ ପ୍ରବେଶ ବହନ

ସୁଗନ୍ଧ ତୈଳ ମର୍ଦ୍ଦନ ହୋଇଣ ବଂଶୀବଦନ

ବନକୁ ଗମନ

ଯଥାବିଧି ସ୍ନାନ ସାରି ପ୍ରବେଶିଲେ ଝୀନବସ୍ତ୍ର ପିନ୍ଧି ସତ୍ଵରେ ।୫।

ପୂର୍ବରୁ ଯଶୋଦା ଗୋଇ କୁନ୍ଦଲତାକୁ ପଠାଇ

ରାଈଙ୍କି ଆଣିଲେ ରାଇ ରନ୍ଧନ ସାମଗ୍ରୀ ଦେଇ

କହିଲେ ବୁଝାଇ

ପାକ କର ଯାଇ କହେ ଗୋକୁଳାନ୍ଦନ ପଟ୍ଟନାୟକ ଗୀତରେ ।୬।

 

ରାଧାଙ୍କ ରନ୍ଧନ ବିଧି

 

ଶ୍ରଦ୍ଧାମନେ ମେଧାବୀ କର ସନ୍ଧାନ

ନନ୍ଦ-ମନ୍ଦିରେ ରାଧା-ରନ୍ଧା ବିଧାନ

ପ୍ରଧାନ ଜନମାନଙ୍କୁ ସୁଧା ସମାନ

ସିଧା ସିଧା ସ୍ଵର୍ଗକୁ କରିବ ଗମନ ।

ବୃଦ୍ଧାବସ୍ଥା ଯାଙ୍କର ତାଙ୍କୁ ଏ ସୁରୁଚିର

ଅଧାପାଠୁଆଙ୍କୁ ଏ ଅନ୍ଧାର ପରକାର ।

ବାଧା ଦେବନି କେବେ ମେଧା ହେବ ନିକର

କ୍ଷୁଧା ପିପିସା ନ ଲାଗିବ ଶ୍ରବଣ କର ।

ଉଦ୍ଧାର ହେବ ଭବୁ ବହନ ।୧।

କ୍ଷୀରି କ୍ଷୀରିଶା ଖେଚେଡ଼ି ବିବିଧ ଅନ୍ନ

ନାରିକେଳ ସରି ସରି ଭିତରେ ଜାଣ ।

ଦ୍ରବ୍ୟ ଲବଙ୍ଗ କେତେ ଦ୍ରାକ୍ଷା ସଂଖ୍ୟାନୁପାତେ

ଗବ୍ୟ ହବ୍ୟ ମିଶ୍ରିତ ସମ୍ଭବ ପରକାରେ ।

ହେଜ ହେ ତେଜପତ୍ର ପଡ଼ି ବଡ଼ି ତହିଁରେ

ପୟହୀନ ପାୟସ କେବଳ ଯେ ପୟରେ ।

କର୍ପୂରର ମୂର୍ଚ୍ଛନା ରହିଅଛି ତହିଁରେ

ଅନ୍ନପୂର୍ଣ୍ଣା ପତ୍ରର ବାସ ମହକଭରେ ।

ସୁରୁଚିରେ ସମ୍ପାଦି ଏମାନ ।୨।

 

ନାକରା ନୁହେଁ କାକରା ମାଣ୍ଡୁକା ଘେନ

ଗୁଡ଼, ଘିଅ, କ୍ଷୀରିଶା, ଆରିସା ପ୍ରମାଣ ।

ରାବେଡ଼ି ଛେନାଖଇ ପୁଡ଼ିଆ ମାଠପୁଳି

ଛେନାମଣ୍ଡା ନକ୍ଷତ୍ର ଏଣ୍ଡୁରି ସରପୁଳି ।

ଛୁଞ୍ଚିପତ୍ର, ଚତାଉ, ପୁରି, ସରୁ ଚକୁଳି

ବରା, ପକୁଡ଼ି ଆଦି ଖଜା ଭଳିକି ଭଳି ।

ଗଜା, ଅମାଲୁ, ମାଲପୁଆ ପାରେ କି କଳି

ଟିକାଏ ନୁହେଁ ଆଟିକାଏ ଗୋଟିକା କରି

ଅଧାମ ନୁହେଁ ମଧ୍ୟ ସମାନ ।୩।

 

ମଗଜ ଲଡ଼ୁ ଖୁରୁମା ପାରିଜାତକ

ସୀତାଭୋଗ ଡାଳିମ୍ବ ଜିଲାପି ଯାକ ।

ଜଗନ୍ନାଥ ବଲ୍ଲଭ, ମାଣ୍ଡୁଆ, ରସାବଳୀ

ଜେନାମଣି ବୁନ୍ଦିଆ, ରଙ୍ଗେ ଭଳି ଭଳି ।

ମୋହନ ଭୋଗ କଲେ ମୋହନଭୋଗ ଭଳି

ସୁପକ୍ଵ କରି ସିଦ୍ଧ କଲେ ସେ ନବବାଳୀ ।

ବଢ଼ି ହେଲା କଟରା ଥାଳିଆ ସୁନାଥାଳୀ

ଆସନ ପରେ ଯାଇ ବସିଲେ ବନମାଳୀ ।

ପାଶେ ବସି ଯଶୋଦା ଚିହ୍ନାନ୍ତି ଭଳି ଭଳି

ଦୀନ ଗୋକୁଳାନନ୍ଦ ରଚନ ।୪।

 

କୃଷ୍ଣଙ୍କ ଭୋଜନ

 

ନନ୍ଦରାଣୀ ଭଣିଲେ ଧନମାଳି ରେ

ବସି ଭୋଜନ କର ବନମାଳୀ ରେ । (ଘୋଷ)

ମୁଗ, ମସୁର, ହରଡ଼, ବୁଟ ଡାଲିରେ

ମରିଚ ପାଣି କରିଛି କଦଳୀରେ ।

ଲେଉଟିଆ କୋଶଳା ଚାଖ ଶାଗଭଜାରେ

ମହୁର ବେସର ଏ ଇଚ୍ଛା ତୋ ଆମ୍ବିଳରେ ।

ଛେନାବରା ତିଅଣ ରଖିଛି ଯତନରେ

ସନ୍ତୁଳିତ ନ ହେବ ଏ ଶୁଦ୍ଧ ସନ୍ତୁଳାରେ ।

ଲେମ୍ବୁ, ଆମ୍ବ, କମଳା ଶ୍ରଦ୍ଧା ତୋର ଆଚାରେ

ନିଶ୍ଚିନ୍ତ ବସି ଭୁଞ୍ଜ ହେଉଥିବ ଭୋକ ରେ ।

ଏ ଅଟଇ ଗୋଳିଆ ଗୋଳି ରେ ।୧।

 

ଘୃତରେ ଭଜା ହୋଇଛି ଭଳି ଭଳି ରେ

ଗୋଟି ଗୋଟେ କେ କରିପାରିବ କଳି ରେ ।

କଅଁଳ ବରଗଡ଼ା ଅସାଢ଼ୁଆ ପାକଳ

ଖଡ଼ା, ସଜନା ଛୁଇଁ, ବାଇଗଣ କୋମଳ ।

କଡ଼ିକିଆ, କାଙ୍କଣ, ଖମ୍ବାଳୁ କନ୍ଦମୂଳ

କରବା, ସାରୁ, ଭଲ ଓଲୁଅ, ରମ୍ଭାଫଳ ।

ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, କଲରା ଯେ ପୋଟଳ

ଲେଉଟ ଲଙ୍କା ମରିଚ ଯେ କଖାରୁ ଫୁଲ ।

 

ସାକରକନ୍ଦ ରସାବଳୀ ରେ ।୨।

ଭୋଜନ ଆଚମନାନ୍ତେ ନାଗବଲ୍ଲୀ ରେ

ଭୁଞ୍ଜ ଶୟନ କରିଲେ ତୂଳି ତଳ୍ପରେ ।

ରାଧା ମଞ୍ଚାଳି ପାଦ କୃଷ୍ଣ ଯାଆନ୍ତେ ନିଦ

କବାଟ ଦେଇ ପୁରୁ ବାହର ମନ୍ଦମନ୍ଦ ।

ବୃଷଭାନୁ ତନୁଜା ଭୁଞ୍ଜି ତନୁ ପ୍ରମାଦ

ଯାବଟକୁ ଚଳିଲେ ରାଇ ହୋଇ ଆନନ୍ଦ ।

ପ୍ରାତଃକାଳ ଲାଳା ଏ ସମ୍ପୂର୍ଣ୍ଣ ସୁଧୀବୃନ୍ଦ

ସାଧୁଜନେ ମିନତି କରେ ଗୋକୁଳାନନ୍ଦ

ଗୋପଦାଣ୍ଡ ମଣ୍ଡପ ଧୂଳିରେ ।୩।

 

କୃଷ୍ଣଙ୍କୁ ଗୋପ ବାଳକଙ୍କ ଆହ୍ଵାନ

 

ଦ୍ରବିଯିବ ପାତକ   କବି ପଣ୍ଡିତ ଯାକ

ସବିତାସୁତରେ ଶ୍ରବଣ କର

ଅବଧାନ ସହିତ   ଅବିଧାନ ରହିତ

ଅଭିଧାନ ସଂଯୁକ୍ତ ଏ ଗୀତବାର ।୧।

ଗୋପ ବାଳକବୃନ୍ଦ   ଆନନ୍ଦମନେ ନନ୍ଦ-

ମନ୍ଦିରେ ପରବେଶ ପୂର୍ବାହ୍ଣର

ଉଠ ଉଠ କହ୍ନାଇଁ   ଗୋଠକୁ ଯିବା ପାଇଁ

ମଠ ନ କର ହେଲାଣି ଉଛୁର  ।୨।

ରାଣୀ ଭଣିଲେ ଜାଣି   ଶୁଣ ରେ ନୀଳମଣି

ଗୋରୁ ଜଗିବା ନାହିଁ ଦରକାର

ଡରୁଥାଉ କିଞ୍ଚିତେ   ଘରୁ ଯିବୁ କି ଚିତ୍ତେ

ଥରୁଅଛି ମୋ ହୃଦ ବାରମ୍ବାର  ।୩।

ମୁଁ ତ କହିଲି ମାତ   ଜାଣୁନାହୁଁ କି ତୁତ

ଅଟଇ ଜୀବିକା ତ ସେ ଆମ୍ଭର

କହେ ଗୋକୁଳାନନ୍ଦ   ରାଣୀଙ୍କ ପ୍ରତିବାଦ

ଆନ ଗୀତରେ କରିବ ପ୍ରଚାର  ।୪।

 

ବନଗମନକୁ ଯଶୋଦାଙ୍କ ବାରଣ

 

ଏକୋଇର ବଳା ଆରେ ମୋ ବିଶିକେଶନ

ନୟନ ପିତୁଳା ରେ ଧନ ଜୀବର ଜୀବନ

ବନେ ନ ଯା’ ନ ଯା’

ତୋ ବାପ ତ ଏ ଗୋପର ରଜା ରେ

କି ବୋଲିବେ ଏ ଗୋପ ପରଜା ରେ ।୧।

ହିଂସା କରେ କଂସାସୁର ନିଶି ଦିବସରେ

ଭାବି ଭାବି ତାହା କଥା ମୋ ଦିନ ନ ସରେ

ବନେ ନ ଯା’ ନ ଯା’

କଂସଦୂତେ ହେଉଥାଉ ଖୋଜା ରେ

ହାବୁଡ଼େ ପଡ଼ିଲେ ଦେବେ ସଜା ରେ ।୨।

ଯମର ସମାନ ଭୟ ପାମର ଦୈତ୍ୟକୁ

ସୁମରଣା କଲେ ପାଏ ମରଣ ବ୍ୟଥାକୁ

ବନେ ନ ଯା’ ନ ଯା’

ଜାଣି ନାହୁଁ ଗୋରୁଚରା ସଜା ରେ

ଘରେ ବସି ସୁଖେ କର ମଜ୍ଜା ରେ ।୩।

ଦଣ୍ଡେ ନ ଦେଖିଲେ ପିଣ୍ଡେ ନ ରହେ ଜୀବନ

ଦାଣ୍ଡେ ଚାହୁଁଥାଏ ଚାଣ୍ଡେ ଘାଣ୍ଟିହୁଏ ମନ

ବନେ ନ ଯା’ ନ ଯା’

ମନା ମାନ ଦେବି ଲଡ଼ୁ ଖଜା ରେ

ରଖୁଆଳ ଅଛି ମୋର ଖଞ୍ଜା ରେ ।୪।

ମନାକୁ ନମାନି କୃଷ୍ଣ ବନକୁ ଯିବାକୁ

ଅଳିକଲେ ବଳି ବଳି ଚଳି ଜନନୀଙ୍କୁ

ବନବେଶ ରସ

ଶୁଣନ୍ତେ ତ୍ରିତାପ ହେବ ନାଶରେ

ନଧର ଗୋକୁଳାନନ୍ଦ ଦୋଷରେ ।୫।

 

କୃଷ୍ଣଙ୍କ ବେଶ ଓ ବନଗମନ

 

ରତ୍ନ ପଲଙ୍କରେ ବସାଇ କୃଷ୍ଣଙ୍କୁ ବେଶ କଲେ ନନ୍ଦରାଣୀ

ସୁନା ପାନିଆରେ ଶାମଳି କେଶକୁ ପକାଇଦେଲେ ସେ ବେଣୀ ।

ମୟୂରଚନ୍ଦ୍ରିକା ଖଞ୍ଜିଲେ ଶିରେ

ମନ୍ଦ ମରୁତରେ ଦୋହଲେ ଧୀରେ ।୧।

 

ଗୋରୋଚନା ଚିତା ଚିନ୍ତାମଣିଙ୍କର ଚିତାରେ ଦେଲେ ବହନ

ପୀତାମ୍ବର ପାଟ କୁଞ୍ଚି ପିନ୍ଧାଇଲେ ଜଡ଼ିଛି ଅଷ୍ଟ ରତନ

ବେନି ଚରଣରେ ଦେଲେ ନୂପୁର

ବାହୁରେ ବାହୁଟି କି ମନୋହର  ।୨।

 

ଗୁଞ୍ଜମାଳ କୁଞ୍ଜବିହାରୀଙ୍କ ବକ୍ଷେ ଖଞ୍ଜରେ ଦେଲେ ଲମ୍ବାଇ

କଟିରେ ଘଣ୍ଟି ଘାଗୁଡ଼ି ବାନ୍ଧିଦେଲେ ନାସାରେ ବସଣି ଦେଇ ।

ଭାଲେ ଭଲେ ଦେଲେ ଚନ୍ଦନବିନ୍ଦୁ

ନିନ୍ଦୁଅଛି ସେ ତ ପୂର୍ଣ୍ଣମୀ ଇନ୍ଦୁ  ।୩।

 

ଆଣି ଶିଙ୍ଗାବେତ ଦଧିଗୁଡ଼ ଭାତ ବେନୁ ଦେଲେ ନନ୍ଦରାଣୀ

ଗୋରୁ ପଲ ଘେନି ଗୋପାଳଙ୍କ ସଙ୍ଗେ ବାହାରିଲେ ଯଦୁମଣି

ମଧ୍ୟରେ ବିଜୟ କଲେ ଗୋବିନ୍ଦ

ଚାରିପାଶେ ଗୋପବାଳକ ବୃନ୍ଦ  ।୪।

 

ବଜାଇ କାହାଳୀ ମୁରଲୀ ଗୋପାଳ ବାଳକେ କରନ୍ତି ନୃତ୍ୟ

ସାତପାଞ୍ଚ ମିଳି ବାଡ଼ିଖେଳ କରି ଗାଉଛନ୍ତି କେହି ଗୀତ ।

ଗଉଡ଼ ବାଳକ ଦଉଡ଼ି ଯାଇ

ଲଉଡ଼ି ଧଇଲେ ଘଉଡ଼ି ଗାଈ  ।୫।

 

ହମ୍ବାରଡ଼ି କରି ଉଡ଼ାଇଲେ ଧୂଳି ଆଗେ ଧେନୁ ପଛେ ବତ୍ସା

ବାଳ ବୃଦ୍ଧ ଯୁବା ମହୀରେ ଦେଖନ୍ତି ଘର ପଡ଼ିଅଛି ଚୁଚ୍ଛା ।

ସେ କାଳରେ ଶୋଭା କେ ପାରେ କହି

ନିଜେ ଅନୁଭବ ଯେ କରିନାହିଁ  ।୬।

 

ଯାବଟେ କିଶୋରୀ ଗବାକ୍ଷ ମାର୍ଗରେ କୃଷ୍ଣରୂପ ବିଲୋକିତ

ପ୍ରାବୃଟେ କଦମ୍ବ ସୁମନ ପରାଏ ଅପଘନ ପୁଲକିତ ।

ଲଳିତା ସଖୀରେ କହନ୍ତି ଗିର

ବିରହ ଜ୍ଵରରେ ଥରେ ଶରୀର  ।୭।

 

ଶ୍ୟାମରୂପ ଦେଖି ଟାଣ ଭାଙ୍ଗେ ସଖୀ କାମ ମାରେ ଶର ଯୋଖି

ଯେତେ ଦେଖିଲେ ବି ନବଘନ ରୂପ ନୟନେ ରହଇ ଲାଖି

ଅପାଙ୍ଗେ ସଙ୍କେତ କରି ଗୋବିନ୍ଦ

ବନେ ଗଲେ କହେ ଗୋକୁଳାନନ୍ଦ  ।୮।

 

ନୌକା ବିଳାସ

ଗୀତ – ୧

 

କ୍ଷେତ୍ର ଶ୍ରୀ ପୁରୁଷୋତ୍ତମ ହେ

ହରି ବିଜୟ ନୀଳ କନ୍ଦର

ଦାରୁବ୍ରହ୍ମ ରୂପେ ରତ୍ନ ସିଂହାସନେ

ଘେନି ଭଗିନୀ ସୋଦର । (ଘୋଷ)

ସତ୍ୟେ ବଳବନ୍ତ ଦୈତ୍ୟ ବଳି ବିତ୍ତ

ହରିଥିଲେ ଯେ ପାଦର

ସ୍ତମ୍ଭରୁ ବାହାରି ହିରଣ୍ୟ ବିଦାରି

ଦୁଃଖ ଦେଖି ପ୍ରହ୍ଲାଦର……କ୍ଷେତ୍ର……..

ଦ୍ଵାପରେ ଗୋପରେ ମାନବ ରୂପରେ

ଏ ତ ନନ୍ଦନ ନନ୍ଦର

ପ୍ରଭୁ ଦାମୋଦର ଶ୍ରୀ ଶ୍ୟାମ ସୁନ୍ଦର

କଲେ ବହୁତ ହୁନ୍ଦର……କ୍ଷେତ୍ର…..

ଯେତେ କଉତୁକ କଲେ ତହୁଁ ଏକ

ପ୍ରକାଶିବି ପ୍ରବନ୍ଧର

ବୈନତେୟ ଧ୍ଵଜ ଚରଣେ ମିନତି

ଦୀନ ଗୋକୁଳାନନ୍ଦର-------କ୍ଷେତ୍ର----

 

ଗୀତ – ୨

 

ବ୍ରଜ ଉପାସକ-ବ୍ରଜ ମଜ୍ଜି ଏ ରସରେ

ବସି ସ୍ଥିର ମାନସରେ

ତେଜ ବ୍ୟାଜ ଭଜ ନନ୍ଦାତ୍ମଜ ହରଷରେ

ରୋଜ ନିଶିଦିବସରେ, ରୋଜ ନିଶି ଦିବସରେ ।୧।

ଗୋପରେ ନାନା ରୂପରେ କଲେ ଯେ ରହସ୍ୟ

ନଟକୁଟିଆ ଗୋପେଶ

ସନ୍ଥ ବ୍ୟକ୍ତି ଗ୍ରନ୍ଥେ ଲେଖିଛନ୍ତି ତା ଅବଶ୍ୟ

କହି କେ ପାରିବ ଶେଷ ।

ତହୁଁ ଏକ ଲୀଳା ନାମ ନୌକା ବିଳାସ

ଅଟେ ସେ ରସ ସରସ ।୨।

ଗୁରୁ ବୈଷ୍ଣବ କୃପାରେ କରିବି ପ୍ରକାଶ

ମୋର ନ ଧରିବ ଦୋଷ,

ସାଗର ଲଂଘିବା ପାଇଁ କରିଛି ସାହସ

ମୋହ ପକ୍ଷେ ବଡ଼ କ୍ଳେଶ

କହଇ ଗୋକୁଳାନନ୍ଦ ଚିନ୍ତି ଗୁରୁଈଶ

ଶୁଣି ମନ ହେବ ତୋଷ

ଭଜ ଗୁରୁଈଶ, ଭଜ ଗୁରୁଈଶ, ଦୁରିତ ତୁରିତ ନାଶ ହେବ ଅନ୍ତେ

ବଇକୁଣ୍ଠ ହେବ ବାସ ।୩।

 

ଗୀତ – ୩

 

ଦିନେ ଗୋପ ଗୋପାଳୁଣୀ ପ୍ରଭାତୁ ଗାଧୋଇ

ଦଧିଭାଣ୍ଡ ଖୁଆଦଣ୍ଡ ଘେନି ସଜ ହୋଇ

ଦଧି କରନ୍ତି ମନ୍ଥନ,

ସିନ୍ଧୁନାଦ ପ୍ରାୟେ ଶୁଭୁଅଛି ଗରଜନ, ଦଧି କରନ୍ତି ମନ୍ଥନ ।୧।

 

ଦଶ ପଚାଶ ସତୁରି ଏକ ଶତ ଖୁଆ

ବୁଲୁଛି ସବୁରି ଘରେ ହୁଏ ଦଧିମୁହାଁ

ସବୁ ଗୋପାଳ ନାୟିକା

କୃଷ୍ଣ କୀର୍ତ୍ତନ କରନ୍ତି ବସି ସୁରସିକା, ସବୁ ଗୋପାଳ ନାୟିକା ।୨।

 

କେ ବୋଲଇ ଘରେ ପସି ଦରାଣ୍ଡଇ ଶିକା

କିଛି ନ ଦେଖିଲେ ମନ ପଡ଼ିଯାଏ ଫିକା

ବଡ଼ ଦୁଷ୍ଟ ସେହି ଟୋକା

ଯଷ୍ଠି ଧରି ପିଟି ଚୁନା କରଇ ଆଟିକା, ବଡ଼ ଦୁଷ୍ଟ ସେହି ଟୋକା ।୩।

 

ଠିଆ ଠାଣି ବେନିପାଣିର ତ ତିନିବଙ୍କା

ଦେଖିଲେ ନୟନ ମନ ହରେ ବଂଶୀଫୁଙ୍କା

ଯୁବତୀର ରତି ରଙ୍କା

ଘୋର ଜଙ୍ଗଲକୁ ତାର ନ ଥାଏଟି ଶଙ୍କା, ଯୁବତୀର ରତିରଙ୍କା ।୪।

 

ଗାଳି ନିନ୍ଦା ଅପବାଦେ ନଥାଏ ତା ଧୋକା

ଦିନେ ରାତି ଅଧେ ବଂଶୀନାଦେ କଲା ଡକା

ଶୁଣି ହେଲି ମୁଁ ତାଟକା

କେଶ ବାସ ଅସମ୍ଭାଳ ପଳାଇକି ଏକା, ଶୁଣି ହେଲି ମୁଁ ତାଟକା ।୫।

 

ସେ ନନ୍ଦନନ୍ଦନ ଗୋବର୍ଦ୍ଧନ ଗିରିଟେକା

ସତେ କି ସେ ପର୍ବତଟା ହେଲା ତାକୁ ଟେକା

ଇନ୍ଦ୍ର ହୋଇଗଲା ବୋକା

ଚିରି ପକାଇଲା ଗିରିଧାରୀ ଧରି ବକା, ଇନ୍ଦ୍ର ହୋଇଗଲା ବୋକା ।୬।

 

ଯମୁନା ନଦୀକୁ ଗଲେ ଦେଖି ଏକୁଟିଆ

ବଳେ ଧରିନିଏ ବନେ ସେ ନଟକୁଟିଆ

ନୀପମୂଳେ ହୋଇ ଠିଆ

କେବେ କେବେ ଭାଙ୍ଗିଦିଏ ସେ ପାଣିମାଠିଆ, ନୀପମୂଳେ ହୋଇ ଠିଆ ।୭।

 

କୃଷ୍ଣଗୁଣ କୀର୍ତ୍ତନ କରିଣ ଗୋପବାଳୀ

ମଥୁରା ଯିବାକୁ ବେଶ ହେଲେ ଭଳି ଭଳି

ତାଙ୍କ ଶ୍ରୀଚରଣ ଧୂଳି

ଲାଗୁ ପାତକୀ ଗୋକୁଳାନନ୍ଦର ମଉଳି, ତାଙ୍କ ଶ୍ରୀଚରଣ ଧୂଳି  ।୮।

 

ଗୀତ – ୪

ଗୋପୀମାନେ ଗୋପପୁରେ ଡକାଡକି

 

ଦଧି ମନ୍ଥନ ସାରି ବହନ ବ୍ରଜାଙ୍ଗନା ହୋଇ ତୋଷ ଗୋ

ଘେନି ପସରା ଯିବ ମଥୁରା ଦହି ବିକି ଯିବା ଆସ ଗୋ

କେ ବୋଲେ ଚଣା ମୁଣ୍ଡାଅ ବଣା କେତେ ହେଉଅଛ ବେଶ ଗୋ

ଆଗେ ମହୁଲ କର ତଉଲ ବେଳ ତ ହେଉଛି ଶେଷ ଗୋ

ବେଏଗି ଉଠ ନ କରି ମଠ ଖରାରେ ପାଇବ କ୍ଳେଶ ଗୋ

ହେଲାଣି ବେଳ ଯିବା ଚଞ୍ଚଳ (ଯେବେ) ହାବୁଡ଼େ ପଡ଼ିବ କୃଷ୍ଣ ଗୋ

ଫିଙ୍ଗିଣ ଟେକା ଭାଙ୍ଗି ଆଟିକା କରିଦେବ ସବୁ ନାଶ ଗୋ

କରିବ ପୀତ ପଟ କପଟ ନାହିଁ ତାକୁ ବିଶ୍ଵାସ ଗୋ

ଗୋକୁଳାନନ୍ଦ ଭାବେ ଗୋବିନ୍ଦ ଶ୍ରୀପଦଦ୍ଵନ୍ଦ୍ଵ-ସାରସ ଗୋ

ପଦାରବିନ୍ଦ, ପଦାରବିନ୍ଦ

ଭଜ ରେ ମାନସ ବିପଦ ଛେଦ, ପଦାରବିନ୍ଦ, ପଦାରବିନ୍ଦ

ନନ୍ଦନନ୍ଦନ ଶ୍ରୀ ପଦାରବିନ୍ଦ ।

 

ଗୀତ – ୫

କୃଷ୍ଣଙ୍କ ଚିନ୍ତା

 

ଗୋପୀଙ୍କର ମନ ମଦନମୋହନ ଜାଣି ବିଚାରିଲେ ମତି

ନିନ୍ଦି ବନ୍ଦି ମୋତେ ଇନ୍ଦୀବରନେତ୍ରେ, ଦହି ବିକି ଯାଉଛନ୍ତି, ସେ ଗୋଇ

ମୋହ ଗୁଣ କୁହାକୋହି ହୋଇ, ସେ ଗୋଇ

ଦହି ପସରା ମୁଣ୍ଡରେ ଥୋଇ, ସେ ଗୋଇ ।୧।

 

ଡରି ହରିଣାକ୍ଷୀ ମୋ ହୁରୁଜୁରିକି ଯାଉଛନ୍ତି ପରା ଲୁଚି

ବରଜିଲେ ମୋତେ ସେ ବର ବରନା, ମୁହିଁ କି ପାରିବି ମୁଞ୍ଚି, ସେ ଗୋପେ

ଜାତ ହୋଇଛନ୍ତି ପୂର୍ବ ତପେ,ସେ ଗୋପେ

ମୁଁ ତ ବନ୍ଧା ତାହାଙ୍କର ରୂପେ, ସେ ଗୋପେ ।୨।

 

ବଳିବାକୁ ମୋତେ ବଳି ଶୋଭିନିଏ, ଢାଳିଛନ୍ତି ପରା ମତି,

ଶୁଝିବି ସୁଝୀନବସନାଙ୍କୁ ଏବେ ବୁଝିବେ ମୋ କରାମତି, ସେ ବାଳା

ଗୋପେ ଜାତ କରିବାକୁ ଲୀଳା, ସେ ବାଳା

କିମ୍ପା କରିବା ତହିଁରେ ହେଳା, ସେ ବାଳା ।୩।

 

ଭାବକୁ ନିକଟ ଅଭାବକୁ ଦୂର, ନାମ ଭାବ-ବିନୋଦିଆ

ଭକ୍ତ ଭାବେ ବନ୍ଧା ହୋଇଛି ମୁଁ ସଦା

ତୁନି ରହିବି ମୁଁ କୁଆଁ, ସେ ବାଟେ

ହାଟକାଙ୍ଗୀଙ୍କି ଯମୁନାଘାଟେ, ସେ ବାଟେ ।୪।

 

ଦୁଃଖ ସୁଖ କୁହାକୋହି ହୋଇ, ଦହିପସରା ମୁଣ୍ଡରେ ଥୋଇ

କେହି ଗୋପଗୋଇ କୃଷ୍ଣଗୁଣ ଗାଇ ଯମୁନା କୂଳରେ ହୋଇ, ସେ ନଦୀ

ଦେଖାଗଲା ହେଲା ପରି ବୁଦ୍ଧି, ସେ ନଦୀ

ଦେଖି ହଜିଗଲା ତାଙ୍କ ବୁଦ୍ଧି, ସେ ନଦୀ  ।୫।

 

ଉଦା କଦା ମାଡ଼ି ବହିଯାଏ ନଦୀ ଘୁଉ ଘୁଉ ଗରଜନ

ସାପ, ବେଙ୍ଗ, ମାଛ, ମଗର, କଇଁଛ, କେ କରିପାରେ ଗଣନ, ସେ ଫେଣ

ଦେଖି ପିଣ୍ଡୁ ଛାଡ଼ିଯାଏ ପ୍ରାଣ, ସେ ଫେଣ

ଗୋପୀ ଚିନ୍ତା କରୁଛନ୍ତି ମନ, ସେ ଫେଣ ।୬।

 

ଭାବନା କରିଣ ଗୋପାଳ-ଭାବିନୀ ବସିଲେ ଯମୁନା-ତଟ

ନାବିକ ରୂପରେ ନାବ ବୋହି ତେଣେ ବାହାରିଲେ ପୀତପଟ ସେ ପଦ

ଖଣ୍ଡି ପାରଇ ସର୍ବ ବିପଦ, ସେ ପଦ

ତେଣୁ ଭାବୁଛି ଗୋକୁଳାନନ୍ଦ, ସେ ପଦ

ଧ୍ୟାୟି ଗୋବିନ୍ଦ ପଦାରବିନ୍ଦ ସେ ପଦ ।୭।

 

Unknown

ଗୀତ – ୬

ନାବିକ ବେଶେ ଶ୍ରୀକୃଷ୍ଣ

 

ଆସ କିଏ ହୋଇବ ପାରି,

ମୁଁ ଅଟେ ଭଲ ନାଉରୀ, ହୋଇବ ପାରି । (ଘୋଷା)

ଅତି ଦମ୍ଭ ମୋହରି ଡଙ୍ଗା, ତଳି ତାର ନୁହଁଇ ଭଙ୍ଗା

ମଝିରେ ସେ ନ ଦେବ ଦଗା

ନ ବୁଡ଼ିବ ଯେତେ ହେଲେହେଁ ଭାରି, ହୋଇବ ପାରି ।୧।

ଏହିମାତ୍ର ମୋର ବେଉସା, ନ ନିଅଇ ଏକ ପଇସା

ଯିଏ ମୋତେ ଖୋଜେ କେବଳ, ମୁହିଁ ତାର ହୁଏ ଭରସା

ଅନ୍ୟ ପ୍ରତି ଶ୍ରଦ୍ଧା ନାହିଁ ମୋହରି, ହୋଇବ ପାରି  ।୨।

ଧନ ଦେଲେ ନ ଚାହେଁ ମୁଖ, ମନ ଥିଲେ ନ ଛାଡ଼େ ପାଖ

ଭାବେ ବଶ ହୋଇ, ନାବରେ ବସାଇ

ଭବ ଯାତନାରୁ ପାରେ ଉଦ୍ଧାରି, ହୋଇବ ପାରି ।୩।

ମହାପାପୀ ଗୋକୁଳାନନ୍ଦ, ନ ଭଜିଲା ଶ୍ରୀ ପଦ୍ମପାଦ

ଅନ୍ତକାଳେ ଅନ୍ତକର ଦଣ୍ଡ ଛେଦ

ନିଅ ନିଜପାଶେ କରୁଣା କରି, ହୋଇବି ପାରି ।୪।

 

ଗୀତ – ୭

ଗୋପୀଙ୍କ ଭାବନା

 

ଗୀତ ଶୁଣି ବଲ୍ଲଭ ରମଣୀମାନଙ୍କର

ଚିତ୍ତ ପ୍ରଫୁଲ୍ଲିତ ହୁଏ, କରନ୍ତି ବିଚାର

ଧର୍ମ କାର୍ଯ୍ୟ କରୁଅଛି କୈବର୍ତ୍ତ ଟୋକାଟି

ପୂରନ୍ତା ନଈରେ ଘେନି ବୁଲେ ନଉକାଟି

ତା କହିବା କଥାରୁଟି ପଡ଼ୁଅଛି ଜଣା

ସମସ୍ତଙ୍କୁ ପାରି କରୁଅଛି ଏ ମାଗଣା

ପଇସା କଉଡ଼ିରେ ତ ନାହିଁ ୟାର ଲୋଭ

ମାହାଳିଆ ପାରି ହେବା, କର କିମ୍ପା କ୍ଷୋଭ

ପାଖକୁ ଡାକ ତାହାକୁ କରି ଟେକାଟେକି

ପାର ହୋଇ ମଥୁରାକୁ ଯିବା ଦହି ବିକି ।

ଡାକ ଡାକ ଗୋ ସହି;

ଆମ୍ବିଳ ହୋଇ ଯାଉଛି ଦହି, ଡାକ ଡାକ ଗୋ ସହି

କି ପ୍ରୟୋଜନ ଏ ସ୍ଥାନେ ରହି, ଡାକ ଡାକ ଗୋ ସହି ।

 

ଗୀତ – ୮

ତରାଇ ଫେରାଇ ଆଣ ତରିକି ରେ,ତରାଇ

ଦହି ବିକିବାକୁ ଯିବୁ ମଥୁରାକୁ ଦେଖି ଡରୁଛୁ ବାରିକି ରେ, ତରାଇ

ଜଳ ତ ପ୍ରବଳ ଅବଳାଙ୍କ ବଳ, ତହିଁ ଯିବୁ ପହଁରିକି ରେ ? ତରାଇ

ଥରେ ମାତ୍ର ଦୟା କର ଆରେ ବାୟା, ଆମ୍ଭ ଗୋପ ଆଭୀରୀଙ୍କି ରେ, ତରାଇ

ତୋହର କୁଶଳ ସକାଶେ ସକଳ, ଜଣାଇବୁ ଶ୍ରୀହରିଙ୍କି ରେ, ତରାଇ

ବହୁତ ସୁକୃତ ଅର୍ଜିବୁ ରେ ସୁତ ଦୟା କଲେ ଏ ନାରୀଙ୍କି

ଗୋକୁଳାନନ୍ଦର ନିବେଦନ ଘେନ ଦୀନ ଜନ ଗୁହାରିକି ରେ ତରାଇ

 

ଗୀତ – ୯

ଗୋପିକାଙ୍କ ଭାବନା

 

ଗୋପନାରୀ ନାରିକେଳସ୍ତନା ସୁନ୍ଦରୀ, ସେ ଗୋପନାରୀ

ଦରିଆ ପରି ଦେଖିଲେ ଯମୁନା ନଦୀର ବାରି (ଘୋଷା)

ବାରି ତ ନାହିଁ ବରଷି ରସିକା ଭାଳନ୍ତି ବସି

ବଂଶୀଧର କଲେ ଏତେ ସରି ହେ, ଗୋପନାରୀ ।୧।

ସରିଲା ଆମ୍ଭ ମହତ  ହନ୍ତ ସନ୍ତ ଯେ ସମସ୍ତ

ମସ୍ତବଡ଼ ଦୁଃଖ ଦେଲେ ହରି ହେ, ଗୋପନାରୀ ।୨।

ହରିଣୀନେତ୍ରା ବିଚାରି ଚାରି ପାଞ୍ଚ ମିଳି କରି

କରିବା କିସ କେ କହିପାରି ହେ, ଗୋପନାରୀ ।୩।

ତୁରିବ ଯିବା ବାହୁଡ଼ି  ଗୋକୁଳାନନ୍ଦ ବିଚାରି

ହରୀନ୍ଦ୍ର – ମଧ୍ୟାଏଁ ବ୍ୟସ୍ତ ଭାରି ହେ, ଗୋପନାରୀ ।୪।

 

ଗୀତ – ୧୦

 

ଶୁଣି ଡାକ ବେଣୁପାଣି ଆଣିଲେ ନଉକା

ଠାଣି ଦେଖି ଖୁସି ହେଲେ ବରଜ-ନାୟିକା

ବାଣୀ ପ୍ରକାଶିଲେ, ଛାଣି ସୁଧା ଅବା ପରଶିଲେ ।୧।

ଆଣି ସଂସାରରୁ ସାର ନିର୍ମାଣିଲା ବିହି

ମାଣିକ୍ୟକୁ ନୀଚ କରେ ଅର୍ପିଲା କିମ୍ପାଇଁ

ପାଣି ଜୀବ ଧରି, ବାଣିଜ୍ୟ କରେ ଦିବା ଶର୍ବରୀ ।୨।

ଜାଣିଲ ତ ଗୀତ ବୋଲୁଥିଲା ମନୋହରେ

ଖୁଣିବାକୁ କେଉଁ ସ୍ଥାନ ନାହିଁ ୟା ଦେହରେ

ମୁଣି ମୁଣି ଶୋଭା, ଖଣି ପକାଇ ଦେଇଛି ଅବା ।୩।

ମାଆ ବାପ ତୋର ଘରେ ରହିଛନ୍ତି ଟିକି

ବାଆ ବତାସରେ ନାଆ ବାହୁଛୁ କାହିଁକି ?

ମାଡ଼ି ଆସେ ପାଣି, ଛାଡ଼ିଲେ କିପରି ଧନମଣି ।୪।

ନାମ କିସ କେଉଁ ଗ୍ରାମେ କରିଅଛୁ ବାସ

ଭ୍ରମଣ କରୁଛୁ ଏକା ମନେ ନାହିଁ ତ୍ରାସ

ଆମ ଘରେ ରହ, କାମ ନ କରି ତୁ ବସି ଖାଅ ।୫।

ଶ୍ରୀକୃଷ୍ଣ କହିଲେ ମୋର ନାମଟି ମଧୁଆ

ଦିନେ ଦେଖିଥିଲି ତୁମ ଯମୁନା-ଗାଧୁଆ

ଲୁଗା ଥିଲା କୂଳେ, କୃଷ୍ଣ ବାନ୍ଧିଲେ ତା’ ତରୁଡାଳେ ।୬।

ମୁଁ ତୁମ୍ଭଙ୍କୁ ଦେଖିଛି ଦେଖିଛ ତୁମ୍ଭେମାନେ

ଭୁଲି ଯାଉଛ ଅବଳା ପଡ଼ୁନାହିଁ ମନେ

ଗୋପ ଭୁଆସୁଣୀ, ପାସୋରୀ ଦେଉଛ ଜାଣି ଶୁଣି ।୭।

ଗାଈଜଗା ଦହିବିକା ତମ ବ୍ୟବସାୟ,

କରନ୍ତି ନାହିଁକି ତୁମ ତନୟା ତନୟ

ଏ ବେଉଷା ମୋର, ଏବେ ଛାଡ଼ି ଦେବି କି ପ୍ରକାର  ।୮।

ଗୋପୀ କହିଲେ ଭାଲିଆ ଲଗାଉଛୁ ଭଲେ

କୋପି ଯାଉଛୁ ତୁ ହିତ କଥା ପଚାରିଲେ

କଇବର୍ତ ଛାର, ଗଇ ଉଖାରୁଛୁ ଗୋଇଙ୍କର ।୯।

ଦୁଃଖ ତୋର ଦେଖି ହେଲା ଆମ୍ଭର କରୁଣା

ସୁଖ ନ ଲାଗିଲା ତୋତେ ଜାତିଟା ତ ଊଣା

ଛୋଟ ସିନା ସାପ, ଚୋଟର ତ ନାହିଁ ଖାପ ମାପ ।୧୦।

ପାରୀନ୍ଦ୍ର ମଧ୍ୟାଙ୍କୁ ପୁନି କହନ୍ତି ନାଉରୀ

ପାରି ହେବ ଯେବେ ଆଣ ଚଞ୍ଚଳ କଉଡ଼ି

ଡେରି ହେବ ଯେବେ, ଫେରିଯିବି ଅନ୍ୟସ୍ଥାନେ ତେବେ ।୧୧।

 

ଗୀତ – ୧୧

(ଶ୍ଳେଷାର୍ଥ)

 

ଗୋପୀ  ଗୋକୁଳ କୁଳ-ଚନ୍ଦ୍ରମାଙ୍କୁ ସକଳ କଳ-ଧଉତାଙ୍ଗୀ ଶ୍ଳେଷରେ

କହିଲେ ଯାଉଛୁ ଦହି ବିକିବାକୁ ପଇସା ତ ନାହିଁ ପାଖରେ

ଆଠଅଣା ଦେବୁ ଅଇଲେ ଫେରି, ପାରି କରିଦିଅ ସୁଦୟା କରି  ।୧।

କୃଷ୍ଣ  କଉତୁକ କରୁଅଛ ଗଉଡ଼ୁଣୀ ଗଉରବରେ ତ ନ କଲ ଊଣା,

ନହୁଲିବୟସୀ ଲଉଡ଼ି ପରିକି ନଉକାକୁ ମଣିଅଛ ମାଗଣା

ଅଧୁଲି ନ ଦେଇ ପାଧୂଳି ଦେବ, ବଧୁଲୀ-ଅଧରା ପାରି ହୋଇବ ।୨।

ଗୋପୀ  ଗାଉଥିଲୁ ଗୀତ ବିନା ପଇସାରେ, ନଉକାରେ ନଈ କରୁଛୁ ପାର,

ନଡ଼ିଆ, ଗୋରସ, ସୁବର୍ଣ୍ଣ, ମାଗୁଛୁ ଅଧୁଲି ଯାଚିଲେ ଧୂଳି ପୟର ।

ଛଟା କରି କେତେ କହୁଛୁ ବାଣୀ, ଶୁଣିଲେ ହୃଦୟ ହେଉଛି ହାଣି ।୩।

କୃଷ୍ଣ  ବରତନ ନାହିଁ ଏକା ମୁଁ ନଈରେ ଭାସୁଛି ସତତ ତରଣୀ ଧରି,

ଶୁଦ୍ଧ ସୁବର୍ଣ୍ଣାଙ୍ଗୀ ଆଟିକାଏ ଦୁଧ ଦେଲେ ବୋଧ ହେବ ହୃଦ ମୋହରି

ଦିଅ ଦିଅ ଦୁଧ ଆଟିକା ଭରି, ତ୍ଵରିତ ଯମୁନା ହୁଅ ହେ ପାରି ।୪।

ଗୋପୀ  ଚାହିଁବୁ ଯେବେ ତୁ ଦହି ଦେଇପାରୁ କହିଲେ ମହିଳା ରତନ ସବୁ

ଆମ୍ଭର ପାଖରେ ଗୋରସ ନାହିଁତ କାହିଁ ତୁ ଶରଧା କରୁ ରେ ବାବୁ ।

ଦହିରେ କାହିଁକି ନାହିଁ ତୋ ମନ, ଦହୁଚି ଆମକୁ ତୋର ବଚନ ।୫।

କୃଷ୍ଣ  କେଶବ କହିଲେ ଏ ସବୁ ଛାଡ଼ି ରତିଏ ମୋତେ ପାରିବ କି ଦେଇ

ତେବେ ମୋତିଦନ୍ତୀ ଦିନରାତି ମାତି ତବ କାମେ ଢିଲା କରିବି ନାହିଁ

ଧୀବର କହିଲେ ବରବରନା, ଆସିଭାରି ବେଗେ ଡେରି କର ନା ।୬।

ଗୋପୀ   ଗୋପନାରୀ କହେ କୋପ ତୁ ନକର ସୁନା କାହୁଁ ଆମେ କରିବୁ ଠୁଳ

ପାଟକ କୁଳରେ ହାଟକ ଖୋଜୁଛୁ ବାଳୁତ କି ହୋଇଗଲୁ ବାତୁଳ

ପିତଳ ଲଗାଇ ଭିତରେ ଥାଉ, ଦହି ବିକି ଯେବେ ମଥୁରା ଯାଉ ।୭।

କୃଷ୍ଣ  ନାହିଁ ଯଦି କିଛି ନାରିକେଳ ଅଛି ନାରିକେଳ-କୁଚା ଯାଉଛୁ ଭୁଲି

ଦିଅ ନାରିକେଳ ଏ ଯମୁନାଜଳ ବଢ଼ୁଚି କିପରି ଯିବ ହେ ବୁଲି

ତୁରିତ ତୁମର ନଡ଼ିଆ ଦିଅ, ବାରି ବାରିଜାକ୍ଷୀ ପାରି ତ ହୁଅ  ।୮।

ଗୋପୀ  ଭାଙ୍ଗିଯିବ ଭଙ୍ଗୀ ତୋହର ଅମ୍ଭର ଯୁଟିଯିବ ଯେବେ କଳା କହ୍ନାଇ

ପାରି କରିବାକୁ ଡେରି କଲେ ତୁ ତ ଫେରିଯିବୁ ନ ପାରିବୁ ଅନାଇଁ

ନଈଡିଆଁ ପାଇଁ ନଡ଼ିଆ ଦେବୁ, ବାଡ଼ିଆ ହେଲେ ତୁ ଭାବ ପାଇବୁ ।୯।

କୃଷ୍ଣ  ବସନ୍ତ-ବସନା ବସ ନା ସମସ୍ତେ ଜଣେ ଜଣେ ହୋଇ ନାବକୁ ଆସ

ଶ୍ରୀମତୀ କହିଲେ ମୁହିଁ ଆଗ ଯିବି ପୀତବାସକୁ ମୋ ବିଶେଷ ତ୍ରାସ

ପାତକୀ ଅଗ୍ରଣୀ ଗୋକୁଳାନନ୍ଦ ସତେକି ଦେଖିବ ପଦାରବିନ୍ଦ ।୧୦।

 

ଗୀତ - ୧୨

 

ତରିକି ନେଇ ସରିତ ମଧ୍ୟେ କଲେ ହରି

ଥରିଲା ସେ ବାତେ ନାବ ଜଳ ଦଳ ପରି ।

କୁହିଡ଼ିରେ ନ ଦିଶିଲା ମୁଖକୁ ଯେ ମୁଖ, ନାଉରୀ କହଇ ବିହି ଦେଲା ବଡ଼ ଦୁଃଖ

ଛଅ ଭାଇ ମୋ ଉପରେ ଯାଇଛନ୍ତି ଚାଲି, ତାତ ମାତାଙ୍କର ମୁହିଁ ଗୋଟିଏ ସଙ୍ଖାଳି ।

କଉତୁକରେ ନଉକା ଆସିଥିଲି ବାହି, ଯାଉଛି ଜୀବନ ତାଙ୍କ ବଦନ ନ ଚାହିଁ ।

ଜୀବନ ତ ଯିବ; ଜୀବନରେ ଆଉ କିଏ ରଖିବ ।

ରାଧିକା  ଭାଷିଲେ କିଶୋରୀ ଆରେ କଇବର୍ତ୍ତ ଭାଇ

ଭାସି ଯାଉଛି ନଉକା ତଳକୁ କିମ୍ପାଇଁ, ଆରେ କଇବର୍ତ୍ତ ଭାଇ ।

ଆସିଥିଲି ମୁହିଁ ଆଜି କି ଯୋଗେ ଗୃହରୁ,

ନାଶିବୁ କି ଅଳଙ୍କାର ନେବୁ ମୋ ଦେହରୁ, ଆରେ କଇବର୍ତ୍ତ ଭାଇ ।

ବସିଲି କାହିଁକି ଆଗ ନଉକାରେ ମୁହିଁ, ଆରେ କଇବର୍ତ୍ତ ଭାଇ ।

ବଂଶୀଧର କରିବେ କି ଏ ଦୁଃଖରୁ ତ୍ରାହି, ଆରେ କଇବର୍ତ୍ତ ଭାଇ ।

ଅଳଙ୍କାର ଯାକ ପଛେ ମୋହଠାରୁ ନିଅ, ଆରେ କଇବର୍ତ୍ତ ଭାଇ ।

କୂଳରେ ବାପ ଚଞ୍ଚଳ ନଉକା ଲଗାଅ, ଆରେ କଇବର୍ତ୍ତ ଭାଇ ।

ଆଗରେ ଆପଣା ଛାଏଁ ବରିଲି ଆପଦ

ଗୋକୁଳାନନ୍ଦ ସ୍ମରଣ କରୁଛି ଶ୍ରୀପଦ, ଆରେ କଇବର୍ତ୍ତ ଭାଇ ।

 

ଶ୍ରୀକୃଷ୍ଣ    ହରି କହିଲେ ଆଗୋ ରାଧା, ହରିବୁ ମୋର କାମବାଧା,

ରତିଏ ଅନୁଗ୍ରହ କର, ରତି ଦିଅ ତୁ ନାରୀବର ।

ତୋ ପରି ସୁନ୍ଦରୀକି ଦେଖି, କିପରି ପାରିବି ଉପେକ୍ଷି,

ସୁନ୍ଦରୀକି ଦେଖି, ସୁନ୍ଦରୀକି ଦେଖି, କିପରି ପାରିବି ଉପେକ୍ଷି ।

ଶ୍ରୀରାଧା ଛାର କଇବର୍ତ୍ତ, ଏଥିରୁ ନିବର୍ତ୍ତ, ଆଉଥରେ ତୁଣ୍ଡେ ଧର ନା

ଶ୍ରୀକୃଷ୍ଣ ଯୋଗ୍ୟ ପଦାର୍ଥକୁ ଭୋଗ କରିବାକୁ ମନ କର ନା, ଆରେ କେଉଟ,

ମୁଁ ଗୋପର ବରବରନା ।୧।

 

ଦେଲେ ଅଭିଶାପ, ରଖିବ କେ ବାପ, ଆପଣା ଇଚ୍ଛାରେ ମର ନା, ଆରେ କେଉଟ,

ବିନା ପଇସାରେ ପାରି କରିଦେବୁ, ମଝିନଈକୁ ତୁ ଆଣିଲୁ

ଆଭୀରୀ ଭୀରୁକୁ ଭୀରୁତା ଦେଖାଇ, ରତି କରିବାକୁ ମଣିଲୁ, ଆବେ ଧୀବର……

ମୋତେ କି ବିଟପୀ ଜାଣିଲୁ ।୨।

 

ବିଚାରିଲେ ନନ୍ଦସୁତ ଏ ବିପଦ ଅଟଇ କେତେକ ମାତର

ଛାର ନଈବଢ଼ି ଏ ଛାର କୁହୁଡ଼ି, ତହିଁକି ନାହିଁ ମୋ ଖାତର, ଆରେ ନାବିକ

ନାବ ଲଗା କୂଳେ ସତ୍ଵର ।

ନହେଲେ ପାଣିକି ଡେଇଁବି ଜାଣିଥା ନ ଦେଖାଅ ଆଉ ଚାତର, ଆରେ……

 

ଗୀତ – ୧୩

ଛାଡ଼ିଗଲା ନଈବଢ଼ି ଛାଡ଼ିଲା କୁହୁଡ଼ି

କେଳି ପରେ ରାଧାକୃଷ୍ଣ ଅଇଲେ ବାହୁଡ଼ି ।୧।

ଗୋପ ଗୋଇ ରାଇ କାହ୍ନୁ ସର୍ବେ ହେଲେ ଭେଟ

ସମସ୍ତେ ବୁଝିଲେ ନନ୍ଦଚାଟଙ୍କ କପଟ ।୨।

ମଥୁରାକୁ ଗଲେ ଗୋପୀ ଦହି ବିକିବାକୁ,

ଅଧମ ଗୋକୁଳାନନ୍ଦ ଭାବେ ସେନାମଙ୍କୁ ।୩।

 

ମାଥୁରୀ

ଗୀତ – ୧

ଅକ୍ରୂର ଗମନ (ବନ୍ଦନା)

 

ହରି କି ଦେଇ ପୂଜିବି ହେ ସବୁ ତ ତୁମରି ଧନ

ତୁମରି ପଦାର୍ଥ ତୁମକୁ ଦେବାକୁ ବଳୁନାହିଁ ମୋର ମନ । (ଘୋଷା)

ତୁମରି ସକାଶେ ଆକାଶେ ପ୍ରକାଶେ ଶଶୀ ତାରକା ତପନ,

ତୁମ୍ଭ ଘେନି ଘନ କରେ ବନ ଦାନ ବହେ ଶୀତଳ ପବନ ।

ଆକାଶ ସାଗର କାନନ ପର୍ବତ ତୁମ ଚଉଦ ଭୁବନ,

ତୁମରି ଦୟାରେ ସ୍ଥାବର ଜଙ୍ଗମ କୀଟ ଧରନ୍ତି ଜୀବନ ।

ତୁମ ଦୟାରେ ହରି

ସବୁଠାରୁ ତୁମେ ରହିଛ ପୂରି ।

ସ୍ଥାବର ଜଙ୍ଗମ ତୃଣାଦି କରି ।୧।

 

ତୁଳସୀ ପଲ୍ଲବ ତାଙ୍କରି ବଲ୍ଲଭ ତାହାଙ୍କୁ କରି ଚୟନ

ଚନ୍ଦନ ଚର୍ଚ୍ଚିତ ଉଚିତେ ଅହିତ କଲେ ହେବ କେଉଁ ପୁଣ୍ୟ

ଏ ପାପୀର ହସ୍ତ ଲାଗିଲେ ସମସ୍ତ ଅପବିତ୍ର ହେବ ଘେନ,

ସେବି ଦୟାନିଧି ହେବି ଅପରାଧୀ ଭୟେ ମନ ଛନ୍ନ ଛନ୍ନ

କହେ ଗୋକୁଳାନନ୍ଦ,

ସେବିବାକୁ ସେହି ପଦାରବିନ୍ଦ

ଶ୍ରୀ ପାଦପଦ୍ମେ କର ମକରନ୍ଦ ।୨।

 

ଗୀତ – ୨

କଂସର ମନ୍ତ୍ରୀକୁ ଆଦେଶ

 

ଭାଷଇ ଦ୍ରୁମିଳା ସୁତ ବ୍ୟସ୍ତ ହୋଇ, ପାଶରେ ଅକ୍ରୂର ମନ୍ତ୍ରୀକୁ ବସାଇ

ମୋତେ ନାରଦ କହିଥିଲେ ପୂର୍ବେ ଯା’ ତୋତେ ମାରିବେ ତୋ ଅଷ୍ଟମ ଭଣଜା

ତାହା ହାତେ ହତ

ଅଷ୍ଟମ ଗର୍ଭେ ହେବ ଜାତ

ଏହା କହିଛନ୍ତି ମୋତେ ବ୍ରହ୍ମାସୁତ ।୧।

 

ନନ୍ଦ-ମନ୍ଦିରେ ବଢ଼ୁଛି ମୋ ଭଗାରି

ଫନ୍ଦ ଫିକରେ ନ ପାରିଲି ମୁଁ ମାରି ।

ବକା, ପୂତନା, ଅଘା, ତୃଣା, ଶକଟା,

ଏକା ମାଇଲା ସେ ଗଉଡ଼ ଟୋକାଟା,

ଯିବି ନାହିଁ ଗୋପ

ଗୋମନ୍ତ ଋଷିଙ୍କ ଅଭିଶାପ

ନ ହେଲେ ଦେଖାନ୍ତି ନିଜ ରୂପ ।୨।

 

ଗୀତ - ୩

ସାଜି ରଥକୁ ବାଜୀ ଯୋଚି ତହିଁରେ

ଆଜି ଗୋପକୁ ଚଳ ମନ୍ତ୍ରୀ ସତ୍ଵରେ

ଲେଖା ଦେଖାଅ ନେଇ ନନ୍ଦ ଆଗରେ

ଦେଖା କରୁ ସେ ଆସି ପୁତ୍ର-ସଂଗରେ

ଧନୁ ଉତ୍ସବ ଦେଖିବାକୁ ଆସିବ

ଧେନୁ ଦୁଗ୍‌ଧ ସେ ଆଗତୁରା ପେଶିବ

ପାଇ ହୁକୁମ ଚଳିଗଲା ଅକ୍ରୂର

ଧ୍ୟାୟି ଶ୍ରୀକୃଷ୍ଣ ସୋଇଲା ସେ ରାତ୍ରିର

କୃଷ୍ଣ ପାଦ ଧ୍ୟାୟି, ଅକ୍ରୂର ନିଜ ଭୁବେନ ଶୋଇ ।୧।

 

କଂସ ଶୟନ କଲା ନିଜ ମନ୍ଦିରେ

କୃଷ୍ଣରୂପକୁ ଦେଖେ ଚାରି ଦିଗରେ

ସେହି ନିଶାରେ ସେ ଦେଖିଲା ସ୍ଵପନ,

ହୋଇ ଆପଣା ଅଙ୍ଗେ ତୈଳ ଲେପନ

ଗଳେ ମନ୍ଦାର ଫୁଲମାଳ ଲମ୍ବାଇ

ବସି ମହିଷେ ଦକ୍ଷିଣକୁ ଗମଇ

କହେ ଗୋକୁଳାନନ୍ଦ ନନ୍ଦନନ୍ଦନ

ଅନ୍ତେ ଅନ୍ତକ-ଭୀତି କର ଚ୍ଛେଦନ

ଆହେ ନରହରି, ଏ ଭବସାଗରୁ କର ପାରି ।୨।

 

ଗୀତ - ୪

ସାଜି ଅକ୍ରୂର ରଥ ବାଜୀ ଯୋଚି ତୁରିତ

ରାଜୀବ ପଦେ ଦେଇ ଚିତ୍ତ

ବାଗ ରଜ୍ଜୁ ଧରିଣ ମାର୍ଗେ କଲା ଗମନ

ଗଗନେ ଉଦେ ଛାୟାକାନ୍ତ ।

ମନେ କରେ ବିଚାର ଦେଖିବି ଚକ୍ରଧର

ଖଣ୍ଡିବି ପାପଭାର ଯେତେ;

ଶ୍ରୀହରି କାମପାଳ କରିବେ ମୋତେ କୋଳ

ହେବ ମୋର ମଙ୍ଗଳ କେତେ ।

ପବିତ୍ର ହେବ, ପବିତ୍ର ହେବ, ଏ ପାପ-ନୟନ ପବିତ୍ର ହେବ

ଶ୍ରୀକୃଷ୍ଣ-ଦର୍ଶନେ ପବିତ୍ର ହେବ,

ଅନେକ ଜନ୍ମର ପାପ ଦହିବ ।୧।

 

ଏ ଭଳି ଭାଳି ହୃଦ ମିଳିଲା ବାଲିକୁଦ

ଦେଖିଲା ପାଦପଦ୍ମ ଚିହ୍ନ

ରେଖା ଅକୁଂଶ ଧ୍ଵଜ କଳସୀ ଶଙ୍ଖ ଅବ୍ଜ

କାର୍ମୁକ ଅରି ବଜ୍ର ମୀନ ।

ଡେଇଁ ପଡ଼ି ରଥରୁ ଅଶ୍ରୁ ମୁଞ୍ଚି ନେତ୍ରରୁ

ଧୂଳି ଆଣି ତହିଁରୁ ବୋଳି

କ୍ଷଣେ ପୁଣି ପଡ଼ଇ କ୍ଷଣେ ପୁଣି ଗଡ଼ଇ

କ୍ଷଣେ ନାଚଇ ବାହୁ ତୋଳି ।

ନାଚେ ବାହୁ ତୋଳି, ନାଚେ ବାହୁ ତୋଳି

ବୋଳି ହୋଇ କୃଷ୍ଣ ପାଦଧୂଳି ।୨।

 

ସେ ଶଫଳା ନନ୍ଦନ, ଚଢ଼ି ପୁଣି ସ୍ୟନ୍ଦନ

ଗଲା ଗୋପ ଭୁବନ ଦିଗେ,

ଦେଖିଲା ଦୁଇଭାଇ ଦୁହୁଁ ଅଛନ୍ତି ଗାଈ

ଗୋପାଳ ବାଳକଙ୍କ ସଙ୍ଗେ ।

ଶିରେ ମୟୂରଚୂଳ ଦିଶେ କେଡ଼େ ମଂଜୁଳ

ହୃଦରେ ଗୁଞ୍ଜମାଳ ଶୋହେ

ତାଙ୍କ ବାଙ୍କ ଚାହାଣୀ ସେ ତ୍ରିଭଙ୍ଗିମା ଠାଣି

ନ ଭୁଲିବ କେ ପ୍ରାଣୀ ମୋହେ ।୩।

 

ଦୂରୁ ଅକ୍ରୂର ରଥ ଦେଖିଣ ଗୋପୀନାଥ

ଭାବିଲେ କଂସଦୂତ ଏହି,

ଏହା ନାମ ଅକ୍ରୂର ପାପିଷ୍ଠ କଂସାସୁର

ପେଶିଛି ମୋତେ ନେବା ପାଇଁ

ବିଡ଼ିବା ପାଇଁ ମନ ବସୁଦେବ-ନନ୍ଦନ

ଏକାଳେ ମାୟା ଭିଆଇଲେ,

ଯେତେ ଗୋପ-ବାଳକ ଥିଲେ ସେ ଗୋଷ୍ଠଯାକ

ସକଳେ କୃଷ୍ଣରୂପ ହେଲେ ।

ସବୁରି ଏକାବର୍ଣ୍ଣ ଏକାପରି ବସନ

ଠାଣି ଚାହାଣି ଏକାପରି

କହେ ଗୋକୁଳାନନ୍ଦ ଅକ୍ରୂର କାନ୍ଦ କାନ୍ଦ

ଶ୍ରୀକୃଷ୍ଣଙ୍କୁ ଚିହ୍ନି ନ ପାରି

ଶଫଳା ସୁତ, ଶଫଳା ସୁତ, ମାୟା କଲେ ମୋତେ ବିଚାରେ ଚିତ୍ତ

ଦିବ୍ୟ ଚକ୍ଷୁ ଦ୍ଵାରା ମୁଁ ଚିହ୍ନିବି ତ …. ଶଫଳା ସୁତ ।

 

ଗୀତ - ୫

ଅକ୍ରୂର ସ୍ତବ

 

ଶତପତ୍ର ନେତ୍ର ହେ ତମାଳ ଗାତ୍ର

ବସୁଦେବ ପୁତ୍ର ହରି ହେ,

ଦାମୋଦର ମିତ୍ର କରେ ଧରି ଗୋତ୍ର

ବୃତ୍ରଶତ୍ରୁ ଦର୍ପହାରୀ ହେ, ହରି

ଆତପତ୍ର ଚିହ୍ନି ଧାରୀ ହେ

ହର ତାପତ୍ରୟକୁ ମୋହରି ହେ ,ହରି ।୧।

 

ଲକ୍ଷ ଲକ୍ଷ ରକ୍ଷ ମାରିବାରେ ଦକ୍ଷ

ଅକ୍ଷୟ ବଟ ବିହାରୀ ହେ

ଅରକ୍ଷରକ୍ଷକ ପକ୍ଷ ବାହନ ହେ

ଶୁଣ ଅକ୍ଷ ମୋ ଚୁହାରି ହେ, ହରି

ବିପକ୍ଷ ହେବ ଯେବେ ମୁରାରି ହେ,

ମୋକ୍ଷ ପାଇବି ଆଉ କିପରି ହେ, ହରି ।୨।

 

ଚକା ଡୋଳା ଡକା ପକାଉଛି ବକା-

ମରା ନ ଶୁଣ ବେଦନା ହେ

ଠକାଠକି କଲେ ଆହେ ଗିରିଟେକା

ଅକାରଣ ହେବ ସିନା ହେ, ହରି

ଫାଙ୍କା ହେବ ଏ ଦୀନ ଗୁହାରି ହେ…..

ଫିକା ପଡ଼ିଯିବ ମନ ମୋରି ହେ, ହରି ।୩।

 

ନଟବର ବଟପୁରବାସି ହଟ ନାଗର ହେ ପୀତପଟ

ହେ ବ୍ରଜଲମ୍ପଟ କପଟକୁ କାଟ

ଦାସ ହେଲା ଛଟପଟ ହେ, ହରି

କୀଟ, ପତଙ୍ଗ ତୃଣାଦି କରି ହେ

ଘଟଘଟକେ ରହିଛ ପୂରି ହେ, ହରି ।୪।

 

ଶ୍ରୀ ଅଙ୍ଗେ ଚନ୍ଦନ ହେ ନନ୍ଦ ନନ୍ଦନ

ଜଗତ ବନ୍ଦନ ନାଥ ହେ

ଛେଦନ କର ମୋ ବିପଦ ପଦକେ

ପୂର୍ଣ୍ଣ ହେଉ ମନୋରଥ ହେ, ହରି

ଶ୍ରେଷ୍ଠ ପାତକୀ ଗୋକୁଳାନନ୍ଦ

ଖେଦ ହୃଦରେ ବନ୍ଦେ ଶ୍ରୀପଦ ହେ

ଶ୍ରେଷ୍ଠ ପାତକୀ ଗୋକୁଳାନନ୍ଦ ।୫।

 

ଗୀତ - ୬

ଭଗବାନଙ୍କୁ ଦର୍ଶନ

 

ଅକ୍ରୂରର ମନ ଶ୍ରୀନନ୍ଦନନ୍ଦନ

ଜାଣିପାରି ମାୟା କଲେ ଦୂର

ଗୋପାଳଙ୍କ ପୁଏ ହେଲେ ପୂର୍ବପ୍ରାୟେ

ଯେଉଁ ରୂପ ଥିଲା ଯାହାଙ୍କର ।

ଶଫଳା ନନ୍ଦନ, ଶଫଳା ନନ୍ଦନ, ଗତି କଲା ରଖିଲା ସ୍ୟନ୍ଦନ ।୧।

 

ରାମକୃଷ୍ଣ ପାଦେ ପ୍ରଣମି ଆନନ୍ଦେ

ଦେଖି ବେନିଭାଇ କୋଳ କଲେ

ତା ଅଙ୍ଗରୁ ଧୂଳି ଝାଡ଼ି ବନମାଳୀ

ନିଜ ସଦନକୁ ଘେନି ଗଲେ

ପାଦ ଧୋଇଦେଲେ, ପାଦ ଧୋଇଦେଲେ---ରତ୍ନ ପଲଙ୍କରେ ବସାଇଲେ ।୨।

 

ଚନ୍ଦନ, କର୍ପୂର ଘେନିଲେ ଅକ୍ରୂର

ଭୂଞ୍ଜିଲେ ଗୋଟିକା ଦୁଧ ସର

ତାମ୍ବୂଳ ସେବନ ପରେ ଭଗବାନ

ପୁଛିଲେ କୁଶଳ ସମାଚାର ।

ଆହେ ମନ୍ତ୍ରୀବର, ଆହେ ମନ୍ତ୍ରୀବର, କାହିଁକି ଆସିଲ ଗୋପପୁର ।୩।

 

ଭଣିଲା ଶଫଳା ସୁତ ହେ କମଳା –

ବଲ୍ଲଭ ଆପଣ କି ନ ଜାଣ,

ଆହେ ପୀତପଟ ମୋ ଠାରେ କପଟ

ରଖି ପୁଛ ଆସିବା କାରଣ ।

ଦୁଷ୍ଟ କଂସାସୁର, ଦୁଷ୍ଟ କଂସାସୁର, ବିନାଶି ଉଶ୍ଵାସ ମହୀଭାର ।୪।

 

ଚିଟାଉ ଦେଇ ସେ ପଠାଇଛି ମୋତେ

ଏଠାରୁ ତୁମ୍ଭଙ୍କୁ ନେବା ପାଇଁ

ଦନୁଜେନ୍ଦ୍ର ଶନୁ ଉତ୍ସବ କରିଛି,

ଦେଖିବାକୁ ଯିବ ଦୁଇଭାଇ

ଶୁଣି ବେଣୁପାଣି, ଶୁଣି ବେଣୁପାଣି, ଭାହିଲେ ମନ୍ତ୍ରୀମଣିକି ବାଣୀ ।୫।

୧. ଦନୁଜେନ୍ଦ୍ର- ରାକ୍ଷାସଶ୍ରେଷ୍ଠ

 

ଗୀତ - ୭

ଶ୍ରୀକୃଷ୍ଣ  ମାମୁଁ ତ ଆମର ବଡ଼ ଉପକାରୀ

କହିଲେ ନ ସରେ ତାର ଗୁଣ

କଇଦିରେ ବାପା ମାଆଙ୍କୁ ରଖିଛି,

ହାତଗୋଡ଼େ ବେଡ଼ି ପକାଇଣ ।

ପୁଣି ଦିନରାତି, ପୁଣି ଦିନରାତି, ପ୍ରହରୀ ତାହାଙ୍କୁ ଜଗିଥାନ୍ତି ।୧।

 

ମାମୁଁ ତ ଆମର ଭାରି ହିତେ ଥାଏ

ଛଅ ଭାଇ ମୋର କଲା ନାଶ

ଝଡ଼ି ବରଷାରେ, ଝଡ଼ି ବରଷାରେ, ବଡ଼ ହଟହଟା ଯମୁନାରେ ।୨।

 

ମୁଁ କ୍ଷୀର ଖାଇବି ବୋଲି ମାମୁଁ ମୋର

ପଠାଇଥିଲା ଏକ ନାରୀ

ସ୍ତନପାନ କଲାବେଳେ ମୁଁ ତାହାର

ଆପେ ମଲା ମୁହିଁ ନାହିଁ ମାରି ।

ନାହିଁ ମୋର ଦୋଷ, ନାହିଁ ମୋର ଦୋଷ, ଶୁଣି ମାମୁଁ କରିଥିବେ ରୋଷ ।୩।

 

ମୁଁ ଖେଳିବି ବୋଲି ଶଗଡ଼ ଗୋଟିଏ

ପଠାଇ ଦେଇଥିଲା ମୋ ମାମୁଁ

ମନକୁ ନଇଲା ମୋର ବୋଲି ସେହି

ଗୋଡ଼ରେ ଫୋପାଡ଼ି ଦେଲି ତା ମୁଁ

ଗଲା ସେହି ଭାଙ୍ଗି, ଗଲା ସେହି ଭାଙ୍ଗି, ଶୁଣି ମାମୁଁ ଯାଇଥିବେ ରାଗି ।୪।

 

ମନ ଆନ ମାନ ହେବ ବୋଲି ମୋର

ପଠାଇଥିଲେ ସେ ଷଣ୍ଢ ବଗ

ମାମୁଁ ତ ଆମର ବଡ଼ ସିଆଣିଆ

ଜାଣନ୍ତି ସେ କେତେ ନବରଙ୍ଗ

ମାମୁଁ ଉପକାର, ମାମୁଁ ଉପକାର, ଶୁଝିବାକୁ ନାହିଁ ଶକ୍ତି ମୋର ।୫।

 

ରଥଟାଏ ଏବେ ପଠାଇଦେଇଛି

ବଡ଼ ସ୍ନେହ କରି ଆମ୍ଭଠାରେ

ଦେଖିବାକୁ ଯାତ ଯିବୁ ବେନି ବ୍ରାତ

ଦୁଧ ଦହି ନେବୁ ସଙ୍ଗତରେ

ବାପାଙ୍କୁ ପଚାର, ବାପାଙ୍କୁ ପଚାର, ସେ କହିଲେ ଯିବୁ ମାମୁଁଘର ।୬।

 

ଅକ୍ରୂର ଚିନ୍ତା:

 

ଶୁଣି ଏ ଉତ୍ତର ବିଚାରେ ଅକ୍ରୂର

ନନ୍ଦ ଯେବେ କରିଦେବେ ମନା

ରଥରେ ଆରୋହି ମଥୁରା ପୁରକୁ

ଆଉ କାହ୍ନୁ ଯିବେ ନାହିଁ ସିନା

କଂସ ବହି ରୋଷ, କଂସ ବହି ରୋଷ ନିଶ୍ଚେ କରିବ ମୋ ବଂଶ ନାଶ ।୭।

 

ପାଞ୍ଚି ପାଞ୍ଚି ମନେ ଏପରି ସଚିବ

ପତ୍ର ନେଇ ଦେଲା ନନ୍ଦ ପାଶ

ଭୋଜବଂଶ ଅବତଂସ କଂସାଦେଶ

ପାଇ ହେଲେ ବିଶେଷ ବିରସ

ଗୋକୁଳାନନ୍ଦର, ଗୋକୁଳାନନ୍ଦର, ଦରଧର ହର କାଳ ଜର ।୮।

 

କଂସ ଚିଟାଉ:

 

କୋପ ହୋଇ କଂସ ଭୁପତି ଲେଖିଛି,ଆହେ ଗୋପନୃପ ନନ୍ଦ

ତୋ ପରା ମାନବ ଛୋପରା ହୋଇଣ, ଟାପରା ନମଣ ହୃଦ ଏପତ୍ର,

ପାଇ ଆସିବୁ ପାହିଲେ ରାତ୍ର, ଏପତ୍ର ।

ସଙ୍ଗେ ଥିବେ ତୋରବେନି ପୁତ୍ର, ଏ ପତ୍ର ।୧।

 

ଲେଖୁଅଛି ମୁଁ ତ ନ ହେବୁ ନିସତ, ଦୁଗଧ୍‌ ଶତେ ଭାର ଆଣ

ଲୋକେ ସମ୍ଭାବନା ପାଇଁ ଆଳୁ, ରମ୍ଭା, ଆଣିବୁ ଆଜ୍ଞାପ୍ରମାଣ, ଏଚିଠି

ନ ମାନିଲେ ଉଠିଯିବ ଚୁଟି, ଏ ଚିଠି

ବେକଠାରୁ ଶିର ଦେବି କାଟି, ଏ ଚିଠି ।୨।

 

ରସି କରି ଅସି କଷି ଧଇଲେ ମୁଁ, ନରଖିବ ମୃତ୍ୟୁଦେବ,

ସେବକ ମୋହର ଦେବତା ସକଳ ଦେବକୀ ଯେ ବସୁଦେବ, ସେ ରବି

ମୋହ ଦର୍ପ ଦେଖି ଗଲା ଦବି, ସେ ରବି

ମୋହ ରୂପକୁ ହାରିଛି ପବି, ସେ ରବି ।୩।

 

ପାଖରେ ଥାଇ ତୁ ମୁଖ ଲୁଚାଉଛୁ, ଅଟୁ ଏଡ଼େ ବଡ଼ ମୂର୍ଖ

ଲେଖା ପାଇ ଦେଖା ନ କଲେ ତୁ ଶିକ୍ଷା ପାଇବୁ ଜୀବନ ରଖ, ମୋ କଥା

ନ ରଖିଲେ ନ ରହିବ ମଥା, ମୋ କଥା

ତୋର ଜନମ ହୋଇବ ବୃଥା, ମୋ କଥା ।୪।

 

ଭାଷା ପଢ଼ି ନନ୍ଦ ହଂସା ଉଡ଼ିଯାଏ, ତୁଣ୍ଡକୁ ନ ଆସେ ଭାଷା

ଗୋପାଳ ଭୂପାଳ କପାଳକୁ ଠୁକି ବୋଇଲେ ହେଲା କି ଦଶା, ଏ ପଦ

ଗୀତେ ଯୋଡ଼ୁଛି ଗୋକୁଳାନନ୍ଦ, ଏ ପଦ

ଧ୍ୟାୟି ଗୋବିନ୍ଦ ପଦାରବିନ୍ଦ, ଏ ପଦ ।୫।

 

ନନ୍ଦ ନିରାନନ୍ଦ ହୃଦେ ଗୋପବାସୀବୃନ୍ଦ

ବସାଇ ଭାଷଇ ଚିତ୍ତ ବିଷାଦ ସମୁଦ୍ର

କଂସାସୁର ମନ୍ଦ, ଭାଷା ପେଶିଅଛି କରି ଛନ୍ଦ, କଂସାସୁର ମନ୍ଦ

 

ଦୁଧ ଶହେ ଭାର ପାଇଁ ବୃଦ୍ଧକୁ ଆଦେଶ,

ସୁତ ଘେନି ସଙ୍ଗେ ପ୍ରବେଶିବି ତାର ପାଶ

ରମ୍ଭା ଆଦି ଫଳ, ସମ୍ଭାରି କରି ଯିବି ତତ୍‌କାଳ, ରମ୍ଭା ଆଦିଫଳ ।

 

ବ୍ରଜବାସୀମାନେ ସଜ ହୁଅ ଆଜିଠାରୁ

ରଖ ଦଧି, ଦୁଧ ଛେନା ନିଜ ନିଜ ଘରୁ

ବ୍ୟାଜ କଲା କଂସ, ବାଜ ସେ, କପୋତ ମୋର ବଂଶ, ବ୍ୟାଜ କଲା କଂସ

 

ଗୋପୀମାନେ:

 

ଆଜି ସତେ ରାଜୀବ ଲୋଚନ

ଏ ଗୋପ ପୁରକୁ ତେଜି ଯିବ କି ?

ହେ ବରଜ ରାଜ ମରଜିରେ ହେଜ

ଅରଜିଲା ଧନ ବରଜିବ କି ?

ବାଜି ଯିବ ଦୁଃଖ ଭାଜି ଯିବ ସୁଖ,

ରାଜି କିମ୍ପା ହୁଅ ଅଟ ବିବେକୀ ।

 

ମାତାଙ୍କ ଶୋକ :

ସତେକି ମୋତେ କି ଯିବୁ ମୁରୁଛି, ମୋ କଳାକାହ୍ନୁ ।

ସେତିକି ବେଳୁ ମୁଁ ଝୁରି ମରୁଛି, ମୋ ………………

ପିତା ତୋ ଚିନ୍ତାରେ ନିତାନ୍ତ ବ୍ୟସ୍ତ, ମୋ ……..

ପିତା ପରି ସିତା ଜିତା ପଦାର୍ଥ, ମୋ କଳାକାହ୍ନୁ ରେ ।

 

ଶ୍ରୀକୃଷ୍ଣଙ୍କ ବେଦାଙ୍ଗଶିକ୍ଷା

 

ସର୍ବବିଦ୍ୟାରେ ସୁପଣ୍ଡିତ ସେ ନନ୍ଦସୁତ

ଅଭିଧାନ ଜାଣଇ ସେ ବ୍ୟାକରଣେ ଅବ ହିତ (ଘୋଷା)

ଶ୍ରୁତି ସ୍ମୃତିରେ ଅମିତ ଶୋଭା ବେଦରେ ଭୂଷିତ

ସାଧକରେ କେ ହେବ ଲକ୍ଷିତ ।

ସଙ୍ଗୀତ ରଙ୍ଗରେ   କେତେ କରନ୍ତି ନୃତ୍ୟ

ବ୍ରହ୍ମବିଦ୍ୟାରେ ସାଧିତ ତନ୍ତ୍ରମନ୍ତ୍ରରେ ବିଦିତ ।୧।

 

ବିଚକ୍ଷଣ ନାଟକରେ   ବର୍ଣ୍ଣିବାରେ କାବ୍ୟ କରେ

ଭାଇବ ପୁରାଣେ ନ ମିଳେ ଅନ୍ତ

ପରମାର୍ଥରେ ଚିନ୍ତିତ   ସାଧୁପଣ୍ଡିତ

ଅନୁରାଗ ଓ ସାତ୍ତ୍ଵିକ ହୃଦେ ହୁଅଇ ବର୍ଦ୍ଧିତ ।୨।

 

ଭାବେ ଭାବିବ ଛ ‘ ମାସ  ସରସ ରସେ ସମାସ

ଅଳଂକାରେ ହୋଇଣ ପୂରିତ

ରାଗିଣୀ କହିବା    ଏତିକିରେ ଅମୃତ

ଦଶା ବିବିଧ ରସ ରେ ବାରେ ହୋଇ ସଂକଳ୍ପିତ  ।୩।

 

ବନ୍ଧନ କରାଇ ମନ   ଛଳରେ ନନ୍ଦନନ୍ଦନ

ସତୀଙ୍କର ଧୃତ କଲେ ହୃତ

ଖ୍ୟାତକବି ବୋଲି    ଭବେ ହୋଇ ବିଖ୍ୟାତ

ଗୋକୁଳାନନ୍ଦ ରଚିଲା ବିବିଧ ସଙ୍ଗୀତ ଗୀତ  ।୪।

 

ହରିଶ୍ଚନ୍ଦ୍ରଙ୍କ ଦାନ

 

ବିନାଶନେ ପାପଫଳ ପ୍ରାପ୍ତ ରୂପ

ବିନାଶନେ ପାପ ବୁତ୍ତାନ୍ତ କହିବି ।

ବିଦୂର-କଳ୍ମଷ ବିଦୁର ସଦୃଶ

ଶ୍ରୀହରିଶ୍ଚନ୍ଦ୍ର ଯେ ନୃପ ଥ୍ରଲେ ଭୁବି ।୧।

 

ବିଧୁରେ ଭଗତି ବିଧୁପରି କୀର୍ତ୍ତି

ବିକାଶେ ବିନାଶେ ନୈରାଶ୍ୟେ ପୃଥିବୀ

ବିଶ୍ଵରେ ସମ କେ ନ ଥିଲେ ଗୁଣଜ୍ଞ

ଗୁଣଜ୍ଞଙ୍କ ଗୁଣ କେତେ ମୁଁ କହିବି  ।୨।

 

ବିରସେ ବୀରସେ ପୃଥିବୀ –କେଶରୀ

ଅନ୍ୟ ରାଜାମାନେ ଅଟନ୍ତି ଯେ ଅବି

ବିଷ୍ଣୁ ତାଙ୍କ ଦାନ ବିଡ଼ିବାକୁ ମନ

ବଳାଇଲେ ଯିବି ଧନ ମୁଁ ମାଗିବି ।୩।

 

ବିପ୍ର ରୂପ ଧରି କ୍ଷିପ୍ର ସେ ବାହାରି

ନୃପତି ନିକଟେ ପ୍ରବେଶିଲେ ଭାବି ।

ବିଷ୍ଣୁ ସମତେଜ ଅଟନ୍ତି ଏ ଦ୍ଵିଜ

ଦେଖିଣ ଆଶ୍ଚର୍ଯ୍ୟ ରାଜା ଗଲେ ଦ୍ରବି ।୪।

 

ବିପ୍ର ସେବ୍ୟକର ଶୂନ୍ୟ ରହିବାରୁ

ଦେଖି ଅଚେତନ ରାଜ ଭାବି ଭାବି

ବିଭୁଙ୍କ କପଟ ବିଭୁ ତ ନିକଟ

ଧନାଶାରେ ନାହିଁ ଧନ କି କରିବି ।୫।

 

ବିଳମ୍ଵରେ ବିଳେଶୟ ପରିଗର୍ଜି

ତେଜିଯିବେ ଦ୍ୱିଜ ପୁଣ୍ୟ ଯିବ ଦ୍ରବି ।

ବିଚାରି ସଚିବ –ଶଚୀବର ସର୍ବ

ନୃପକର୍ଣ୍ଣେ ବାର୍ତ୍ତା ଦେଲେ ଭାବି ଭାବି  ।୬।

 

ବିଗତ ବିକୃତ ହୃତ ବିକଶିତ

ସେହି ହରିଶ୍ଚନ୍ଦ୍ର ବାଣୀ ଅନୁଭବି ।

ବିଷ୍ଟରଶ୍ରବାଙ୍କ କରେ ଖରେ ଦେଲେ

ଘରେ ଥିବା ଶାଳଗ୍ରାମ ପଦ ସେବି ।୭।

 

ବିନତାନନ୍ଦନ-ବାହନ ବହନ

ଚଳିଲେ ସ୍ଵଗୃହେ କିସ ମୁଁ ବର୍ଣ୍ଣିବି ।

ବିଦୁଷେ ବି ଅନୁପ୍ରାସରେ ରଚନା

ଗୋକୁଳାନନ୍ଦ ନୁହଇ ବଡ଼ କବି  ।୮।

 

୧. ଅବି- ଛେଳି, ୨. ବିଳେଶୟ-ସର୍ପ,୩.ସଚିବ-ଶଚୀବର = ସଚିବଶ୍ରେଷ୍ଠ (ଶଚୀବର = ଇନ୍ଦ୍ର) ଇନ୍ଦ୍ର =ଶ୍ରେଷ୍ଠ, ୪. ବିଷ୍ଟରଶ୍ରବା- ବିସ୍ତୃତ ଯଶ ଯାହାର, ବିଷ୍ଣୁ, ୫. ବିନତାନନ୍ଦନ- ଗରୁଡ଼

 

ପଦ୍ମ ପୁରାଣ

ଗୀତ-୧

 

ଦାଶରଥି ରାମ କୋଦଣ୍ଡ ଧର , ଦାସ-ରକ୍ଷଣେ ସର୍ବଦା ତତ୍ପର ।

ବାସବ ଆଦି ଦେବତାଙ୍କ କାର୍ଯ୍ୟେ, ବାସ ବରଜିଲେ ନ ରହି ରାଜ୍ୟେ

ନାଶ କଲେ ଯେତେ ଦୈତ୍ୟ , ନାଶକକୁ ତାଙ୍କ ପାଞ୍ଜି ଦେଖିବାକୁ ନ ମିଳିଲା ଫୁରୁସତ ।୧।

 

କରୁଣାକର ହେ କୋଦଣ୍ଡଧର, କରୁଅଛି , ଭୃତ୍ୟ ପାଦେ ଜୁହାର ,

ଖର କରି ମୋର କ୍ଳେଶ ବିନାଶ, ଖରପର ବଇଦେହୀ ବିଳାସ

ଗରକଣ୍ଠେ ବନ୍ଦେ ପାଦ, ଗରବ ଗଞ୍ଜନ ପ୍ରଭୁ ନିରଞ୍ଜନ ହରଣ କର ବିଷାଦ  ।୨।

 

କରୀ-ଉଦ୍ଧାରଣ ହେ ରମାପତି, କରିବାକୁ ଗୀତ ବଳୁଛି ମତି,

ସରିତ ସଦୃଶ ଚାଲିବ ପଦ, ସରିବ ନିର୍ବିଘ୍ନେ ସର୍ବ ସମ୍ବାଦ

ହରିବ ବୁଧଙ୍କ ଚିତ୍ତ, ମୋତେ ଏହି ଅନୁଗ୍ରହ ହେବ, ଗରିବ ଡାକେ ନିରତ  ।୩।

 

ଧୀର ଜନେ ଶୁଣ ନିବେଶି ଚିତ୍ତ, ବରତମାନ ଯେ ଗାଇବି ଗୀତ ।

ପୁରାତନ କାଳର ଏ ବିଷୟ, ପୁରାଣରେ ହୋଇାଛି ନିର୍ଣ୍ଣୟ ।

ବିରଞ୍ଚି ନାମକ ଦେଶ, ବିରଞ୍ଚି ତାହାକୁ ବିରଚିବା ବେଳେ ,ପାଇଥିବେ ବହୁ କ୍ଲେଶ ।୪।

 

ଅଳକାପୁରକୁ ହେବ ବଳକା, ବଳାହକ-ଗତି ରୋଧଇ ପକ୍କା

ବଳାରାତି ସଂପତ୍ତିକି ନିଶ୍ଚୟ, ବଳାଇବ ଚିତ୍ତ ନାହିଁ ସଂଶୟ

ପଳାଇଛି ଦୁଃଖ ତହୁଁ, ବଳାନୁଜ ପ୍ରତି ଭକ୍ତି ସେ କରନ୍ତି, ରହିବ ବା ପାପ କାହୁଁ ।୫।

 

ପ୍ରଣଧି ବୋଲି ଜଣେ ଥିଲା ତହିଁ, ଅଣିମାଦି ସୁଖ ଭୋଗ କରଇ

ଜାଣିବା ଶୁଣିବା ଲୋକ ଅଟଇ, ଖୁଣିବାକୁ ଜଣେ ଲୋକ ତ ନାହିଁ ।

ଗୁଣିକ ମଧ୍ୟରେ ସାର, ମଣିମା ମଣିମା ଡାକନ୍ତି ତାହାକୁ ,ସେ ଦେଶର ଯେତେ ନର ।୬।

 

ସତ୍ୟଛଡ଼ା ମିଥ୍ୟା ସେ କହେ ନାହିଁ ,ଅତ୍ୟନ୍ତ ଦୟାକୁ ଅଟଇ ସେହି

ଭୃତ୍ୟମାନଙ୍କୁ କରଇ ଆଦର,ଦାନ ନିତ୍ୟ ପୁଣ୍ୟ କାର୍ଯ୍ୟ ତାହାର

ମର୍ତ୍ତ୍ୟରେ ଦେବତା ସମ, ମାନନ୍ତି ତାହାକୁ ଜ୍ଞାନୀଜନମାନ, ପ୍ରକୃତି ଦେଖି ଉତ୍ତମ  ।୭।

 

ଭାରିଯା ନାମ ତାର ପ୍ରିୟବତୀ, ବାରିଜାକ୍ଷୀ ସମ ନୁହଇ ରତି

ପାରିଜାତକ ପରି ଦେହ ବାସ ,ଚାରି ଜାତିମଧ୍ୟେ ଅଟେ ସରସ

ହାରିବେ ଉର୍ବଶୀ ରମ୍ଭା , ପାରୀନ୍ଦ୍ରମଧ୍ୟମା ଗିରିସମସ୍ତନା, ଶରୀର ବିଶେଷ ଶୋଭା  ।୮।

 

ଚାଉଳ ଗୋଟିକେ ଗଢ଼ା ତ ସେହି , ଶେଉଳ ଉଞ୍ଛିଲା ପରି ଦିଶଇ

ତଉଲ ଦିଶଇ ତା ଅପଘନ, ମଉଳିବ ତେଜ ଦେଖି ସୁବର୍ଣ୍ଣ

ଅଉଲ ନମ୍ବର ନାରୀ, ତଉଲକୁ ତାର ସମାନ ନ ହେବ ସ୍ଵର୍ଗପୁର- ବିଦ୍ୟାଧରୀ  ।୯।

 

ବିଶେଷ ଲକ୍ଷଣା ସେ ସୁକୁମାରୀ, ପତିକି ମଣଇ ଦେବତା ପରି

ସତୀଙ୍କ ମଧ୍ୟରେ ଅଟଇ ସାର, ଯତିଙ୍କ ପରାଏ ସ୍ଵଭାବ ତାର ,

ମତି ତା ଥାଏ ଧର୍ମରେ,ଅତିଥି ଆସିଲେ ଅତି ଆଗ୍ରହରେ , ପ୍ରତିଦିନ ସେବା କରେ ।୧୦।

 

ଭାଷିଲା ଦିନେ ସୁନ୍ଦରୀକି କାନ୍ତ, ଶଶିହାସୀ ଶୁଣ ମୋର ବୃତ୍ତାନ୍ତ ।

ବସି ଖାଇଲେ ନଈବାଲି ସରେ, ଋଷିମାନେ କହିଛନ୍ତି ପୂର୍ବରେ ।

ରସିକାରତନ ଶୁଣ , ରସିଅଛି ମନ ବିଦେଶକୁ ଯିବି , ଧନ ଅର୍ଜିବା କାରଣ ।୧୧।

 

ବାଣିଜ୍ୟରେ ମିଳେ ବହୁତ ଧନ, ତାର ଅଧେ କୃଷି- କର୍ମରେ ଘେନ ।

ତାର ଅଧେ ମିଳେ ରାଜସେବାରେ, ଭିକ୍ଷା ନ ଅଣ୍ଟଇ କେଉଁକାଳରେ ।

ବାଣିଜ୍ୟ କରିବି ମୁହିଁ , ସନ୍ଦେହ ନ କର ବିଦେଶକୁ ଯିବି ,ଶୁଣ ଆଗୋ ଚାନ୍ଦମୁହିଁ  ।୧୨।

 

ଅବଳା କହିଲା ହେ ପ୍ରାଣପତି ,ନ ବଳା ଏଥିରେ ଆପଣା ମତି,

ଏ ବୟସେ ମିହିଁ ଏକା ରହିବି ,ପ୍ରବଳ ପୀଡ଼ା ବିଚ୍ଛେଦ ସହିବି ।

ଦୁର୍ବଳ ହେବ ଶରୀର, କବଳ କରିବ କାମଶର-ସର୍ପ ,ନିରତେ ନୟନୁ ନୀର ।୧୩।

 

ଦିନ ଦୁଇ ଘଡ଼ିରେ ଯେଉଁ ଜନ, ଅନ୍ନ ପାକ କରି କରେ ଭୋଜନ

ଋଣ ନ କରେ ନ କରେ ପ୍ରବାସ , ଶୁଣ ପ୍ରାଣନାଥ ସେହି ମନୁଷ୍ୟ

ସୁଖୀ ଅଟଇ ଜଗତେ, ଲେଖିଛନ୍ତି ପାଠ ଦୁଃଖୀ ହେବ କିମ୍ପାକାନ୍ତ ପ୍ରବାସେ ଏକାନ୍ତେ  ।୧୪।

 

ସମର୍ଥକୁ କେଉଁ ପଦାର୍ଥ ଭାର, ପ୍ରିୟବାଦୀ ଜନର ବା କେ ପର ।

ବିଦ୍ଵାନର ସମ ଦେଶ ବିଦେଶ, ବ୍ୟବସାୟ ଦୂର ପାଖ ସଦୃଶ  ।

ବିଦେଶ ମୋ ପ୍ରତି କଷ୍ଟ, ନୁହଁଇ କାରଣ ଗମନ ବାରଣ ନ କରି କହୁଛି ସ୍ପଷ୍ଟ  ।୧୫।

 

ବିତ୍ତ ଉପାର୍ଜନ କଲା ପର୍ଯ୍ୟନ୍ତ, ଚିତ୍ତ ଦେଇଥିବେ ଲୋକ ସମସ୍ତ

ଭର୍ତ୍ତା ବୋଲି ସେବା କରିବ ନାରୀ ,ପିତା କହିବେ କୁମାର-କୁମାରୀ

ଗରିବ ଲୋକଙ୍କୁ କେହି, କରିବ ଆଦର ଆଦରଶ-ମୁଖୀ, ବୃଦ୍ଧକାଳେ ପ୍ରିୟ ସହି ।୧୬।

 

ସଦା ପ୍ରବାସେ ରହେ ଯେଉଁ ନର, ପରଭାତ ଖାଇ ପୋଷେ ଉଦର ।

ଯୁବା ବୟସେ ପତ୍ନୀ ନାହିଁ ଯାର ,କଳି-କଣ୍ଡେଇ ଭାରିଯା ଯାହାର,

ରବିତଳେ ସେହି ଦୁଃଖୀ,କବି କହିଛନ୍ତି ଭାବି ଭାବି ମୁହିଁ ଏହା କି ପାରିବି ଲେଖି  ।୧୭।

 

ବିଦାୟ ବିଷୟ ଆନ ଗୀତରେ, ଆଦାୟ କରିବ ଭାବ ଚିତ୍ତରେ

ଗରୁଡ଼ବାହନ ସାରଙ୍ଗଧର, ଗରୁ ଡର ମୋର ବହନ ହର ।

ଅରୁଣ-ବରଣ ପଦ, ସ୍ମରଣ କରିଣ ଯୋଡ଼ିଅଛି ପଦ , କରଣ ଗୋକୁଳାନନ୍ଦ ।୧୮।

 

ଗୀତ-୨

ମଲ୍ଲୀହାସୀ, କାଲି ଚାଲିଯିବି ମୁଁ ବିଦେଶ

ବାଲି ଯେତେ ମନେ ପକାଇଇବୁ ତେତେ,

କଲି ବିନତି ଛଇଳି ତୋ ପାଶ (ଘୋଷା)

ଭାଲି ମୋତେ ମାଇଲେ କାମ,

ଭାଲିଆରୁ ସେ ବିଷ-ସମ,

ବୁଲି ଝୁଲି କରି ତୋର ନାମ ଖାଲି,

ଭୁଲିଯିବି ଯେତେ ତାର ପରାଶ  ।୧।

 

ଅଲିଅଳୀ ତୁ ମୋର ସହୀ,

ଗଲି ତୋର ଛାମୁରେ କହି

ବାଲ୍ମୀକି ମୋହନା ନାଳୀକ-ନୟନା

ପେଲିଦେ ନା ହେଲି ମୁଁ ତୋର ଦାସ  ।୨।

 

ବାଳିଶ ପରି ନୁହଁ ଆଳି

ବାଳୀଶ ରେ ନ ବସ ଭାଳି

ନଳିନୀ ନିକଟେ ଅଳିଭଳି ଅଳି

କରୁଛି ଗୋକୁଳାନନ୍ଦ ସମ୍ଭାଷ ।୩।

 

Unknown

ଗୀତ-୩

 

କହି ଏହିପରି ସହୀକି ଗଲା ବିଦେଶ କାନ୍ତ

ରହିଲା ଗୃହରେ ମହିଳା ସଖୀସଙ୍ଗେ ଏକାନ୍ତ  ।୧।

ରଜନାଶ ମୁଖୀ ସଜନୀ ଦିନେ ସଖୀଙ୍କ ସଂଙ୍ଗେ

ବିହାର କରୁଛି ନାହାର-ହାସୀ ଜଳରେ ରଙ୍ଗେ  ।୨।

ତଟିନୀ ତଟରେ ଘଟିଲା ଯେଉଁଯେଉଁ କାରଣ,

ସଂଶୟକୁ ନାଶି ବିଷୟ ଶୁଣ ଗୁଣିକଗଣ ।୩।

ଶବର ମୋଟୁଆ ଜବର ଧନୁଧ୍ଵଜ ତା ନାମ,

କାନ୍ତିକି ଦେଖିଲେ ଭୀତିକି ପାଇ ବୋଲିବେ ଯମ ।୪।

ନିର୍ଦ୍ଦୟ ଅଟଇ ହୃଦୟ ପାପୀ ମଧ୍ୟରେ ସାର,

ଜନ୍ତୁଙ୍କୁ ମାରିଣ ସନ୍ତୁଳି ଖାଏ ପୋଷେ ଉଦର  ।୫।

ଶିକାରେ ବଳକା, ବିକାର ତାର ନ ଥାଇ ଲେଶ,

ଶିକାର ରଖଇ ଶିକାରେ ଲଭିଥିବା ମାଉଁସ ।୬।

ପଶୁର ଚଳଣି ଅସୁର ପରି ପ୍ରକୃତି ତାର,

ଭୂସୁର ବା ସୁର ଶ୍ଵଶୁର ନାହିଁ ଭକତି ତାର ।୭।

ଲଙ୍କାରେ ତା ପରି ବଙ୍କାରେ କେହି ନ ଥଲେ ଜଣେ,

ଲକ୍ଷକେ ଖୋଜିଲେ ଲକ୍ଷ୍ୟ କେ ତାକୁ ହେବ ଦ୍ଵିଗୁଣେ ।୮।

ଭ୍ରମି ଭ୍ରମି ଶ୍ରମ ହୋଇ ସେ ମିଳିଲା ନଦୀତଟେ

ଦେଖିଲା ନାରୀକି ଲାଖିଲା ଆଖି ତାହା ନିକଟେ   ।୯।

ଝିନବାସେ ପୀନ ଉରଜା ଶୋଭା ଦିଶୁଛି ଫୁଟି ,

ସରୁଚେଳେ ଚାରୁ ଦିଶଇ ତାର ଉରୁ ଦୁଇଟି  ।୧୦।

ଚାହିଁଲା ନାରୀକି କହିଲା ଯାହା ଶବର ମନ୍ଦ,

ଆନ ଗୀତରେ ତା କହିବ ଦୀନ ଗୋକୁଳାନନ୍ଦ ।୧୧।

 

ଗୀତ-୪

 

ରମଣୀ ହୋଇଛି ବାହାର, ଏ କାହାର

ବନସମ ଅପଘନ ମନକୁ ମାନଇ ମୋର ।(ଘୋଷା)

ମିଳିନ୍ଦ ବର ନଳିନ, ଖଞ୍ଜନ ଏଣୀ, ଖଞ୍ଜନ-ଖଞ୍ଜନ ସଦୃଶ ସୁରୁଚିର

କୁନ୍ଦ ଡାଳିମ୍ବ ସମାନ ଦନ୍ତ ଏହାର ।

ଚକ୍ରବାକ ଲକୁଚରୁ କୁଚ ଅଧିକ ସୁନ୍ଦର ।୧।

 

ବନପ୍ରିୟ କୀର ରବ-ବାଣୀରେ ହେବ ସମ୍ଭବ, କନକ କମଳ ପାଦେ ସ୍ଥିର

ହଂସ ହାତୀ ଗତୀ ବୋଲି କହନ୍ତି ଧୀର

ଚମ୍ପା ଶମ୍ପାକ ବର୍ଣ୍ଣରୁ ନିଉନ ହେବ ବିଚାର ।୨।

 

ବଳାମଲ୍ଲୀ କଢ଼ିଫୁଲ ମଣ୍ଡନ ଏବ ଅତୁଳ ପ୍ରକାଶିତ ରମ୍ଭାର ସମ୍ଭାର

ପ୍ରଶଂସାର ଯୋଗ୍ୟ କମଳାକ୍ଷୀର ବର ,

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର ।୩।

 

ଗୀତ-୫

ରାମା ବଜାରେ ଆସୁଛି କେତେ ମଜାରେ

ସେହିବଡ଼ କପାଳିଆ ଯା’ ଭାରିଯାରେ ।(ଘୋଷା)

ରମ୍ଭାଜଘନାକୁ ଚାହିଁ ସମ୍ଭାଳିବେ ଶମ୍ଭୁ କାହିଁ

ସମ୍ଭାବନା କରିବେ ସେ ଏ ଗିରିଜାରେ  ।୧।

ରସିକା ଭିତରେ ସାର ହସି କହିଲେ ଏ ଗିର,

ବଶୀଭୂତ ହେବେ ୟାର ନେତ୍ରହଜାରେ  ।୨।

କିଲାଳ-ମୁଖୀ ଗଜଗତିରେ ପାଇବ ଲାଜ,

ରୂପକୁ ସମାନ ହେବେ ପୁଲୋମଜାରେ ।୩।

ଦୃଶ୍ୟ ତା ବଡ଼ ପସନ୍ଦ ନାରୀରଜାରେ  ।୪।

 

ଗୀତ-୬

 

(ପୁରୁଷ)  ନାଗରୀବର ସୁନା ତୁତ ସୁନାବରନା

ନାଗରଙ୍ଗାଧରା,ନାଗରଙ୍ଗାଧରା, ନାଗଗମନା ।(ଘୋଷଶ)

ଭାର୍ଗବୀ ନଗଜା, ଯାଜ୍ଞସେନୀ ରମ୍ଭା, କିମ୍ବା ସ୍ଵର୍ଗନାଗ-ଲୋକର କନ୍ୟା

ନାଗର ଆଗରେ ରାଗରେ କହୁଛି ,ଅଙ୍ଗସଙ୍ଗ ଦିଅ ରାଗ ଧର ନା

ଭଗମୋହନା,ଯୋଗଭଞ୍ଜନା, ଭୃଙ୍ଗକୁନ୍ତଳା ମୋ ମନ ଭାଙ୍ଗ ନା ।୧।

 

ସୁନ୍ଦର- ତୋ ଦେହ ପନ୍ଦରବୟସୀ, ମନ୍ଦର ପଡ଼ୁଛି ଶିରେ ତୋ ବିନା

ନାଗରିପୁଯାନନନ୍ଦନ ମଦନ କ୍ରନ୍ଦନ କରୁଛି ହୃଦେ ନବୀନା

ଚାନ୍ଦବଦନା, କୁନ୍ଦରଦନା,ମନ୍ଦରଉରଜା ଛେଦ ବେଦନା ।୨।

 

ରସାଳସା ଯୋଷା ବସା ତୋ କୋଳରେ, ଭସାଇ ନ ଦିଅ ରସ ମଣ୍ଡନା

ଶଶାପରି ଆଶା କରି ମୋର ଦଶା ହେବ କି ରେ କୃଶକଟି ସୁମନା

ଋଷିମୋହନା, ମୋ ଦୋଷ ଧର ନା, କରଣ ଗୋକୁଳାନନ୍ଦ ରଚନା ।୩।

 

ଗୀତ-୭

 

ସ୍ତ୍ରୀ- ନଟାବୁଲାଟା ତୁଟା ନକର ହଟ

କରୁଅଛୁ ଛଟା ଜାତି ଶବରଟା

ବର ଟରଟାଗତିର ହେବୁ ବରଟା ।୧।

 

ପଟ୍ଟା ତୋର ମାଉଁସ କଟା ପଟାଟୋପ କରୁ ଚହଟା

ପଟକାପଟକି କଥା ନ ପଟିବ

ହଟିଯା ଏଠୁ ତୁ ପାଟି ନ ଫିଟା ।୨।

ନ ତୁଟା ମୋ ଇଜ୍ଜତଟା , ବିଟପୀ କି ମଣିଛୁ ଖେଣ୍ଟା

ଜୁଟାଇଲା ପଦ ସେ ଗୋକୁଳାନନ୍ଦ

ଚିନ୍ତି ମାରିଥିଲେ ଯେହୁ ଶକଟା  ।୩।

 

ଗୀତ-୮

ଧନୁଧ୍ଵଜ ଏହିପରି ଶୁଣିଲା ,ମନୁ ତାହାର ଉପାୟ ପାଞ୍ଚିଲା

ତନୁ ଝାସ ଦେବି ଗଙ୍ଗାଜଳରେ, ବନଜମୁଖୀକି ରମିବି ବାରେ ।

ଅନୁମାନ ଏହା କରି, ସାନୁମାନସ୍ତନା ପାଶୁ ଅଭିମାନେ

ଶବର ଗଲା ବାହାରି-।୧।

 

ରହିଲା ଏଠାରେ ଯେଉଁ ବିଷୟ, କହିବ ଗାୟାକ ନାଶି ସଂଶୟ

ମୋହିବ ସମସ୍ତଙ୍କର ମାନସ, ପାଇବ ଏଠାରେ ସିନା ପୌରୁଷ

ଏଗୀତେ ଯୋଡ଼ୁଛି ପଦ, ରାମେଶ୍ଵର ଗ୍ରାମ ନିବାସୀ କରଣ-

ବଂଶଜ ଗୋକୁଳାନନ୍ଦ ।୨।

 

ସୁମତି ଚରିତ

ପ୍ରଥମ ଛାନ୍ଦ

 

ଗୁଣବନ୍ତ ଜନ ସ୍ଥିର ମତିରେ

ଶୁଣ ସୁମତି ବୃତ୍ତାନ୍ତ ଶ୍ରୁତିରେ  ।୧।

ବନେ ଦେଖି ଭଦ୍ରସେନ ନରେଶ

ମନେ ରାଜବାଳା ତୋଷ ବିଶେଷ ।୨।

ବର ବରିବାକୁ ତାଙ୍କୁ ଆଦରେ

ବରବରନୀ ପାଞ୍ଚିଲା ହୃଦରେ  ।୩।

ପରିଚାରୀଙ୍କି କହିଲା ସତ୍ଵର

ପରିଚୟ ନିଅ ତୁମ୍ଭେ ୟା’ଙ୍କର  ।୪।

ସୋମବଦନୀ ଚଳିଲା ସନ୍ତୋଷେ

ଲୋମବିଲୋମେ ସୁନ୍ଦରକୁ ଭାଷେ  ।୫।

ଅନ୍ୟ ଗୀତେ ତା କରିବି ପ୍ରକାଶ

ଶୁଣି ସୁଜନେ କ୍ଷମା କର ଦୋଷ  ।୬।

 

ମେଷ ଯୁଦ୍ଧ

ଦ୍ଵିତୀୟ ଛାନ୍ଦ

 

ନାଗର ହକ କହ ରଗନା,

ନାହକରେ ତରତରେ କହ ନା  ।୧।

ନରବର କନକର ବରନ

ନ ଦବ ସହସା ହସ ବଦନ  ।୨।

ନଜର କର ତରକର ଜନ,

ନବର ଶରଧା ରସର ବନ  ।୩।

ନବଉଜ ସରସ ଜଉବନ ।

ନ ଦର ରସରେ ସାର ରଦନ  ।୪।

ରତ ବାରତାରେ ତାରବା ତର

ରଚ ଆଦର ବରଦ ଆଚର  ।୫।

ତରକ ରଖ ନା ଖର କରତ

କରଣ ଗୋକୁଳାନନ୍ଦ ରଚିତ ।୬।

 

ତୃତୀୟ ଛାନ୍ଦ

ଗୋମୁତ୍ର ଛାନ୍ଦ

 

ଯୁଗ୍ମ କପାଟ ବନ୍ଧରେ ସଖୀକୁ କହେ କୁମର

ଗୋମୂତ୍ର ଛନ୍ଦ ଏ ସୂତ୍ର ବୁଧବୃନ୍ଦ ହୃଦେ ବାର ।(ପଦ)

ନରପତି ସୁତ ମୁହିଁ ବୀରପଣେ ଧୀରଗଣେ ପୁରନ୍ଦର ।୧।

ନଦୀ ନାମ ଦେଶଭୂପ ସଖି ପିତା ଚାରୁତର

ବାଦୀ କାମ ବେଶ ରୂପ ଦେଖି ଚିନ୍ତା ଗୁରୁତର ।୨।

ନାରୀବରକୁ ପଚାର ପାରିବ କି କରି ବର

ଗରିବର ଉପକାର କରିବ କି ଧରି କର  ।୩।

ହରିଣ-ଲୋଚନା ସାର ରସିବାରେ ରାମାବର

ହରିଣ ଶୋଚନା ଘୋର ନାଶିଖରେ କାମାତୁର  ।୪।

ପାରିଧିରେ ଶରଧାରେ କ୍ଷୟ କରେ ଜୀବବାର

ବାରି ଧୀରେ ଶରଧାରେ ସ୍ଵୟଂବରେ ଅବତାର  ।୫।

ସୁତର ଉତ୍ତର ଶୁଣି ଦାସୀ ଫେରିଲା ସତ୍ୱର

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର  ।୬।

 

ଚତୁର୍ଥ ଛାନ୍ଦ

 

ସୁମତି ଶୁଣ ହେ ବସି, ସୁମତି ପାଖରେ ଦାସୀ

ସମସ୍ତ କଥା କହିଲା, ସମ୍ମତି ତାହାର ହେଲା

ଧଣ୍ଡା ଧରି କରେ, ମଣ୍ଡାଇଲା ରାଜପୁତ୍ର ଗଳେ ଖରେ  ।୧।

କଟକ ଶୋଭିନୀ କର, ଝଟକରି ଧରି ବୀର

ଘୋଟକ ପରେ ବସିଲା , ଛଟକରେ ପଳାଇଲା

ହାଟ ହେଲା ତହିଁ , ହାଟକ- ଦେହୀକି ହରିନେଲା କେହି  ।୨।

ଯୁଟିଥିବା ରାଜାଗଣ, ଛୁଟିଲେ ଶୁଣି ତକ୍ଷଣ

ମୋଟ ହୋଇ ସର୍ବବୀର ,ବାଟ ଓଗାଳିଲେ ଖର

ଘୋଟମାଟ କରି, ଚୋଟ ଫୁଟାଇଲେ ହାତେ ନଳୀ ଧରି ।୩।

ତୁଟା କେଇଁଠୁ ଅଇଲୁ ,ତୋଟାମଧ୍ୟେ ଲୁଚିଥିଲୁ

ତୁଟାଇଲୁ ୟା ଇଜ୍ଜତ, ଘଟାଇଦେଲୁ ଅନାର୍ଥ

ଖୋଟାପଣ ଆଜି , ଗୋଟାକେତେ ବାଜିଗଲେ ଯିବ ଭାବି  ।୪।

ପଟକାପଟକି କରି, ପାଟପିନ୍ଧା ଗୋରୀ ଧରି

ପଟାଟୋପ ଦେଖାଉଛୁ, ପେଟାଟା ଚାହିଁ ରହିଛୁ

ପିଟାପଣ ତୋର, ପିଟାପିଟି କରିଦେଲେ ହେବ ଦୂର ୫।

କଣ୍ଟକ କୁଳର ତୁହି କଣ୍ଟାରେ ଲୁଗା ପକାଇ

ଖଣ୍ଟପଣ ଆଚରିଲୁ, ଖୁଣ୍ଟା କାଳକୁ ରଖିଲୁ

ହଟହଟା ହେବୁ, ହେଣ୍ଟାପଣ ଛାଡ଼ିଯିବ ଆଜି ସବୁ ।୬।

ନିନ୍ଦି ଏହିପରି ତାକୁ, ବାନ୍ଧିନେଲେ ମନ୍ଦିରକୁ

ବନ୍ଦୀଶାଳେ କଲେ ବନ୍ଦୀ, କାନ୍ଦାଲା ସେ ଭାଗ୍ୟ ନିନ୍ଦି

ବନ୍ଦି ପାଦଦ୍ଵନ୍ଦ, ଛନ୍ଦିଛି ଗୋକୁଳାନନ୍ଦ ପଦବୃନ୍ଦ ।୭।

 

ପଞ୍ଚମ ଛାନ୍ଦ

 

ଶୁଣିବଟି ଗୁଣୀଜନେ ମନକର୍ଣ୍ଣ ଦେଇ

ଖୁଣିବ ନାହିଁ ଏ ଗୀତେ ଦୋଷ ଥିଲେ ରହି ।୧।

ସୁତ ବନ୍ଦୀ ହେବା କଥା ଶୁଣିଲା ପିଅର

ପିତ୍ତ ଚଢ଼ିଗଲା ସତେ ତାଳୁରେ ତାହାର  ।୨।

ଲସ୍କରଙ୍କୁ ଧରି ନୃପ ହୋଇଲା ବାହାର

ଭାସ୍ମର ଲୁଚିଲେ ପଦରଜରେ ତାଙ୍କର ।୩।

ସୁରେଶ ନରେଶ କଲେ ଘୋରତର ଯୁଦ୍ଧ

ଲଢ଼ିଲେ ସେଠାରେ ଯୁଟିଥିବା ଭୂପବୃନ୍ଦ ।୪।

କେ ମାରଇ ଶକତି ଯେ କେ ମାର ଇ ଭାଲି

କେହୁ ଶର ମାରେ କେହୁ ଫୁଟାଉଛି ଗୁଳି ।୫।

କନ୍ତରେ କେ ଅନ୍ତ କାଢ଼ି କରେ ହନ୍ତସନ୍ତ

ହାତୀରେ ଦଳାଉଅଛି କାହାକୁ ମାହୁନ୍ତ ।୬।

ଖଣ୍ଡାଧରି ଗଣ୍ଡାଗଣ୍ଡା ଭେଣ୍ଡା କେହୁ ମାରେ

ପଣ୍ଡା ମେଣ୍ଢା ଛେଳି ଯଥା ଆଶ୍ଵିନ ମାସରେ ।୭।

ହାରି ନରପତିମାନେ ପଳାଇଲେ ଛାଡ଼ି

କାବେରୀ ଦେଶର ସୈନ୍ୟ ଯାଉଛନ୍ତ ମାଡ଼ି ।୮।

ଯୁଟି ସେନା ରଜାଘର ନଅର ଭିତରେ

ଲୁଟି କଲେ ଧନରତ୍ନ ଯା ଥିଲା ସେଠାରେ  ।୯।

କାରାଗାରୁ କୁମରକୁ ଆଣିଲେ ଫିଟାଇ

ରାଜଦୁହିତାକୁ ଛାଡ଼ି ଅଇଲେ ସେଠାଇ  ।୧୦।

ସେହି କନ୍ୟା ଯୋଗେ ଯେବେ ହେଲି ମୁଁ ବନ୍ଧନ

ତାହାକୁ ମୁଁ ବିଭାହେବି ନାହିଁ କଦାଚନ  ।୧୧।

ଅନ୍ୟ କେହି ରାଜପୁତ୍ର ହେଲେ ନାହିଁ ବିଭା

ବାପଘରେ ଝିଅ ଥିଲେ ନ ଦିଶଇ ଶୋଭା  ।୧୨।

ଏମନ୍ତ ବିଚାରି କନ୍ୟା କଲା ବନବାସ

ତପସ୍ଵିନୀବେଶ ଧରି ଫଳ କରେ ଗ୍ରାସ  ।୧୩।

ବିକଟସେନ ନାମରେ ଦୈତ୍ୟ ଥିଲା ତହିଁ

କାମଶରେ ମୋହ ଗଲା କନ୍ୟାରତ୍ନ ଚାହିଁ ।୧୪।

ଘରଣୀ କରିବା ପାଇଁ ହରିନେଲା ଖରେ

ଅତି ଗୋପନେ ରଖିଲା ପାତାଳ-ବିବରେ  ।୧୫।

ବର୍ଷେ ବ୍ରତ ଅଛି ବୋଲି ଭୁଲାଇଲା ରାମା

କହଇ ଗୋକୁଳାନନ୍ଦ ଦୟା କର ଉମା ।୧୬।

 

ଷଷ୍ଠ ଛାନ୍ଦ

 

ସଭାଜନେ ଶୁଣ ନିବେଶି ଚିତ୍ତ

ନିର୍ଭା ହେବ ଏହା ପରେ ଯେ ଗୀତ।

ବିଭା ହେଲା ନାହିଁ ସୁରେଶ –ସୁତ

ତା ଭାଗ୍ୟକୁ ଯାହା ହେଲା ପ୍ରାପତ ।

ସେ ଭାବ ହେବ ପ୍ରକାଶ

ଅଭାବ ଯା ଥିବ ତାହା କ୍ଷମା ଦେବ

ଦୋଷ ନ ଧରି ବିଦୁଷ  ।୧।

 

ଖବର ପାଇଲା ସେ ଭଦ୍ରସେନ

ନବର ଛାଡ଼ି ସୁମତି ବହନ ।

ଶବରୁଣୀ ବେଶେ ବୁଲେ କାନନେ

ସେ ବରବରନୀ ବିରସ ମନେ ।

କବର ପଛେ ଲଭିବ

ପୂର୍ବର ବରକୁ ପ୍ରାପତ ନ ହେଲେ

ଆନେ ବିଭା ନ କରିବ  ।୨।

 

ମନେ ଭାବଥିଲା ରାଜକୁମାର

ଜନକ କରିଥିଲା ସ୍ଵୟଂବର

କନକାଙ୍ଗୀ ନ କଲା ସିଉକାର

ବନେ ବନଜାକ୍ଷୀ ବରିଲା ବର

ଘନକେଶୀକି ଆଣିଲି

ଅନେକ ନୃପତି ମୋତେ ଧରି ନେଲେ

ତା ଯୋଗେ ବନ୍ଧନ ହେଲି ।୩।

 

ଅଭିମାନେ ତାକୁ ଆଣିଲି ନାହିଁ

ଅବିବାହି ରାଜକୁମାରୀ ସେହି

ମୋ ବିନା ବନରେ କରିଛି ବାସ

ନବୀନା ବରଜି ଭୂଷଣ ବାସ

ମୁଁ ବିବାହ କଲେ ଆନେ

ଅବିବେକି ବୋଲି ଜଗତେ କହିବେ

ନିନ୍ଦା ନ ଶୁଣିବି କାନେ ।୪।

 

ସଂକଳ୍ପ ଏପରି କଲା କୁମର

ସକଳ କଥା ଶୁଣିଲେ ପିଅର

ଅକଲ ତାଙ୍କର ଗୁଡ଼ୁମ ହେଲା

ଅକାଳ ବିଷୟ କାହୁଁ ଜୁଟିଲା

କି କର୍ମ କଲୁ ରେ ବିହି

ମୋ କୁଳ ଏଠାରୁ ଲୋପ କରିବାକୁ

କପାଳେ ଥିଲୁ କି ଲିହି ।୫।

 

ସଚିବ ପୁରୋଧା ବସାଇ ବାସେ

ସଚିନ୍ତ ମାନସେ ନରେଶ ଭାଷେ

ପୁତ୍ର ମୋ ର ବିଭା ନ ହେବ ଯେବେ

ଗୋତ୍ର ଏଥୁଁ ଲୋପ ପାଇବ ତେବେ ।

କିସ ଉପାୟ ଏଥିକି

ସଂଶୟକୁ ନାଶି ବିଷୟ ପ୍ରକାଶ

ପଚାରୁଅଛି ଦୁହିଙ୍କି ।୬।

 

ବାଣୀ ଭଣିଲେ ଶୁଣି ପୁରୋହିତ

ରାଣୀ କରିବେ ଯେ କିଣିଛି ବ୍ରତ ।

ଆଣି ପୁତ୍ର ହସ୍ତେ ବାଣ୍ଟିବେ ଧନ

ଯେ ଯାହା ମାଗିବେ କରିବେ ଦାନ

ସେତିକିବେଳେ ଆପଣ

କତିକି ଯାଇଣ ସତ୍ୟ କରାଇଣ

ମାଗିବେ ପୁତ୍ର-ସନ୍ତାନ  ।୭।

 

ବିଧିମତେ ବ୍ରତ ହେଲା ପାଳନା

ନିଧି ଯାହା ଦେଲେ ବୁହେଁ କଳନା

ବିରସେ ସୁରେଶ ନରେଶ ଗଲେ

ବିରସେ ପୁତ୍ରକୁ ପୁତ୍ର ମାଗିଲେ

ହରଷେ ଫେରିଲେ ତାତ

ବରଷେକ ପରେ ବର ସେ ହୋଇବେ

ହୋଇଲା ଏହା ସମ୍ମତ ।୮।

 

ତେଣେ ସୁମତି ଅଛି ପାତାଳରେ

ଏଣେ ଭଦ୍ରସେନ ଅଛି ପାତାଳରେ

ଏଣେ ଭଦ୍ରସେନ ପିତା ଆଗରେ

ସତ୍ୟ କରିଛି ଦେବାପାଇଁ ସୁତ

ତା ବିନା ଅନ୍ୟେ ବିଭା ନ ହେବ ତ

ନବୀନା ହୋଇବ ମୁକ୍ତ

କେଉଁଠାରେ କେଉଁପରି ଦୁହିଁଙ୍କର

ବିବାହ ହେବ ଉଚିତ ।୯।

 

ଶୁଣିଲା ଗାୟକ ଭାଇ ଏ ଗୀତ

ଜାଣିଲ କିପରି ଗଲା ଚରିତ

ହାଣି ଦେଲା ପାଣି ପରାୟେ ପଦ

ବୁଣି ଦେଇଅଛି ଯେତେ ସମ୍ପଦ

ଗୁଣି ଜନଙ୍କୁ ପଚାର

ଗଣି ଦେଲା ପରି ମୁଣିମଧ୍ୟୁ ଟଙ୍କା

ଖଞ୍ଜିଅଛି ଅଳଙ୍କାର ।୧୦।

 

ବସାଇଲି ଯେତେ ଭଳିରେ ଗୀତ

ବସାଘରେ ଥାଇ ଶୁଣ ସମସ୍ତ

ଭସାଇଛି ଯତି ଯମକ ସ୍ରୋତେ

ରସାଇବ ବୁଧହୃଦ ଉଚିତେ

ଦଶାନନ ପର ପଦ

ଦଶାନାଶ ପାଇଁ ନିଶି ଦିବସରେ

ଘୋଷୁଛି ଗୋକୁଳାନନ୍ଦ  ।୧୧।

 

ସୁମତି ପରିଣୟ

ଭାଗ-୨

 

କାଣ୍ଡ କୋଦଣ୍ଡଧର ସୀତାପତି,

ଖଣ୍ଡନକର ଏ ଦୀନ ଦୁର୍ଗତି

ଖଣ୍ଡପରଶୁରେ ପଦ ବନ୍ଦିତ

ଖଣ୍ଡ ସମ ଅଟେ ତୁମ୍ଭ ଚରିତ

ଖଣ୍ଡଇ ଅଶେଷ ଭୟ,

ଖଣ୍ଡ ମଣ୍ଡଳ ଆପୂର୍ବେ ତୁମ୍ଭ ବିନା , ନାହିଁ କେ ଅନ୍ୟ ସହାୟ ।୧।

 

ଦଣ୍ଡକେ ବିହାର କରି ଆପଣ,

ଦଣ୍ଡକେ ବଧିଲ ଖର-ଦୂଷଣ,

ଚାଣ୍ଡରେ ବାଳିକି କରିଛ ବଧ,

ମୁଣ୍ଡିଆ ପକାଇ ସାଗରେ ବନ୍ଧ,

ମୁଣ୍ଡିଆ ମରୁଛି ପଦେ,

ମୁଁ ଡିଆଁ ମାରନ୍ତି ତବ କୃପାବାରି ପାଇଲେ ପ୍ରଭୁ ପ୍ରମୋଦେ  ।୨।

 

ପୁଣ୍ଡରୀକାକ୍ଷ ଆହେ ଆଦିମୂଳ

ମୁଣ୍ଡରେ ଶୋଭଇ ଶିଖଇ ଶିଖଣ୍ଡ ଚୂଳ

ଗୁଣ୍ଡ କଲ ଗୋପେ ଦହି-ଆଟିକା,

ଭାଣ୍ଡ ଭଗ୍ନ କଲ ନ କରି ଶଙ୍କା

ପାଣ୍ଡବ-ସହାୟ ସଦା

ଖାଣ୍ଡବ ଦହନକାରୀ ରଥ ବାହି କୁରୁକୁଳ କଲ ପଦା ।୩।

 

କୁଣ୍ଡଳ ମକର କର୍ଣ୍ଣେ ବିରାଜେ

କୁଣ୍ଡଳୀ-ଶୟନ ଦେବାଧିରାଜେ,

ମଣ୍ଡଇ ପଦ୍ମ କର ଶ୍ରୀପୟର,

ଭଣ୍ଡାଇଛ ବୀରେ ସେ ଛବି ସାର ହେ ,

କୁଣ୍ଡ ରାଧାଶ୍ୟାମ ଖ୍ୟାତ

ମୁଣ୍ଡ ବୁଡ଼ାଇଲେ ଗଣ୍ଡଜଳେ ଖଣ୍ଡ ଦୁରିତ ତୁରିତ ହତ ।୪।

 

ପଣ୍ଡ ନୋହୁ ସ୍ତବ ତବ ନିକଟ

ଭଣ୍ଡ ନାହିଁ ମୋତେ ହେ ପୀତପଟ

ପିଣ୍ଡରୁ ଯେତେବେଳେ ଜୀବ ଯିବ,

ତୁଣ୍ଡ ଶ୍ରୀରାଧାକୃଷ୍ଣ ଘୋଷୁଥିବ

ଚଣ୍ଡକର –ସୁତ ଦୂତ,

ଚଣ୍ଡ ହୋଇ ପ୍ରଚଣ୍ଡ ଦଣ୍ଡ ନ ଦେବେ , ଏତିକି ମାଗୁଛି ଭୃତ୍ୟ ।୫।

 

ଭାଗ-୨

 

ସାଧକ ସନ୍ଥ ମହନ୍ତ ଭଗତ,

ସାବଧାନେ ଶୁଣ ନିବେଶି ଚିତ୍ତ

ସୈନ୍ଧବ ନାମକ ଏକ ନଗର,

ମାଧବ ସେହି ଦେଶ ନରେଶ୍ଵର ।

ବାନ୍ଧବୀନାମ ସୁଶୀଳା ,ବାନ୍ଧି ପାରଇ ସେ ସୁଷମା-ରଜ୍ଜୁରେ , ଯତିଙ୍କ ମତି ଛଇଳା  ।୧।

 

ଗରୀବ ସେ ଦେଶେ ଜଣେ କେ ନାହିଁ

ଗାରିମାରେ ଚଳୁଥାଆନ୍ତି ସେହି ।

ଗୋରୁ ବ୍ରାହ୍ମଣଙ୍କ ହିତ ପାଞ୍ଚନ୍ତି,

ଗୁରୁ ଗୌରବାଦି ସଦା ମାନନ୍ତି

କୁରୁପତି ପରି ରାଜା , କୁରୁଡ଼ି ମାରଇ ଅଶେଷ ସମ୍ପତ୍ତି ଥାଇ କରୁଥାଏ ମଜା ।୨।

 

କଳିବ କିଏ ବା ଲୋକଙ୍କ ବିତ୍ତ

କଳି କେହି ନ କରନ୍ତି କିଞ୍ଚିତ

କାଳୀ କଳା ନର ନାରୀ ନାହାଁନ୍ତି

କାଳି ସଉଦା କେହି ନ କରନ୍ତି

କୌଳିକ ପ୍ରଥାରେ ଚଳି, କେଳି କରିଥାନ୍ତି ମିଳିମିଶି ସର୍ବେ, ଆନନ୍ଦରେ ହସି ଖେଳି  ।୩।

 

ଅଲିଅଳ ହୋଇ ଚଳନ୍ତି ପିଲେ ,

ଅଳି କରୁଥାନ୍ତି ମାତାଙ୍କ ତୁଲେ ,

ଅଳିଆ ଦାଣ୍ଡରେ ରଖନ୍ତି ନାହିଁ,

ଅଳି କୁସୁମ ଭଳି ସ୍ନେହ ଥାଇ

ଚଳିଯାନ୍ତି ଲୋକମାନେ , ଚଳିବା କଥା କହିବା ପ୍ରଥା ବୃଥା ,ଚଳନ୍ତି ଯଥାବିଧାନେ ।୪।

 

ବିଭୁଙ୍କ କୃପାରେ ସେହି ନଗରେ,

ବିଭୂତି ଯା ଅଛି କେ କହି ପାରେ

ସନ୍ତାପ ଅମାପ ନୃପ ହୃଦୟେ ,

ନିତାନ୍ତ ବିକଳ ଭାବ ଆଳୟେ

ସନ୍ତାନ ଅଭାବ ଦୁଃଖେ, ସୀତାପତି ଚିନ୍ତା କିତାବକୁ ପତିପତ୍ନୀ ପଢ଼ୁଥାନ୍ତି ସୁଖେ  ।୫।

 

ଏହିପରି କେତେ କାଳ ଅନ୍ତରେ

ରାଜାରାଣୀ ବିଚାରିଲେ ଚିତ୍ତରେ

ରଜନୀ ପ୍ରଭାତ ହୋଇଲେ କାଲି,

ଭବନ ତେଜି ଦୁହେଁ ଯିବା ଚାଲି

ଭାବନା କରିବା ନିତି, ଭଗବତୀ ଦେବୀ ଦୁର୍ଗତିନାଶିନୀ , ନାଶିବେ ଆମ୍ଭ ଅରାତି ।୬।

 

କରୁଅଛି ଗୋକୁଳାନନ୍ଦ ମତି,

ଡକା ପଦକୁ ଶୁଣହେ ସୁମତି,

ଖୁଣିବ ନାହିଁ ଦୋଷ ଥିଲେ ଏଥି,

ଗୁଣକୁ ଗୁଣିବ ଗୁଣି ସମ୍ପ୍ରତି

ଦେବୀଙ୍କର ଦୟା ହେବ, ରାଜାରାଣୀଙ୍କର ମନର ସଂକଳ୍ପ ଅଳ୍ପକ ଦିନେ ତୁଟିବ ।୭।

 

ଭାଗ -୩

 

ମନ ମଗନ କରି ଅନଳ୍ପକେ ,

କବିତା କଳ୍ପନା କର କଳ୍ପକେ ।୧।

ସଂକଳ୍ପ ପୂରଣ ହେଲା ନୃପଙ୍କ

ଦୁଇ କୁଳ ହିତା ଦୁହିତା ଏକ ।୨।

ଜନ୍ମ ଲଭିଲା ନରେଶଙ୍କ ଅଙ୍କ

ମନ ଆନନ୍ଦ ଭୂପତି- ରାଣୀଙ୍କ ।୩।

ଅଗତି ଗତି ଦାୟକ ଶ୍ରୀପତି ,

ନାମ ରଖିଲେ ବିଚାର ସୁମତି ।୪।

ଧରାମଣ୍ଡନା ମଣ୍ଡିଲା ଧରିତ୍ରୀ,

ବାଲ୍ୟ ପୌଗଣ୍ଡାନ୍ତେ ହେଲା ଯୁବତୀ ।୫।

କାମନା ରଖି କାମଦେବ ଅତି,

ଅଭିଷେକକୁ ବଳାଇଲେ ମତି,  ।୬।

ପୂର୍ଣ୍ଣଯୌବନା ହୋଇଲା ସୁମତି,

ବୁଝ ଗୋକୁଳାନନ୍ଦ ପଦପନ୍ତି  ।୭।

 

ଭାଗ-୪

 

(ରାଜନନ୍ଦନୀ ସୁମତି ସଖୀ ସଙ୍ଗରେ ବନଶୋଭା ଦର୍ଶନ କରୁଥିବାବେଳେ

ଏକ ରାଜକୁମାର ତାକୁ ଦେଖି ପଚାରୁଛି।)

କହ ରାମାବର କାହାର ବାହାର

ନାହାର କି ନାହିଁ ଆଦର (ପଦ)

ଦଃଖରେ ତ ମୁଖ ଶୁଖିଲା ଦିଶୁଛି ,

ତଥାପି ତ କେଡ଼େ ସୁନ୍ଦର ,

ଦରପଣ କରେ ଦରପଣ

ଦରଲଭି ଖଟେ ପାଦର ।୧।

 

ଏ ଯୁବ ବୟସେ ଶିବାଧବ ସେବା,

ଯବାଧରା ଏକି ସୁନ୍ଦର ।

ନବୀନ ବୟସେ ଭବନକୁ ତେଜି,

ଭ୍ରମ ନା ଏବନ କନ୍ଦର  ।୨।

 

ବରଧନ ଲାଗି ବରଧନ କ୍ଳେଶ,

ବୋଧ ହେଉନାହିଁ ହୃଦର ।

ଲାଜ ତେଜ ଦ୍ଵିଜରାଜମୁଖୀ ଆଜ ,

କହ ବୁଲୁ କିମ୍ପା କନ୍ଦର ।୩।

 

ରାଜ ହେଉନାହିଁ ଯେଉଁ ମନ୍ଦ ପାଜି,

ହୃଦେ ଭାଜି ପଡ଼ୁ ମନ୍ଦର  ।

ଶୋଚନା ତୁ ମୃଗଲୋଚନା କର ନା,

ରଚନା ଗୋକୁଳାନନ୍ଦର  ।୪।

 

ଭାଗ-୫

 

(ରାଜ କୁମାରକୁ ସୁମତି ସଖୀର ପ୍ରଶ୍ନ)

ଖର କରି କର ପ୍ରକାଶ ନାଗର,

ଘର କେଉଁଠାରେ ତୁମର,

ହରପର ପରି ରୂପ ମନୋହର,

ନର କିନ୍ନର କି ଅମର  ।୧।

 

ଡର ନାହିଁ ଘୋର ଅରଣ୍ୟରେ ଫେର

ଅଟଇ ଅଳପ ଉମର,

ଧୀର ଗିର ବଡ଼ ସୁନ୍ଦର ମଧୁର ,

ତହିରେ ତ ଅଛି ମଧୁର  ।୨।

 

ଫରକତ ଉର ନୀରଦ ପ୍ରକାର

ଚିକୁର ଜିଣିଛି ଚାମର ।

ଶର ମାରିବାରେ ଧୁରନ୍ଧର କର ,

ଜାଣୁଛି ଜିଣିଛି କୁମାର ।୩।

 

ବୀର ହର ମୋର ସନ୍ଦେହ ସତ୍ଵର ,

କହ ତୁମେ କାହା କୁମର ,

ଗୋକୁଳାନନ୍ଦ ହୃଦ ନନ୍ଦସୁତ-

ପାଦପଦ୍ମେ ହେଉ ଭ୍ରମର ।୪।

 

ଚୈତନ୍ୟ ଚରିତାମୃତ

ଭାଗ-୧

 

ସନ୍ଥ ମହନ୍ତ ବୈଷ୍ଣବ ଭକ୍ତି ଅନ୍ତରେ

ମତି ଦିଅ ଚୈତନ୍ୟ ଚରିତାମୃତରେ (ଘୋଷା)

ପାଞ୍ଚଶ ବର୍ଷ ପୂର୍ବରେ ,ପାଞ୍ଚ ବ୍ରାହ୍ମଣକୁଳରେ

ଜାତ ଜଗନ୍ନାଥ ମିଶ୍ର ନବଦ୍ଵୀପରେ ।୧।

 

ଜାତ ହେ ଲେ ସାତ ସୁତ ,ସମସ୍ତେ ହୋଇଲେ ମୃତ

ଚିନ୍ତା ଥାଏ ସନ୍ତତ ଦୁହିଁଙ୍କ ମନରେ ।୨।

ହରିଭକ୍ତ -ପରାୟଣ , ନାରୀନର ଦୁଇଜଣ

ଭାରି ଆଦର କରନ୍ତି ଅଭ୍ୟାଗତରେ ।୩।

 

ଜ୍ୟୋତିର୍ମୟ ରୂପେ ଆସି,.ଦୟାମୟ ବ୍ରହ୍ମରାଶି

ବାସ କଲେ ଶଚୀଙ୍କର ଗର୍ଭଭିତରେ ।୪।

ନ ହେଲା ସୁତା କି ସୁତ , ମିଶ୍ରେ ଅତ୍ୟନ୍ତ ଚିନ୍ତିତ

ତେର ମାସ ଗତ ହେଲା ଏହି ମତରେ ।୫।

 

ଏ ମାସେ ହେବ କୁମର କହିଲେ ତାଙ୍କ ଶ୍ୱଶୁର

କହଇ ଦୀନ ଗୋକୁଳନନ୍ଦ ଗୀତରେ ।୬।

 

୧.ସାରସ୍ଵତ, କାନ୍ୟକୁବ୍ଜ, ଔତ୍କଳ,ମୈଥିଳ ଓ ଗୌଡ଼;ଏଇମତେ ପାଞ୍ଚଟି ବ୍ରାହ୍ମଣ କୁଳ ।

 

ଭାଗ -୨

 

ଚଇତନ୍ୟ ହେ ରୂପ ବିକଚ,

ଚନ୍ଦ୍ର ବଦନ ବଡ଼ ସୁସଞ୍ଚ ।

ଚଉଦ ପୁରେ ପୂଜା ପାଉଚ ,

ଚରାଚର ତାରିଚ ଶ୍ୱପଚ ।

ଚମ୍ପାରୂପଠାରୁ ହୋଇଚ ଉଚ୍ଚ,

ଚନ୍ଦନରୁ ବଳି ବାସ ବହିଚ ,

ଚଞ୍ଚଳାପତି ଅବତୀର୍ଣ୍ଣ ମଞ୍ଚ।୧।

 

ଚତୁର ପଣରେ ସାର ଗୋସାଇଁ

ନିକତାର ଚଇତନ୍ୟ ଦୁଇଭାଇ ,

ଈଶ୍ଵର ଅଂଶେ ଅବତାର ହୋଇ ,

ଇହ ଲୋକରେ ନାମକୁ ଚଳାଇ ,

ଈଷିତେ ତାରି ଜାଗାଇ ମାଧାଇ

ଇତର ବିଶେଷ ମନେ ନ ଥାଇ

ଇଷ୍ଟ ପୂର୍ଣ୍ଣ କର ଇନ୍ଦିରା ସାଇଁ ।୨।

 

ଇନ୍ଦ୍ରକୁବେରେ ଯେବେ ପୂଜିତ,

ତରଣୀ ଦିଅ ଭବ ସରିତ

ତରିବି ମୁଁ କେମନ୍ତେ ସରିତ ,

ତବ ନାମକୁ ନେବି ସନ୍ତତ,

ତପନ –ତନୟ ନ ଦେବ ଘାତ ,

ତବ ଅନୁଗ୍ରହ ହେଲେ କିଞ୍ଚିତ

ତବ ସାଧାନ ନ କରଇ ମୁଁ ତ  ।୩।

 

ନରଙ୍କ ମଧ୍ୟେ ମୁଁ ଅଟଇ ହୀନ ,

ନରକ ତାପ କର ଚ୍ଛେଦନ,

ନମୁଛି ନିତି ଶଚୀନନ୍ଦନ,

ନବନୀତ ଅଙ୍ଗ ଜନ ରଞ୍ଜନ,

ନଦୀୟା ନବରେ କଲ କୀର୍ତ୍ତନ,

ନଗର ଗ୍ରାମେ ହେଉଅଛି ଗାନ,

ନମେ ଗୋକୁଳାନନ୍ଦ ଅଜ୍ଞାନ ।୪।

 

ଭାଗ-୩

ରାଗ – ଆଠତାଳି

 

ସାଧୁଜନ ପରିତ୍ରାଣ, ନାଶିବାକୁ ପାପମାନ, ଧର୍ମ କରିବାକୁ ସଂସ୍ଥାପନ,

ବୈକୁଣ୍ଠକୁ ତେଜି ହରି ,ମର୍ତ୍ତ୍ୟେ ନରରୂପ ଧରି , ଯୁଗେ ଯୁଗେ ହୋନ୍ତି ଅବତୀର୍ଣ୍ଣ

ଧର୍ମ ସଂସ୍ଥାପନ ,କରିବାକୁ ଜାତ ଚଇତନ୍ୟ ।୧

 

ଆଠଶହ ବୟାନବେ ,ସାଲ ଚଳୁଥିଲା ଭବେ ,ଚଉଦଶ ସାତ ଶକାବ୍ଦରେ ,

ଚଉଦଶ ପଞ୍ଚାଅଶି, ମସିହା ପ୍ରବେଶ ଆସି, ଚଇତନଜାତ ଏ ସଂସାରେ ।

ଦୋଳ ପୂର୍ଣ୍ଣମାରେ ,ପ୍ରଦୋଷରେ , ଚନ୍ଦ୍ର ଗ୍ରହଣରେ ।୨।

 

ଭକ୍ତଗଣ ନେଇ ସଂଗେ ,ମାତିଲେ କୀର୍ତ୍ତନ ରଙ୍ଗେ, ହରିଦାସ ଶ୍ରୀ ଅଦ୍ଵୈତ ରାୟ,

ଆଚାର୍ଯ୍ୟ ରତ୍ନ ଶ୍ରୀବାସ,ମନରେ ହୋଇ ହରଷ , ଗଙ୍ଗାଜଳେ ବୁଡ଼ାଇଲେ କାୟ

ପ୍ରଭୁ ଜାତ କାଳେ , ମାତିଲେ ସକଳେ ,ପ୍ରେମ ଭୋଳେ  ।୩।

 

ସାବିତ୍ରୀ ଉମା ଭାରତୀ ,ଶଚୀ ରମ୍ଭା ଅରୁନ୍ଧତୀ, ଆଉ ଯେତେ ଛନ୍ତି ଦେବୀଗଣ,

ଆଚାର୍ଯ୍ୟ ରତ୍ନ ଶ୍ରୀବାସ ,ମନେ ହୋଇ ହରଷ, କହେ କରି ଅତି ସାବଧାନ ।

ଜାତ କର୍ମ କଲେ ବ୍ରାହ୍ମଣ ମାନଙ୍କୁ ଦାନ ଦେଲେ  ।୪।

 

ତଳେ ପଡ଼ି କ୍ଷୀରପାନ, ନ କରିବାରୁ ନନ୍ଦନ, ସର୍ବେ ରହି ଦୁଃଖିତ ମନରେ

କେଶବ ଭାରତୀ ଆସି ,ହରିନାମ ପରକାଶି , ଶଚୀଠାକୁରାଣୀଙ୍କ କର୍ଣ୍ଣରେ ,

ଆନନ୍ଦିତ ମନ, ଶିଶୁ କରିବାରୁ କ୍ଷୀରପାନ  ।୫।

 

ଅଦ୍ଵୈତାଚାର୍ଯ୍ୟ-ଘରଣୀ , ନାମ ସୀତା ଠାକୁରାଣୀ, ମିଶ୍ରଘରେ ଉପସ୍ଥିତ ହେଲେ ,

ଡାକିନୀ ଶାକିନୀ ଯେତେ,ଶଙ୍କା ଉପୁଜିଲା ଚିତ୍ତେ, ଡରେ ନିମାଇଁ ନାମ ରଖିଲେ ,

ବିଷ୍ଣୁ ପୂଜି ଜାତ , ବିଶ୍ଵମ୍ଭର ନାମ ହେଲା ଖ୍ୟାତ ।୬।

 

ପାଷଣ୍ଡଜନେ ଚେତନା, ଦେବେ ଚୈତନ୍ୟ ତାଙ୍କ ନାଁ, ଗୌର ଅଙ୍ଗ ହେତୁ ଗଉରାଙ୍ଗ

ଶ୍ରୀହରି ନାମକୁ ଶୁଣି ,କାନ୍ଦୁଥିଲେ ହୋନ୍ତି ତୁନି, ଗୌରହରି ନାମ ଦେଲେ ବେଗ

ଶଚୀ ଠାକୁରାଣୀ ,ବାଛି ବାଛି ନାମ ଦେଲେ ପୁଣି  ।୭।

 

ନଦୀୟା ଉଦୟ ଗିରି ଜାତ ଶଶଧର ପରି ,ତେଣୁ ନାମ ନଦୀଆର ଚାନ୍ଦ ,

ନରଙ୍କ ମଧ୍ୟରେ ହୀନ ,ଗୋକୁଳାନନ୍ଦ ଅଜ୍ଞାନ ହୃଦେ ଚିନ୍ତେ ଶ୍ରୀ ସଚ୍ଚିଦାନନ୍ଦ ।

ହରି ବୋଲ ଜନେ , ହୁଳହୁଳି ଦିଅ ନାରୀମାନେ  ।୮।

 

ଭାଗ-୪

 

ଶ୍ରୁତି ଦେଇ ଶୁଣ କୃତୀ ହେ, ବାଲ୍ୟଲୀଳା ବିଷୟ ,

ବର୍ଜିତ ହୋଇବ ଅର୍ଜିତ ପାପ-ତାପ ନିଶ୍ଚୟ  ।୧।

ଟୋକାଟି ଦିନରେ ଏକାକୀ ଖେଳୁଥିଲେ ନିମାଇଁ ,

ଦାଣ୍ଡର ଧୂଳିରେ ଚାଣ୍ଡରେ ଚୋର ଦିଜଣ ତହିଁ  ।୨।

ଚିନ୍ତିଲେ ମତିରେ କତିରେ କେହି ନାହାନ୍ତି ୟାର,

ଧରିବା ହରିବା ଦେହରେ ଯେତେକ ଅଳାଙ୍କାର ।୩

ମୁଣ୍ଡରେ ମୁଣ୍ଡାଇ ଦାଣ୍ଡରେ ଗଲେ ଚୋର ଦି’ଜଣ ,

ନ ଦେଖି ପୁତ୍ରକୁ ଦୃଦରେ ଜଗନ୍ନାଥ ବ୍ରାହ୍ମଣ  ।୪।

ବିକଳ ହୋଇଣ ସକଳ ସହର ଖୋଜାଇଲେ ,

ସୁତକୁ ନ ଦେଖି ଚିନ୍ତାରେ ମାତା କ୍ରନ୍ଦନ କଲେ  ।୫।

ହଜାର ମଣିଷ ବଜାର ଖୋଜି ହେଲେ ବିଷାଦ,

ଗୀତରେ ଆନନ୍ଦ ଚିତ୍ତରେ ଭଣେ ଗୋକୁଳାନନ୍ଦ ।୬।

 

ଭାଗ-୫

 

କର ଶ୍ରବଣ ହେ କର ଶ୍ରବଣ ,ଚୈତନ୍ୟଙ୍କୁ ନେଲେ ଚୋର ଦି’ ଜଣ ।(ଘୋଷା)

ତରବର ହୋଇ ଚୋର ନର ଦୁଇ , ପ୍ରବେଶି ଆପଣା ସଦନ ।

ପ୍ରକୃତରେ ତାହା ନିମାଇଁଙ୍କ ଗୃହ, ଦେଖି ତୋଷ ହେଲେ ବ୍ରାହ୍ମଣ ।୧।

ମାଆ ମାଆ ଡାକି ଚୋରଙ୍କ କନ୍ଧରୁ, ଓହ୍ଲାଇ ପଡ଼ିଲେ ତକ୍ଷଣ,

ଜାଣିଲେ ସେ ଚୋର ମିଶ୍ରଙ୍କର ଘର, ପକାଇଲେ ତ୍ରସ୍ତ ହୋଇଣ ।୨।

ମିଶ୍ରେ ଖୋଜୁଛନ୍ତି କିଏ ଆଣି ଦେଲା , ଦେବେ ତାଙ୍କୁ ଧନ ରତନ,

ନ ପାଇ କାହାକୁ ରଖିଲେ ପୁଅକୁ ,ବିତ୍ତ ପାଇଲା କି କୃପଣ ।୩।

ସନ୍ଧ୍ୟା ସମୟରେ ବିପ୍ରଙ୍କ ଗୃହରେ , ପହଞ୍ଚିଲେ ଏକ ବ୍ରାହ୍ମଣ,

ଅତିଥି ବୋଲି ସେ ଅତି ଆଦରରେ, ପାଣିରେ ଧୋଇଲେ ଚରଣ ।୪।

ପରିବା, ଚାଉଳ , ହାଣ୍ଡି ଡାଲି କାଠ, ଦେଲେ କରିବାକୁ ରନ୍ଧନ,

ଖନ୍ଦା କରି ପାଣି ଆଣି ସେ ବୋଇଲେ , ରନ୍ଧାବଢ଼ା କର ଆପଣ ।୫।

ଶୁଚିବନ୍ତହୋଇ ପ୍ରସନ୍ନ ମନରେ, ରାନ୍ଧିଲେ ସେ ଭାତ ତିଅଣ,

ପବିତ୍ର ପାତ୍ରରେ ବଢ଼ାବଢ଼ି କରି , ସ୍ମରିଲେ ଶ୍ରୀହରି ଚରଣ  ।୬।

ସେତିକି ବେଳକୁ ଆସି ଚଇତନ୍ୟ ,କିଛି ଅନ୍ନ କଲେ ଭୋଜନ

ମିଶ୍ର ଜଗନ୍ନାଥ ଦେଖି ହେଲେ ତ୍ରସ୍ତ,ବୋଇଲେ କଲୁ ଅକାରଣ ।୭।

ପାଞ୍ଚି ପାଞ୍ଚି ଚିତ୍ତେ ନିମାଇଁକି ନେଇ, ରଖିଲେ କରିଣ ଯତନ,

ପୁଣି ଥରେ ଦ୍ଵିଜ ରନ୍ଧାରନ୍ଧି କରି, ଚିତ୍ତେ ଚିନ୍ତିଲେ ନାରାୟଣ  ।୮।

କେହି ନ ଜାଣିଲେ ଗୌରାଙ୍ଗ ସେ ଅନ୍ନ, ଗର୍ଭକୁ କରିଲେ କ୍ଷେପଣ

ଏହା ପରେ ଯାହା ହେଲା କହେ ତାହା,ସେ ଗୋକୁଳାନନ୍ଦ କରଣ  ।୯।

 

ଭାଗ-୬

 

କୃତୀ ସମସ୍ତ ହେ ଶୁଣ ସ୍ଥିର କରି ମତି ,

ତୃତୀୟ ଥର ସେ ବିପ୍ର ରନ୍ଧନ କରନ୍ତି  ।୧।

ସେତେବେଳେକୁ ହୋଲାଣି ବହୁତ ଯେ ରାତି,

ହାଲିଆ ହୋଇଣ ଘରେ ସର୍ବେ ଶୋଇଛନ୍ତି ।୨।

ରନ୍ଧା ଶେଷ କରି ଦ୍ଵିଜ ବାଢ଼ିଦେଲେ ଅନ୍ନ,

ବାଳ ଗୋପାଳଙ୍କୁ କଲେ ମନେ ମନେ ଧ୍ୟାନ ।୩।

ସେ ସମୟେ ଚଇତନ୍ୟ ହୋଇ ଉପଗତ,

ଖାଇ ଲାଗିଛନ୍ତି ଅନ୍ନ ଦେଖି ଆଚମ୍ବିତ ।୪।

ସେହିଠାରେ ନିମାଇଁ ଶୁଣିବେ କି କହିଲେ ଏମନ୍ତ,

କହିବି ଅନ୍ୟ ଗୀତରେ ଶୁଣିବେ ସମସ୍ତ ।୫।

 

ଭାଗ-୭

 

ବାଳକରେ ,କାଳ ହେଲୁ ମୋର କେଉଁ ଦୋଷରେ ।(ଘୋଷା)

ଉପବାସ ଦିନଯାକ, ଉପରବେଳା ଏତକ,

ସୁପକ୍ୱ କଲି ମୁଁ ତ ତୋଷରେ  ।୧।

ବେଳାକ ଖାଇବା ପାଇଁ , କପାଳରେ ମୋର ନାହିଁ

କଲବଲ କଲୁ ତୁହି ରୋଷରେ  ।୨।

ତଳକୁ ନ ଥିଲି ଚାହିଁ ,ବାଳ-ଗୋପାଳଙ୍କୁ ଧ୍ୟାୟି,

ମାଳା ଜପୁଥିଲି ମୁଁ ହରଷରେ  ।୩

ଦାନ ବହୁତ କରିଲି ,ଫଳ କିଛି ନ ପାଇଲି,

ଭାଳଇ ବସି ମୁହିଁ ବିରସରେ  ।୪।

ଶୁଳ ତୁ ମୋହର ହେଲୁ ,କୁଳରେ ତଣ୍ଟି କାଟିଲୁ

ଭୁଲ କଲୁ ତୁ ମାନ ମାନସରେ  ।୫।

ତିଳକ ଦେଲୁ ତୁ ମୋତେ ,ତିଳେକ ନ ଭାଳୁ ଚିତ୍ତେ ,

ଗୋକୁଳାନନ୍ଦ କହେ ଏ ଗୀତରେ  ।୬।

 

ଭାଗ-୮

 

ଗୋସେଇଁଶୁଣ ମୋ ବଚନକୁ ହେ ,

କର ମୋ ସନ୍ଦେହ ମୋଚନକୁ ହେ । (ଘୋଷା)

ଭୋଜନାଦି ସଜାଡ଼ି ବ୍ୟଞ୍ଜନ ଥିଲି ବାଢ଼ି,

ଭୋଜନ ପୂର୍ବ କରି ଧ୍ୟାନକୁ ହେ,

ଆପଣ ସ୍ଥିରଚିତ୍ତେ ଅର୍ପଣ କଲେ ମୋତେ

କୃପଣ ହେଲ ସନ୍ନିଧାନକୁ ହେ ।୧।

ଭାବୁଛ ତୁମେ ଯାକୁ ଯାକୁ ଏ ଭବ ତରିବାକୁ

ସେବୁଛ ହୋଇ ସାବଧାନକୁ ହେ ,

ମୁହିଁ ସେହି ଅଟଇ କହିଲି ସମଝାଇ

କହିବ ନାହିଁ ଏହା ଆନକୁ ହେ ।୨।

ଘଟିଲା ଯେ ବିଷୟ ତୁଟିଗଲା ସନ୍ଦେହ,

ଲୋଟିଲେ ବିପ୍ର ପାଇ ଜ୍ଞାନକୁ ହେ

ଗୋକୁଳାନନ୍ଦ ଚିତ୍ତ ବ୍ୟାକୁଳିତ ସନ୍ତତ

ମିଳିବ ସତେ ଦରଶନକୁ ହେ।୩।

 

ଭାଗ-୯

 

ନବ ସପତ ବୟସୀ ଗୋରୀ, ନବନୀତରୁ କୋମଳ ଭାରି,

ନଦିଆରେ ଦିନେ କରୁଥଲେ ସ୍ନାନ ,ନବରଙ୍ଗେ ନବଦ୍ଵୀପ ବାରୀ

ସେ ଚନ୍ଦ୍ରମୁଖୀ, ନଇବିଦ୍ୟମାନ କୂଳେ ରଖି  ।୧।

ସେହିଠାରେ ଥିଲେ ଚଇତନ୍ୟ, ଖାଇଦେଲେ ସର୍ବ ଭୋଗମାନ

ଚାହିଁ ସହିକୁଳ ନ ସହି ବ୍ୟାକୁଳ, ବୋଇଲେ କି କଲୁ ବାପଧନ

ଦେବତାଙ୍କୁ ପୂଜିବାକୁ ଆଣିଥିଲୁ ତାଙ୍କୁ ରେ  ।୨।

ଯାହାକୁ ଯାହା କହିବି ମୁହିଁ , ତାହା ନିଶ୍ଚେ ହେବ ଚାନ୍ଦମୁହିଁ ,

ବାହା ହେବ ଭଲ ନାହା ତୁମ୍ଭେମାନେ ମହା ଆନନ୍ଦରେ ଥିବ ରହି,

ସେ ଗୌରହିରି , କହିବାରୁ ତୋଷ ହେଲେ ଗୋରୀ ।୩।

 

ମା ମାଉସୀ କେ ହେବ ମୋର, ଭଉଣୀ ପିଉସୀ ନୁହଁ ପର,

କୋଳକୁ କୁମର ମଥାକୁ ସିନ୍ଦୂର ,ହାତ କାଚ ହୋଇବ ବଜର,

ସେ ଗୌରହରି ,କହିବାରୁ ତୋଷ ହେଲେ ନାରୀ ।୪।

ବାଳକ କାଳରେ ସେ ନିମାଇଁ , ନଟକୂଟ କଲେ ଘରେ ଥାଇ,

ତିଆରି କହିଲେ ଶଚୀ ଠାକୁରାଣୀ,ଚାପୁଡ଼େ ମାଇଲେ ତାଙ୍କୁ ଯାଇ

ସେ ଶଚୀ ଦେବୀ ,ମିଚ୍ଛେ ମୂର୍ଚ୍ଛା ଗଲେ ଭାବି ଭାବି ସେ  ।୫।

 

ଗୋକୁଳାନନ୍ଦ କହଇ ଗୀତେ , ଚଇତନ୍ୟ କାନ୍ଦିଲେ କିଞ୍ଚିତେ

ମହା ଆନନ୍ଦରେ ଏହିପରି ଲୀଳା , ଯେତେ ତା ବର୍ଣ୍ଣିବି ମୁଁ କେମନ୍ତେ

ହେ ସାଧୁ ହିତେ ଗୋକୁଳାନନ୍ଦ କହଇ ଗୀତେ  ।୬।

 

ଭାଗ-୧୦

 

ଆଉ କାହିଁ ପାଇଁ କାନ୍ଦ ରେ ନିମାଇଁ ଚାନ୍ଦ ,ଆଉ କାହିଁ ପାଇଁ କାନ୍ଦ,

ସ୍ନେହରେ ମାତାଙ୍କୁ ଚାପୁଡ଼େ ମାଇଲୁ କହିଲେ ସଜନୀ ବୃନ୍ଦ ।(ପଦ)

ପିଲାମାନେ ଯେବେ ଦୁଷ୍ଟାମି କରନ୍ତି ,ତିଆରନ୍ତି ତାତ ମାତ ,

କେଉଁ ବୁଦ୍ଧିରେ ତୁ ଉଠାଇଲୁ ହାତ, ନନ୍ଦିଆ ଉଦିଆ ଚାନ୍ଦ ରେ ।୧।

ଦୁରୁଦଣ୍ଡ ପଣ ଛାଡ଼ିଲୁ ନାହିଁ ତୁ , ଜୂର କଲୁ ଘରେ ଥାଇ

ସୁରୁଖୁରୁରେ ତ ଦିନ ନେଲୁ ନାହିଁ , ମରୁତକୁ ପାତୁ ଫାନ୍ଦ ରେ।୨।

ନାରୀକୁଳ କହିଲେ ରେ ଧନ ଶୁଣ , ନାରିକେଳ ଦୁଇ ଆଣ

ମାତା ହେବ ଚେତା ଚିତ୍ତୁ ଯିବ ଚିପନ୍ତା, ତୋତେ ନ କହିବେ ମନ୍ଦରେ ।୩।

ଝଟ କରି ବେନି ନଡ଼ିଆ ଆଣିଲେ , ତାଟକା ହେଲେ ସଜନୀ ,

ସ୍ମରି ସାରି ଚାରି ପଦରେ ସାରିଛି କରିଣ ଗୋକୁଳାନନ୍ଦରେ  ।୪।

 

ଭାଗ-୧୧

 

ସଭାଜନମାନେ ଲୋଭବନ୍ତ ହୋଇ ଏ ଭାବ ଭାବନା କର,

ବିଭାକର ସୁତ ପ୍ରଭା ଦ୍ରବି ଯିବ ଅଭାବ ହୋଇବ ଦୂର, ହେ ନର

ବାଲ୍ୟଲୀଳା ଏ ଚୈତନ୍ୟଙ୍କର, ତୁଲ୍ୟ ନ ହେବ ପୀୟୂଷ-ସାର ହେ ,

ମୂଲ୍ୟ କେ କହିପାରେ ଏ ହାର  ।୧।

 

ବୃଦ୍ଧି କରି କଥା ବୋଧି କହିବାକୁ ବୁଦ୍ଧି ତ ନାହିଁ ମୋହର

ଯୁଧିଷ୍ଠିର ପରି ସୁଧୀ ନର ଅଛ ,ବିଧିରେ ବିଚାରେ କର, ଏ ବ୍ୟାଧି

ରିପୁ ପାପକୁ ଏ ଅଉଷଧି, ନିଧିଠାରୁ ଗରୁ ଏହା ସିଦ୍ଧି ,

ବଧିବାକୁ ବିପଦକୁ ଯୋଧି ।୨।

 

ହିରଣ୍ୟ ଜଗଦୀଶ ପଣ୍ଡିତ ବେନି ଏକାଦଶୀ ଉପବାସେ ,

ପିଷ୍ଟକାଦି ମିଷ୍ଟ ଦ୍ରବ୍ୟ କରିଥିଲେ , ସନ୍ତୁଷ୍ଟରେ ନିଜ ବାସେ ,ସେ ଲୁଚି,

ସୁରୁଚିରେ କରିଥିବା ଲୁଚି ,ତାହା ଖାଲଇଲେ ଚୈତନ୍ୟ ପାଞ୍ଚି ସେ

ଶୁଣି ଚକିତ ହୋଇଲେ ଶଚୀ ।୩।

 

ଗୋଟିକାରୁ ଦିନେ ଛାଟିପିଟି ହୋଇ ନିମାଇଁ ଖାଇଲେ ମାଟି

ପାଟିରୁ ମାଟି ସେ ଫିଙ୍ଗିବା ପାଇଁକି ଛାଟ ସାଉଁଟିଲେ ମା’ଟି, ସେ ତ୍ରୁଟି

ହେବା ବୁଝାଇଲେ ପରିପାଟୀ, ଯୁକ୍ତି କରି ପକାଇଲେ କାଟି  ।୪।

 

ଗଙ୍ଗାରେ ସ୍ନାନ କରି ଦଙ୍ଗା ହେଙ୍ଗାମା କରୁଥିଲେ ସଖା ସଙ୍ଗେ ,

ଭାଙ୍ଗିବାକୁ ଭଙ୍ଗୀ କେହି ଜଣେ ବେଗି କହିଲା ମିଶ୍ରଙ୍କ ଆଗେ, ତା ବାରି

ହାତେ ପୋଥି ଧରି ଗୌର ହରି, ଚାଟଶାଳୀରୁ ଆସିଲା ପରି ତା

ବାରି ବୁଡ଼ିବା ଚିହ୍ନ ନିବାରି ।୫।

 

ବହୁ ଆନନ୍ଦିତ ହୋଇ ଉପବୀତ ଦେଲେ ମିଶ୍ର ଜଗନ୍ନାଥ ,

ବଲ୍ଲଭାଚାର୍ଯ୍ୟଙ୍କ କନ୍ୟା ରୂପବତୀ ଲକ୍ଷ୍ମୀ ଦେବୀଙ୍କ ସହିତ , ସେ ବିଭା,

ବିଧି ସଂଦର୍ଭରେ କଲେ ନିର୍ଭା,ଶୋଭା ନ ହେବ ରୂପକୁ ରମ୍ଭା ସେ  ।୬।

 

ବିଦ୍ୟା ବିବାଦରେ ରଦ୍ଦ କରୁଥିଲେ ବୁଧବୃନ୍ଦଙ୍କୁ ବାଦରେ

ରଚନା କରୁଛି ଦିନକ ଘଟଣା ଆଦରେ ଘେନ ହୃଦରେ, ହେ ସନ୍ଥ

ଯାହା ପାଇଛି ଗ୍ରନ୍ଥରୁ ଗୁନ୍ଥ, ହେବ ସ୍ଵର୍ଗପଥକୁ ଏ ରଥ ହେ  ।୭।

 

କେଶବ କାଶ୍ମୀରୀ ବୋଲି ଥିଲେ ଜଣେ ଦିଗ୍ ବିଜୟୀ ପଣ୍ଡିତ,

ଗୋଟି ଗୋଟି କାଟି ପକାଇଲଲେ ରଟିଲେ ଯେତେ ବୃତ୍ତାନ୍ତ , ଯେ ସ୍ମରି

ସରସ୍ଵତୀଙ୍କୁ କଲେ ଗୁହାରି ତାଙ୍କ ପାଦ ପଦ୍ମରେ ଜୁହାରି ସେ ।୮।

 

ମାଧବେନ୍ଦ୍ର ପୁରୀ ଯାହାପାଇଁ କଲେ ଅନୁରୋଧ ଗୋପୀନାଥ

ତାହାଙ୍କର ଶିଷ୍ୟ ଶ୍ରୀ ଈଶ୍ଵରପୁରୀ ତାଙ୍କଠାରୁ ଶଟୀସୁତ, ସେ ମନ୍ତ୍ର

ନେଲେ ଯାଇ ଗୟାକ୍ଷେତ୍ର ,ତେବେ ଲକ୍ଷ୍ମୀପ୍ରିୟା ହେଲେ ମୃତ  ।୯

 

ଶ୍ରୀଳ ସନାତନ ମିଶ୍ରଙ୍କର କନ୍ୟା ବିଷ୍ଣୁପ୍ରିୟାଙ୍କ ସହିତ ,

ବିବାହ ନିର୍ବାହ ହେଲା ସମାରୋହ ସାକ୍ଷାତ ଲକ୍ଷ୍ମୀ ସହିତ ,ଏ ଗୀତ ,

ଦୀନ ଗୋକୁଳାନନ୍ଦ ରଚିତ ,ପଦ ପଦକେ ଏହା ଅମୃତ  ।୧୦।

 

ଭାଗ-୧୨

 

ଗଙ୍ଗାରୁ ଆସିଣ ଚଇତନ ,

ବାୟାପରି ହେଲେ ରାତ୍ରିଦିନ  ।୧।

ଭୟାତୁର ଜନକ ଜନନୀ,

କାୟା କଲେ ଦିନୁ ଦିନ କ୍ଷୀଣ  ।୨।

ଅନେକ ଔଷଧ ତାତ କଲେ,

ଭଲ ହୋଇବାକୁ ବ୍ୟାଧି ଭଲେ  ।୩।

ଭଲ ନୋହି ତାହା ହେଲା ବୃଦ୍ଧି,

ଦେଖି ମିଶଙ୍କ ହଜିଲା ବୁଦ୍ଧି ।୪।

ଶ୍ରୀବାସ ପଣ୍ଡିତ ଶୁଣି କର୍ଣ୍ଣେ ,

ମିଶ୍ରଙ୍କ ଘରକୁ ଆସି ଦିନେ  ।୫।

ଶଚୀଙ୍କୁ କହିଲେ କୃଷ୍ଣଚିହ୍ନ,

ରୋଗ ନୁହେଁ ଏହା ଭାବ ମନ ।୬।

ଏଥୁ ଅନନ୍ତରେ ଭକ୍ତମେଳେ,

କାଳ କଟାଇଲେ ଗଙ୍ଗାକୂଳେ ।୭।

ଶ୍ରୀ ଅଦୈତାଚାର୍ଯ୍ୟ ଭକ୍ତ ବର,

ମହାବିଷ୍ଣୁଙ୍କର ଅବତାର   ।୮।

ପିତାନାମ ପଣ୍ଡିତ କୁବେର,

ନାଭାଦେବୀ ନାମ ମାତାଙ୍କର  ।୯।

ଦୀର୍ଘ ଉଣେଇଶ ବର୍ଷକାଳ,

ତପ କଲେ ପିଇ ଗଙ୍ଗାଜଳ  ।୧୦।

ହରିଦାସ ବ୍ରହ୍ମାଅଂଶେ ଜାତ ,

ପଠାଣ ଅଟଇ ତାଙ୍କ ତାତ  ।୧୧।

ତିନି ଲକ୍ଷ ଜପି ପ୍ରତିଦିନ,

ତେବେ ଯାଇ ଖାଉ ଥିଲେ ଅନ୍ନ  ।୧୨।

ପୂର୍ବ ଜନ୍ମେ ଶ୍ରୀ ବାସ ପଣ୍ଡିତ,

ନାରଦ ଥିଲେ ବିଚାର ଚିତ୍ତ ।୧୩।

ନିତ୍ୟାନନ୍ଦ ପୂର୍ବେ ବଳରାମ

ହାଡ଼ାଇ ପଣ୍ଡିତ ପିତାନାମ ।୧୪।

ନିତି ସଂକୀର୍ତ୍ତନ ଚଇତନ ,

କରୁଥାନ୍ତ ମିଳି ଭକ୍ତଗଣ   ।୧୫।

ଭଜୁଥାନ୍ତି ହରେ କୃଷ୍ଣ ରାମ,

ଲୋକ ସଙ୍ଗେ ମିଶି ସବୁଜନ  ।୧୬।

ଜଗାଇ ମାଧାଇ ତତ୍ତ୍ଵ ଜ୍ଞାନ,

ପାଇ ଆପଣାଙ୍କୁ କଲେ ଧନ୍ୟ ।୧୭।

ଚମାର ଗୋପାଳ ବଶ ହେଲା ,

କାଜି ରାଜି ହୋଇ ନାମ ନେଲା ।୧୮।

ଦୋଷ ଦେଲେ କେବଳ ବ୍ରାହ୍ମଣ ,

ନ ବୁଝିଲେ ଚୈତନ୍ୟଙ୍କ ଗୁଣ  ।୧୯।

କହିଲେ ଆମ୍ଭର କୁଳେ ଜନ୍ମ ,

ପ୍ରତିକଥା ତାଙ୍କ ହେଲା ଖୁଣ  ।୨୦।

ଶଚୀ ଦେବୀ ଦେଖି ସ୍ଵପନରେ ,

କହିଲେ ,ଚୈତନ୍ୟଙ୍କ ଆଗରେ ।୨୧।

ଆନ ଗୀତେ ପ୍ରକାଶି ପଣ୍ଡିତେ ,

ଦୋଷ ଥିଲେ କ୍ଷମ ତୋଷ ଚିତ୍ତେ ।୨୨।

ଅଧିକ ମାଗୁଣି ନାହିଁ ମୋର,

ଜାନକୀବଲ୍ଲଭ ଦୟା କର  ।୨୩।

ପିତାମାତା ପୁତ୍ର ନାମ ମୋର,

ଜଣାଉଛି ଦାସ ଦୟା କର  ।୨୪।

ଆର୍ତ୍ତଜନ ଦୁଃଖ ଶୁଣାଯିବ,

ଗୋକୁଳାନନ୍ଦକୁ ଦୟାଥିବ   ।୨୫।

ମୃତ୍ୟୁ ସମୟରେ ଚେତାଥିବ

ଜିହ୍ଵା ରାମ ନାମ ରଟୁଥବ   ।୨୬।

 

ଭାଗ-୧୩

 

କାଲି ରଜନୀରେ ବାପ ଦେଖିଲି ସ୍ଵପନ

ଘର ଛାଡ଼ି ଯାଉଅଛୁ ମୋର ଗଣ୍ଠିଧନ

ଛାତି ଦମ ଦମ , ଛାତି ଦମ ଦମ,

ତାତି ପୂରା ବହିଯାଏ ଘର୍ମ  ।୧।

 

ସେତିକି ବେଳରୁ ବାପ ନ ମାଡ଼ଇ ନିଦ,

ସତେ ଦଇବ ଘଟାଇ ଦେଲା ପରମାଦ ,

କାତି ଭୂଷି ଦେବ, କାତି ଭୂଷି ଦେବ ,

କତିରୁ ମଣି ଛଡ଼ାଇ ନେବ  ।୨।

 

ପତି ପତ୍ନୀ ଦୁଇ ଜଣ ପାଇବୁଟି ଦୁଃଖ ,

ବର୍ତ୍ତିବୁଁ ସତେ ନ ଦେଖି ତୋ ଚନ୍ଦ୍ରମୁଖ

ବତୀ ଲିଭିଯିବ, ବତୀ ଲିଭିଯିବ ,

ଗତି ତୋ ବ୍ୟତୀତ କିଏ ହେବ  ।୩।

 

ନଯା’ ନଯା’ ମଜ୍ଜାରେ ତୁ ମୋର କଥା ବୁଝ

ରଜା ପରି ବସି ଘରେ ଗଜା ଲଡ଼ୁ ଭୁଞ୍ଜ

ମଜା ବାହାରିବ , ମଜା ବାହାରିବ ,

ବଜାରେ ବୁଲିଣ ଦିନ ଯିବ  ।୪।

 

ବାଟ ଚାଲୁଥଲେ ଧନ ବଥାଇବ ପାଦ ,

ପେଟ ତାତିଯିବ ବାବୁ ହେବୁ କାନ୍ଦ କାନ୍ଦ

ପଟ ପିନ୍ଧୁଥିବୁ , ପଟ ପିନ୍ଧୁଥିବୁ ,

ପଟ୍ଟବସ୍ତ୍ର ଆଉ ନ ପାଇବୁ  ।୫।

ଖରା ବରଷାରେ ବାବୁ ହେବୁ ହଇରାଣ ,

ଖାରା କଥା କରୁଅଛି ଭଲ କରି ଜାଣ

ନ ସରିବ ଦିନ, ନ ସରିବ ଦିନ,

ଭାଷଇ ଗୋକୁଳାନନ୍ଦ ଦୀନ  ।୬।

 

ଭାଗ-୧୪

 

ସତେ ଛାଡ଼ି ଯିବୁ ରେ ମୋର ନିମାଇଁ ଚାନ୍ଦ,

କେତେ କଷ୍ଟେ ବାପ ତୋତେ ପାଇଥିଲି ,

ଏତେବେଳେ ବିହି ପାତିଲା ଫାନ୍ଦ ।(ଘୋଷା)

ରାତିରେ ଦେଖିଲି ସ୍ଵପନ ,ମତି ହେଉଛି ଛନ ଛନ ,

ଛାତିରେ ସତେ କି କାତି ଭୂଷି ଦେଲା

ସେତିକି ବେଳରୁ ଥରୁଛି ହୃଦ  ।୧।

ପେଟରୁ ତ ଉଠୁଛି କୋହ, ଛଟପଟ ହେଉଛି ଦେହ ,

କଷ୍ଟ କଥା ଏକା ମୋ ମନ ଜାଣଇ

ଯୋଗ କଲା କିଏ ନିଆଁ ବାରୁଦ  ।୨।

ଅନ୍ଧର ଲଉଡ଼ି ମୋହର, ଅନ୍ଧାର ତ ଦିଶୁଛି ଘର

ବନ୍ଧ ବନ୍ଧାଇଲେ ଆଉ କି ରହିବ,

ବୋହିଗଲା ପାଣି ହୃଦରେ ଜଦ ।୩।

ପୁଅ ତୋର ନ ହେଲେ କିଛି, ଦିଅଁ ଦେବତାଙ୍କୁ ଯାଚିଛି,

ଘିଅଦୀପ ଜାଳି ଭୋଗ ରାଗ ଦେବି ।

କହଇ କରଣ ଗୋକୁଳନନ୍ଦ ।୪।

 

୧. ଜଦ(ଫା)=ପ୍ରବଳ, ପ୍ରଚୁର ।

 

ଭାଗ-୧୫

 

ଦରଦରେ ଚିନ୍ତ ହେ ଧୀମନ୍ତ ନରେ,

ଗାରଦକୁ ଯମ ନେଇ ନ ପାରିବ, ବାରୁଦକୁ ନିଆଁ ପରି ପାପରେ ।(ଘୋଷା)

ଘର ଛାଡ଼ି ଛବିଶ ବର୍ଷେ , ଗୌରହରି ଗଲେ ବିଦେଶେ ,

ସରସ ସନ୍ନ୍ୟାସ ବେଶ ହେବାପାଇଁ

ପ୍ରବେଶ ହୋଇଲେ କାଟୁଆ ଠାରେ  ।୧।

କେଶବ ଭାରତୀଙ୍କ ପାଶ, ବେଶ କଥା କଲେ ପ୍ରକାଶ

ଲେଶ ମାତ୍ର ସେହି ରାଜି ହେଲେ ନାହିଁ ,

କହି କ୍ଳେଶ ପାଇବ ବିଶେଷରେ  ।୨।

ଉପାମା ଜୁଟାଇ ବହୁତ, ଉପଦେଶ ଦେଲେ ତୁରିତ

ଉପକାର ତହିଁ କିଛି ହେଲା ନାହିଁ

ତପସ୍ଵୀ ପରାସ୍ତ ହେଲେ ତର୍କରେ  ।୩।

କେଶବ ଭାରତୀ ବହନ, କେଶ କରାଇଲେ ମୁଣ୍ଡନ,

ସନ୍ନ୍ୟାସ ମନ୍ତ୍ରକୁ କହି ତାଙ୍କ କର୍ଣ୍ଣେ

ଦଣ୍ଡ କମଣ୍ଡଳୁ ଦେଲେ ହାତରେ  ।୪।

ଖବର ପାଇଁ ଶଚୀନାରୀ, ଶବର ଘରେ ମୃଗପରି

ନବର ଭିତରେ କ୍ରନ୍ଦନ କରନ୍ତି ,

କହଇ ଗୋକୁଳାନନ୍ଦ ଗୀତରେ  ।୫।

 

ଭାଗ-୧୬

 

କେଣେ ଛାଡ଼ିଗଲୁ ରେ ଚଇତନ ମୋର ରଙ୍କ ରତନ ,ମୋ ଜୀବଜୀବନ  ।(ଘୋଷା)

ତେର ମାସେ ଗର୍ଭେ ଧଇଲି, କେତେ କଷ୍ଟ ମୁହିଁ ପାଇଲି,

ଏ ବୟସେ ଏହା କରିବୁ ବୋଲି ,ତ ତିଳେହେଲେ ଭାବି ନ ଥିଲା ମନ  ।୧।

ଦାଣ୍ଡରେ ଖେଳି ବୁଲି ଆସୁ ,ମାଆ ବୋଲି ତୁଣ୍ଡରେ ଭାଷୁ,

ଖଣ୍ଡ ପରି ମୋତେ ଶୁଣିଲେ ଲାଗଇ, ପିଣ୍ଡ ରଖି ମୋର ନେଲୁ ଜୀବନ  ।୨।

ପାପ ମୋର ଥିଲା ପୂର୍ବରୁ, ଶାପ ପାଇଥିଲି କା’ଠାରୁ ,

ଲୋପ କରି ସବୁ ଆଶା ଗଲୁ ବାପ ଏକୋଇର ବଳା ବିଶିକେଶନ  ।୩।

ଦିବାରାତି ଘର ଗହଳି ,ପୂରି ଉଠୁଥିଲା ଉଚ୍ଛୁଳି ,

ଛାଡ଼ିଗଲା ଦିନୁ କେହି ନ ମାଡ଼ିଲେ ଘର ଦୁଆରକୁ ନଦିଆ ଜନ  ।୪।

ଗୀତେ କହେ ଗୋକୁଳାନନ୍ଦ ,କପାଳ ତ ମୋହର ମନ୍ଦ

ମରଣ କାଳକୁ ଭରସା ହେବାକୁ, ନ ରହିଲୁ ମୋର ପାଶେ ନନ୍ଦନ  ।୫।

 

ଭାଗ-୧୭

 

ଶଚୀ ଠାକୁରାଣୀ ହୋଇ ବାଇଆଣୀ ଖୋଜନ୍ତି ବୁଲି ନଗରେ ,

କିଏ ଲୁଚାଇଛି ଧନମାଳୀକୁ ମୋ କହିଦିଅ ହେ ବେଗରେ ।

ଦୁଃଖୀଧନ ମୋର ଅନ୍ଧ ଲଉଡ଼ି ,ପିଣ୍ଡରୁ ପରାଣ ଯାଉଛି ଛାଡ଼ି  ।୧।

ସୁନା ପଞ୍ଜୁରୀଟି ଭଙ୍ଗି ଚାଲିଗଲା, ହଳଦୀବସନ୍ତ ପକ୍ଷୀଟି ,

କେଉଁଆଡ଼ି ଗଲା, କେଉଁଠି ରହିଲା କିଏ ହେବ ତାର ସାକ୍ଷୀଟି ।

ମାଆ ମାଉସୀଏ ଦେବ ଗୋ କହି, ସୁନା ହାତୀ ମୋର ରହିଲା କାହିଁ ? ।୨।

ଖେଳି ବୁଲିସାରି , କାଳିଆସୁନା ମୋ , ଫେରି ଆସୁଥିଲା ଘରେ ,

କଳି କଲେ ତୁମ ପିଲାଙ୍କ ସଙ୍ଗରେ , ମୋର ତୁଲେ ଅଳି କରେ ।

ଚଳି ହୋଇ କଥା ମୁଁ କହେ କେତେ ,ବଳି ହୋଇ କଥା ନ କହେ ମୋତେ ।୩।

ନକଲ ନ କର ସକଳ ନାଗରୀ, ବିକଳେ ମୁଁ ପଚାରୁଛି ।

ଏ କାଳରେ ମୋତେ ଏକା କରିଗଲା ଅକଲ ହଜି ଯାଉଛି ।

କି କଲା ଦଇବ ମୋର ଏ କାଳେ , ଧୂଳି ପକାଇଲା ଖାଇବା ବେଳେ  ।୪।

ବଡ଼ ହେଲେ ପୁଅ ପୋଷିବ ବୋଲି ମୁଁ ବଡ଼ ଆଶା କରିଥିଲି,

ବାଡ଼ ରହିଅଛି ନିବାଡ଼ ହୋଇଣ , ବେଉଷା ଯାଇଛି ଚାଲି,

ସତ କହ ପକାଉଛି ମୋ ରାଣ, କାହିଁ ଲୁଚାଇଛ ଗଣ୍ଠି-ରତନ  ।୫।

ମରଣ କାଳରେ କରଣ କରନ୍ତା ,ନିଆଁ ଦେଇଥାନ୍ତା ମୁଖେ ।

ଶରଣ ତ କେହି ତାହା ବିନେ ନାହିଁ, କେମନ୍ତେ ବଞ୍ଚିବି ଦୁଃଖେ ।

କରଣ ଗୋକୁଳାନନ୍ଦ ବିନତି, ବାରଣ- ତାରଣ ଚରଣ ଚିନ୍ତି  ।୬।

 

୧. କରଣ-ଭୃତ୍ୟ ।

ଧରମର ଫଳ ଚରିତ ପ୍ରକାଶ

(ଆନୁପ୍ରାସିକ ଗୀତିକା)

‘ଧ’ (ଆଦ୍ୟନିୟମ)

 

ଧର୍ମଶୀଳ ଜନ ଦେଇ ମନକର୍ଣ୍ଣ

ଶୁଣ ଏ ଆଖ୍ୟାନ ଚିତ୍ତ କରି ଶୁଦ୍ଧ

ଧମକ ନ ଦେବ ଅନ୍ତେ ଶ୍ରାଦ୍ଧଦେବ

ଦେବକୀନନ୍ଦନ ହେବେ ଭାବେ ବୋଧ  ।୧।

ଧରମର ଫଳ ଚରିତ ପ୍ରକାଶ ,

ଅନୁପ୍ରାସ ରସ ସରସ ସୁସିଦ୍ଧ

ଧନୁରେ ଶାୟକ ପରି ଏ ଗାୟକ-

ଦମ୍ଭଶମ୍ବରକୁ କରି ଦେବ ବଧ ।୨।

ଧନଞ୍ଜୟ ତୁଲ୍ୟ ପ୍ରଚଳ ଉଜ୍ଜ୍ୱଳ

ଦହନ କରିବ ଦୁରିତ ସମିଧ

ଧଣ୍ଡପରି ଦଣ୍ଡଧର ଭଣ୍ଡ ହେବ

ପଣ୍ଡ ହେବ ଦଣ୍ଡକରେ ତାର କ୍ରୋଧ  ।୩।

ଧରାରେ ଧବଳ ପୁର ବିଦ୍ୟମାନ

ମାନ ମାନ ସେ ତା ଉନ୍ନତ ସଉଧ

ଧର- ସାର୍ବଭୌମ ହିମାଳୟ ନାମ,

ସୀମାନ୍ତେ ବିଶ୍ରାମ ଆଶ୍ରମ ବିବୁଧ ।୪।

ଧନ୍ୟ ହୋଇଅଛି ଅନେକପ ନାମ

ପୁର ବକ୍ର ଯେଣୁ କଲେ ହଳାୟୁଧ

ଧଂସାଇ ପଶିଲା ପାରାବାରେ ଲଙ୍କା,

ତେବେ ହନୁମାନେ ହୋଇଛି ଦଗଧ ।୫।

ଧକା ପକା ଶଙ୍କା ଚକ୍ରପାଦେ ଏକା

ରଣେ ଗତି ବଙ୍କା ସୂର୍ଯ୍ୟଙ୍କ ଦ୍ଵିବିଧ

ଧରଣୀ ରାଣୀର ତାଟଙ୍କ ପଟଳ

ଛଟକ କଟକ ଧରିବାର ବୋଧେ  ।୬।

ଧନେଶ୍ଵର ନାମେ ତହିଁ ନରେଶ୍ଵର

ବିତ୍ତରେ କୁବେର ସଙ୍ଗେ ହେବ ଯୁଦ୍ଧ

ଧମକ ଚମକ ଦିଏ ଯେଉଁଲୋକ

ଯାଚଞ୍ଜା କରିବା ପାଇଁ ତା ସନ୍ନିଧ  ।୭।

ଧର୍ମକର୍ମରେ ସେ ଶର୍ମ ନ ଜାଣଇ

ପ୍ରକୃତି ପୁଞ୍ଜା କରିବା ପାଇଁ ତା ସନ୍ନିଧ ।୭।

ଧର୍ମକର୍ମରେ ସେ ଶର୍ମ ନ ଜାଣଇ

ପ୍ରକୃତି ପୁଞ୍ଜଙ୍କୁ କରିଛି ନିଷେଧ

ଧଡ଼ାରେ ଚଢ଼ାଉ କରି ତଡ଼ାଇବ ,

ଲୋଡ଼ାକଲେ ଆଶ୍ରା ବାଳକ ବା ବୃଦ୍ଧ ।୮।

ଧରଣ ଏପରି କରି ନରନାରୀ

ପରିଛନ୍ତି ପୁରୀ ଚିତ୍ତ ନୁହେଁ ଶ୍ରଦ୍ଧ

ଧ’ ଅନୁପ୍ରାସରେ କରଣ ଗୋକୁଳା-

ନନ୍ଦ ପଦବୃନ୍ଦ ଯୋଡ଼ିଛି ହେ ବୁଧ  ।୯।

 

୧.ଅନେକପ –ହସ୍ତୀନାପୁର ,୨. ହଳାୟୁଧ –ବଳରାମ ।

 

‘ର’ ୨

 

ରସି ସୁରସିକ ନର ,

ରସ ଶ୍ରୁତିପଥେ ଶ୍ରବଣ କର । ଘୋଷା

ରମାପତି କତି ନାରଦ ବଦତି ,

କି କରୁଅଛ ଠାକୁର ।

ରହିଛି ମର୍ତ୍ତ୍ୟ ଧାମରେ ଏକ ଗ୍ରାମ,

ନାମ କେବଳ ତା ଧବଳପୁର  ।୧।

ରଖନ୍ତି ନାହିଁ ସେ ଅତିଥିଙ୍କୁ ଘରେ ,

ଦୂରୁଦୂରୁ ମାର ମାର

ରଖିଛନ୍ତି ବିତ୍ତ ଅପରିମିତ ସେ

କାହାକୁ ନ ଦିଅନ୍ତି ଟେକି କର ।୨।

ରମଣୀ ପୁରୁଷ ବୃଦ୍ଧ ବୃଦ୍ଧା ସୁଦ୍ଧା

ଦାନକୁ ପାପ ବିଚାର

ରବିତଳେ କିଏ ଏପରି ଭାବିବ

ରସାକୁ ଏ ଭାଷା ଖାସା ଅସାର  ।୩।

ରଭସ ସେ ଦେଶ ନାମେ ହୃଷୀକେଶ

ଏ ଭାବକୁ କର ଦୂର ।

ରଜନୀଚର ପରିପନ୍ଥୀ ବିଷ୍ଟର-

ଶ୍ରବା କପଟରେ ହେଲେ ଭୂସୁର  ।୪।

ରଦନ ଗୋଟିଏ ନାହିଁ ଅପଘନ

ଜୀର୍ଣ୍ଣ ଶୀର୍ଣ୍ଣ ଚିରା ଚୀର

ରହି ମଠ ଗତି ବୃଦ୍ଧ ହେତୁ ନାସ୍ତି

ତରତର ଥରଥର  ।୫।

ରହସ୍ୟ କରନ୍ତି ତାଙ୍କୁ ଯେ ଦେଖନ୍ତି

ସେ ଦେଶର ନାରୀନର

ର’ ଅନୁପ୍ରାସରେ କରଣ ଗୋକୁଳା-

ନନ୍ଦ କରିଛି ପ୍ରଚାର  ।୬।

 

‘ମ’ ୩

 

ମହାଜନେ ମନେ ଘେନିମ ହେ ମନୋରମ

ମରଣାନ୍ତେ ମୁକ୍ତ ହେବ ଦଣ୍ଡ ନାହିଁ ଯମ । (ଘୋଷା)

ମହୀସୁର ରୂପ ଧରି ମଧୁସୂଦନ ମୁରାରି

ବୁଲନ୍ତି ଧବଳପୁର ଗ୍ରାମ

ମନ୍ଦଗତି କରି ମୁଖେ କହନ୍ତି ରାମ

ମଗାମଗି କରୁଛନ୍ତି ଦେଖାଇ ନାନା ଛଦୁମ  ।୧।

ମଧୁର ପକାଇଥିବ, ମନ୍ଦାଏ କେ ଜଳ ଦେବ

ମଧ୍ୟାହ୍ନରେ କରନ୍ତି ବିଶ୍ରାମ

ମଲେଣି ଖରାରେ ହୁଏ ବଡ଼ଗରମ

ମଥାପାଦ ତାତି ଖାଲି ବହି ଯାଉଅଛି ଘର୍ମ  ।୨।

ମହିଳା ମଧ୍ୟେ କେ କହି ମଇଳା ରୂପକୁ ଚାହିଁ

ମାଗୁଛ ନ କରି କିଆଁ ଶ୍ରମ

ମରଦଙ୍କ ମଧ୍ୟେ ତୁ ତ ବଡ଼ ଅଧମ,

ମଜା ପାଇଛୁ ଭିକର ଭିଡ଼ ପଡ଼େ ପରିଶ୍ରମ  ।୩

ମରିବାକୁ ବାଟ ଚାହିଁ ମନୁଷ୍ୟ ଯେ ଅଛି ରହି

ମହାରାଗେ ହେଲେ ତମ ତମ

ମହାରାଜାଙ୍କର ହୋଇଅଛି ହୁକୁମ ,

ମନ୍ଦିରେ ଆଶ୍ରୟ ଦେଇଦେଲେ ହୁଅଇ ଅଧର୍ମ  ।୪।

ମହାପ୍ରଭୁ ତତକାଳେ ମହୀଶ ଆଗେ କହିଲେ

ମତେ ଆଶ୍ରା ଦିଅ ତୁମ ଧାମ

ମହତ ପୁରୁଷ ତୁମ୍ଭେ ଅଟ ଉତ୍ତମ

ମର୍ତ୍ତ୍ୟେ ସୁକୃତ ଅର୍ଜିବ ପୂର୍ଣ୍ଣ ହେବ ମନସ୍କାମ  ।୫।

ମମତା ନ ରଖି ତିଳେ ମଞ୍ଜୁର ରାଜା ନ କଲେ

ମହଲେ ନ ଚଳିବ ବିରାମ

ମଜୁରି ଭିନ୍ନେ ନ ଦେଉଁ ଏକ ଛଦାମ

ମ’ ଅନୁପ୍ରାସେ ଗୋକୁଳାନନ୍ଦ କଲା ପରିଶ୍ରମ  ।୬।

 

‘ର’ ୪

 

ରଥାଙ୍ଗ-ଧାରଣ ମନେ କଲେ ବିଚାର

ରହିଥିବ ଏଥି କେହି ଧାର୍ମିକ ନର । ପଦ

ରାଜା ପାଶୁ ଗଲେ ଡରେ ପ୍ରବେଶ ଗ୍ରାମ ପ୍ରାନ୍ତରେ

ସେଠାରେ ଦେଖିଲେ ଏକ ଭଗ୍ନ କୁଟୀର ।

ରମଣୀଏ ଅଛି ତହିଁ ବିଧବା ଅଟଇ ସେହି

ଚତୁର୍ଦ୍ଦଶ ବୟସର ଏକ କୁମର  ।୧।

ରଖିଲା ତାଙ୍କୁ ପାଖରେ ଚରଚା ବୁଝିଲା ଖରେ

ନୃପତି କତିରେ ଏହା କହିଲେ ଚାର

ରକ୍ତବର୍ଣ୍ଣ କରି ନେତ୍ର ଧରି ନେଇ ମାତା ପୁତ୍ର

ତର୍ଜନ ଗର୍ଜନ କଲା ସେ ନୃପବର  ।୨।

ରଖାଇ ତୁ ଜଣେ ଲୋକ ରାଜ୍ୟକୁ ହେଲୁ କଣ୍ଟକ

ଅଧର୍ମ ଅର୍ଜିଲୁ କିଆଁ ଆରେ ପାମର ।

ରବିସୁତ ପୁରେ ଜୀବ ନିଶ୍ଚୟ ତୋହର ଯିବ

ଅଧାର୍ମିକ ଲୋକ ହେବ ମୋ ଦେଶୁଁ ଦୂର  ।୩।

ରଗଡ଼ ଦେଖି ଭୂପର କହେ ବ୍ରାହ୍ମଣୀ ଉତ୍ତର

ଅତିଥି ରଖିବା ଧର୍ମଶାସ୍ତ୍ରର ଗିର

ରତ ତୁମ୍ଭେ ବିପରୀତ କଥାରେ ପୃଥିବୀନାଥ

ତେଣୁ ରାଜ୍ୟେ ତାହା କରି ଅଛ ପ୍ରଚାର   ।୪।

ରଫା କଲେ ମହୀପାଳ ଦେଲି ଦୁଇମାସ କାଳ

ଦେଲେ ପୁଣ୍ୟ ହୁଏ ଦେବୁ ପ୍ରମାଣ ୟାର ,

ରକ୍ଷକ କେ ହେବ ନାହିଁ ନିଶ୍ଚୟ ଜାଣିଥା ତୁହି

ଯହିଁ ଥିଲେ ଧରିଆଣି ଛେଦିବି ଶିର  ।୫।

ରମାଧବ ଗଲାବେଳେ ବ୍ରାହ୍ମଣୀକି କହିଥିଲେ

ବିପଦବେଳେ ସହାୟ ହେବି ମୁଁ ତୋର

ରଙ୍ଗାଚରଣଟି ମୁହିଁ ନିଶ୍ଚୟ ଜାଣିଥା ତୁହି

ଖୋଜିଲାବେଳେ ସାକ୍ଷାତ ପାଇବୁ ମୋର  ।୬

ରଟିଲା ବିପ୍ରତନୟ ପ୍ରମାଣ ଦେବ ନିଶ୍ଚୟ

କହି ବାହାରିଲା ବନ୍ଦି ମାତା ପୟର

ରତିଏ ମତିରେ ଭୀତି ନ କରି ସେ କଲା ଗତି

ଅସ୍ତ ହେଲେ ଛାୟାପତି ହେଲା ଅନ୍ଧାର  ।୭।

ରଜନୀରେ ସେ ନନ୍ଦନ ଏକ ବ୍ରାହ୍ମଣୀ ସଦନ

ରହିଲା କହିଲା ତାକୁ ସବୁ ଖବର ।

ରଚକ ଗୋକୁଳାନନ୍ଦ ପଟ୍ଟନାୟକ ପଦାଦ୍ୟ-

ପ୍ରାନ୍ତେ ଅନୁପ୍ରାସ କରି ରଖି ଅକ୍ଷର  ।୮।

୧. ରବିସୁତ ପୁର – ଯମପୁର ।

 

‘ଫ’ ୫

 

ଫନ୍ଦା କରିଛୁ ରେ (ବାପ) ଛନ୍ଦାଚରଣକୁ ସାଫ,

ଫକରି ପରି ତୁ ବୁଲୁଅଛୁ ରାଜଦଣ୍ଡୁ ପାଇବାକୁ ମାଫ । (ଘୋଷା)

ଫଏସଲା ତୋର ଗୁହାରି କରିବେ ହରି ଧରିବେ ତରଫ

ଫରମାସ ଦେଲି କହିବୁ ମୋ ପାଇଁ ହେଲେ ସେ ପଦେ ଦ୍ଵିରେଫ ।୧।

ଫଟା କପାଳକୁ ପ୍ରତିଦିନ ସେରେ ଅଧିକ ନୁହେଁ ମୁନଫ ।

ଫସଲ ମୋ ନାହିଁ ଭିକ୍ଷା ମୋ ଜୀବିକା ହେଲାବେଳେ ଜ୍ଵରକଫ ।୨।

ଫଳିଥିଲେ ସିନା ଭାଗ୍ୟକୁ ବହୁତ ଖାଆନ୍ତି ଏ ମୋର ଗଫ ।

ଫଣୀ ଅରି ପତି ଚିନ୍ତି କହେ ଗୋକୁଳାନନ୍ଦ ଅନୁପ୍ରାସ ଫ ।୩।

 

୧.ଦ୍ଵିରେଫ-ଭ୍ରମର ,୨-ମୁନଫ- ଲାଭ,ଅଧିକ, ୩. ଫଣୀ-ଅରି –ଗରୁଡ଼ ।

 

‘ଲ’ ୬

 

ଲୟ କରି ଦ୍ଵିଜସୁତ ହରିଚରଣ-କମଳ,

ଲଳନା ପାଶ ବିଦାୟ ହେଲା ପାଇବାକୁ ଫଳ । ଘୋଷା

ଲକ୍ଷ୍ୟ କେଉଁଠାକୁ ନାହିଁ ଯାଉଛି ମାତ୍ର କେବଳ

ଲଭିଲେ କାର୍ଯ୍ୟରେ ସିଦ୍ଧି ହେବ ହୃଦୟର ବଳ ।୧।

ଲକ୍ଷପତି ବ୍ୟକ୍ତି ଜଣେ ଭେଟି ବୁଝିଲା ସକଳ

ଲକ୍ଷ୍ମୀକାନ୍ତଙ୍କୁ ଦେଖିଲେ କହିବ କଥା ବିକଳ ।୨।

ଲଭିବାପାଇଁ ନନ୍ଦନ କରୁଛି ମୁଁ କାର୍ଯ୍ୟ ଭଲ

ଲବ୍ଧ ହେଉନାହିଁ କିମ୍ପା ଲେଖା ନାହିଁ କି ମ୍ବେ ଭାଲ ।୩

ଲଗ୍ନ ଅବା ପୂର୍ବଦୋଷୁ ନ ରହିବ ମୋର କୁଳ

ଲଘୁ ହେଉନାହିଁ କଷ୍ଟ ମୋ ପ୍ରତି ଏ ଅମଙ୍ଗଳ  ।୪।

ଲହରୀରେ ଭାସୁଅଛି ମିଳୁନାହିଁ ମୋତେ ସ୍ଥଳ

‘ଲ’ ଅ ନୁପ୍ରାସେ ଏ ଗୀତ ଗୋକୁଳାନନ୍ଦର ଭାଳ  ।୫।

 

‘ଚ’ ୭

 

ଚତୁର ଜନେ ଚିତ୍ତରେ ପାଞ୍ଚ । ଚରିତ ଯାହା କରୁଛି ଖରଚ ହେ । (ଘୋଷା)

ଚଳିଗଲା ତମ ଗହ୍ୱର- ମଧ୍ୟକୁ  ସବିତାଙ୍କୁ ଦେଖି ଲଭି ସଙ୍କୋଚ

ଚଳାଚଳ ହେଲେ ନାହିଁ ରାତ୍ରିଚର  ପ୍ରାଣୀମାନେ ସେ ତ ବଡ଼ ପ୍ରପଞ୍ଚ  ।୧।

 

ଚଞ୍ଚଳ ବିପ୍ର- ନନ୍ଦନ ବାହାରିଲେ   ବଦନ-କମଳ ଅତି ବିକଚ

ଚତୁରକରଙ୍କ ଠାରେ ଲୟ ଯାର  ତା ମନ ସ୍ଵଚ୍ଛତାରେ ଜିଣେ କାଚ ।୨।

ଚରଚା ବୁଝିଲେ ଆଉ ଜଣେ ନୃପ  ଏହାଙ୍କର ମୂର୍ତ୍ତି ଦେଖି ସୁସଞ୍ଚ

ଚରିତ ତାଙ୍କଠୁ ତ୍ଵରିତ ଶୁଣିଲେ  ବୋଇଲେ କିଆଁ ସାହସ କରିଚ ।୩।

 

ଚନ୍ଦ୍ରଚୂଡ଼ ଚତୁରାନନ ଯାହାଙ୍କ  ଦେଖା ନ ପାନ୍ତି ସେ ଅତ୍ୟନ୍ତ ଉଚ୍ଚ

ଚରଣରେ ବ୍ୟଥା ମାତ୍ରକ ପାଇବ  ଫେରିଯାଅ ବାସେ ମାନ ମୋ ବଚ ।୪।

ଚକ୍ରଧରଙ୍କୁ ଦେଖିଲେ ମୋହ କଥା  କହିବ ନ ମାନି ଯଦି ଯାଉଛ

ଚଉରସ କରି ଖୋଳିଲେ ସରସୀ ତା ନୀର କି ନୀଳ ହୋଇବ ନୀଚ  ।୫।

 

ଚରିବା ଜନ୍ତୁଏ ତା ଜଳ ନ ପାନ୍ତି  କାହିଁକି ହେ ଲା ସେ ଏଡ଼େ ଅରୁଚ ।

ଚଞ୍ଚଳା ପତିଙ୍କି ସୁମରି ଗୋକୁଳାନନ୍ଦ  କରିଅଛି ଅନୁପ୍ରାସ ଚ ।୬।

 

‘ରି’ ୮

 

ରୀତିମତ ଦ୍ଵିଜସୁତ ଗଲେ ଖୋଜିବାକୁ ହରି ।

ରିପୁ ହେଲା ସନ୍ଧ୍ୟାକାଳେ ଜଣେ ଶବରର ନାରୀ । (ଘୋଷା)

ରିଷା ବହି କହିଲା ସେ ଏଠାରୁ ଯାଅ ବାହାରି

ରିପୁ ଘଟିବ ବହୁତ ଧବ ଆସିଲେ ମୋହରି  ।୧।

ରିକ୍ତ ହସ୍ତେ ଆସୁଅଛି ଖାଦ୍ୟ ପଦାର୍ଥ ନ ଧରି

ରିଷଭ ମାସର ଦୂର୍ବାପରି ତୋତେ ଦେବି କରି  ।୨।

ରିକ୍ତା ତିଥିରେ ଗମିବା ଫଳ ଲବ୍ଧ ହେବ ଭାରି

‘ର’ ଅନୁପ୍ରାସେ ଗୋକୁଳାନନ୍ଦ କହଇ ବିଚାରି  ।୩

 

‘ତ’୯

 

ତରଫ ନ ଧରି ଚିତ୍ତ ଥୟ କରି ଶୁଣ ଜନେ ଏହି ଚରିତ ।

ତରୁଣୀ ତନୟ ଦଣ୍ଡ ହେବ କ୍ଷୟ ବିନାଶିବ ସର୍ବ ଦୁରିତ ।(ଘୋଷା)

ତରୁଣୀର କଟୁବାଣୀ ଶୁଣି ବଟୁ ତଟୁପରି ଗଲେ ତ୍ଵରିତ

ତପନ ଗୋପନ ହେବାରୁ ଅନ୍ଧାରେ ସରଣୀ ନୁହଇ ବାରି ତ  ।୧।

ତରୁତଳେ ଆଶ୍ରା ନେଲାବେଳେ ଏକ ପୁରୁଷ ପ୍ରବେଶ ଅଗ୍ରତ

ତରକ ନ ରଖି ପଚାରିଲା ଦେଖି କେଉଁଠାରୁ ତୁମେ ଆଗତ  ।୨।

ତଟସ୍ଥ ହୋଇବ ଦେଖି ବନ୍ୟା ଜୀବ ତୁମ୍ଭେ ତ ସହଜେ ବାଳୁତ ।

ତଣ୍ଟିକଟା ବାଘ ,ଭାଲୁ, ସିଂହ, ପ୍ରାଣୀ ଛନ୍ତି ଏଥି ବହୁତ  ।୩।

ତମରେ ରହିବା ନିରାପଦ ନୁହେଁ ଗିଳିଦେବ ଆସି ଅହି ତ  ।୪।

ତକରାଳ କଲା ଦେଖି ତା ଘରଣୀ ଆସିଥିଲା ଏଥି ଏହିତ

ତଡ଼ିଦେଇଥିଲି ଗାଳି ଦେଇ ୟାକୁ ଖାଦ୍ୟ ନାହିଁ ବୋଲି ବହୁତ ।୫।

ତତେ ତ ଅଣ୍ଟିବ ନାହିଁ ଯେଉଁ ଫଳମୂଳ ଆଣିଅଛି କିଞ୍ଚିତ ।

ତିନି ଜଣ ତାକୁ ବାଣ୍ଟି କୁଣ୍ଟି କରି ଖାଇବା ଅଟେ କି ଉଚିତ  ।୬।

ତର୍ଜନ ଗର୍ଜନ ଶୁଣି ଆଡ଼ପଣ ଦେଲା ହେବାରୁ ବିରକତ ।

ତହୁଁ ଯେ ରହିଲା ଏ ଦୁହେଁ ଖାଇଲେ ଗୋକୁଳାନନ୍ଦ ବିରଚିତ ।୭।

 

'ପ’ ୧୦

 

ପଣ୍ଡିତ ସକଳ ଏ ଗୀତକୁ କଳ ତିନିଜଣ ତହିଁ ରହିଲେ ଏ ରୂପ

ପଞ୍ଚାସ୍ୟ ଏକ ପ୍ରବେଶି ସେହିଠାରେ ନେଲା ସେ ନାରୀକି ମାରି ଏକ କ୍ଷେପ (ଘୋଷା)

ପବନ ସମାନ ଆସି ପୁଣି ଏକ,ପୁରୁଷକୁ ନେଲା ଗରଜି ଅମାପ

ପବିତ୍ର ଧାରଣ ଭାବିଲେ ଶରଣ , ହେବ ଅକାରଣ ପର ହେଲା ନୃପ  ।୧।

ପରବେଶ କ୍ଷିପ୍ର ହେଲେ ଏକ ବିପ୍ର ଅତି ମନୋରମ ଦିଶେ ତାଙ୍କ ରୂପ

ପରିଷ୍କାର ହେଲା ସେ ସ୍ଥଳ ସେ କାଳେ , ପଦେ ପ୍ରଣିପାତ କଲେ ଏହି ଝପ ।୨।

ପହିଲେ କହିଲେ ତୁ ଯାକୁ ଖୋଜୁଛୁ, ମୁହିଁ ସେହି ଆସିଅଛି ତୋ ସମୀପ

ପରମାଦ ତୋତେ ଦେବାକୁ ବିଚାର, କରିଅଛି ପରା ରାଜା ବହି କୋପ ।୩।

ପହଞ୍ଚିଲେ ରାଜ୍ୟେ କହିବୁ ତାହାକୁ ,ଏକ ପୁତ୍ର ତୁମ୍ଭ ହୋଇଛି ହେ ଭୂପ

ପବନ ହାଡ଼ିର ଏକ କନ୍ୟା ଜନ୍ମ ହୋଇଛି ଏ ଦୁହେଁ ନ ଚିହ୍ନନ୍ତି ବାପ ।୪।

ପଠାଇଣ ଦୂତ ଅଣାଅ ତ୍ଵରିତ ,ଶୁଣାଅ ଦୁହିଁଙ୍କୁ କରି ଏକ ତଳ୍ପ

ପଦାର୍ଥ ଦେବାରେ ଧର୍ମ କି ଅଧର୍ମ ,ହୁଏ ସେହି ବେନି କରିବେ ନିଶାପ ।୫।

ପଚାରିଲେ ପଥେ ଘଟିବା ବିଷୟ ଉତ୍ତରରେ ହର ମାନସ ସଂତାପ

ପଦ୍ମାଳୟା ପତି ପଦ ଦ୍ଵନ୍ଦ୍ଵ ଚିନ୍ତି, ରଚିଲା ଗୋକୁଳାନନ୍ଦ ପଦକଳ୍ପ  ।୬।